ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପଟି ଶୁକ୍ରବାର ଅବପାତରେ ପରିଣତ ହୋଇଛି। ତେବେ ତୀବ୍ର ଅବପାତ ପରେ ବାତ୍ୟା ସମ୍ଭାବନାକୁ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ କିନ୍ତୁ ବାତ୍ୟାର ଆଶଙ୍କା ନଥିବା ସେ ସ୍ପଷ୍ଟ କରିଛନ୍ତି।

ସୃଷ୍ଟି ହୋଇଥିବା ଅବପାତ କ୍ରମେ ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ ଏବଂ ଏହା ଅଧିକ ଘନୀଭୂତ ହେବ ନାହିଁ ବୋଲି ଆଇଏମଡି ଡିଜି କହିଛନ୍ତି। ଅବପାତ ପ୍ରଭାବରେ ଉପକୂଳରେ ୫୫ରୁ ୬୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିପାରେ।

ଆଭ୍ୟନ୍ତର ଓଡ଼ିଶାରେ ୩୦ରୁ ୩୫ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିପାରେ। ଅବପାତଟି ଏବେ ଦୀଘାରୁ ୧୪୦ କିଲୋମିଟର ଏବଂ ବାଲେଶ୍ୱର ଠାରୁ ୨୦୦ କିଲୋମିଟର ଦୂରରେ ରହିଛି।

ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଆଇଲ୍ୟାଣ୍ଡ ଦେଇ ଗତି କରିବ। ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡିଶା ଦେଇ ଯିବ। ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡ ଗତି କରି ଦୁର୍ବଳ ହେବ।

ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାକୁ ଥିବାବେଳେ ରାଜ୍ୟର ୪ ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ଆଲର୍ଟ ଜାରି କରାଯାଇଛି। ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ଅନ୍ୟପଟେ ବାତ୍ୟା ଆଶଙ୍କାକୁ ନେଇ ଏସଆରସି ପ୍ରଦୀପ ଜେନା ପ୍ରତିକ୍ରିୟା ରଖିଛନ୍ତି। ବାତ୍ୟା ନେଇ କୌଣସି ସୂଚନା ନାହିଁ। ବିଭିନ୍ନ ପାଣିପାଗ ମଡେଲକୁ ତର୍ଜମା କରିବା ସହ ବାତ୍ୟା ମୁକାବିଲା ପାଇଁ ମଧ୍ୟ ପ୍ରସ୍ତୁତ ଥିବା କହିଛନ୍ତି ଏସଆରସି।

ଅନ୍ୟପଟେ ଶୁକ୍ରବାର ମହାନଦୀର ଜଳସ୍ତର ଖସିବା ସହ ହୀରାକୁଦର ଗେଟ୍‌ କ୍ରମଶଃ ବନ୍ଦ ହେଉଛି। ରାଜ୍ୟର ବନ୍ୟା ପ୍ରଭାବିତ କିଛି ଅଞ୍ଚଳରେ ସ୍ଥିତିରେ ସୁଧାରେ ଆସିଥିଲେ ମଧ୍ୟ ଅନେକ ଅଞ୍ଚଳ ଏବେ ମଧ୍ୟ ଜଳଘେରରେ ରହିଛି। ଏହି ଲଘୁଚାପ ପ୍ରଭାବରେ କେବଳ ଓଡ଼ିଶାରେ ନୁହେଁ ଛତିଶଗଡରେ ମଧ୍ୟ ୨୦ ଓ ୨୧ ତାରିଖରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି। ଫଳରେ ମହାନଦୀରେ ପାଣି ବଢିପାରେ।

 

TagS: #lowpressure #deepdepression #cyclon #IMD #dgmrutyunjaymohaptra #rain #meteorology #SRC

 

Comment