ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପ୍ରତିବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟକ୍ତିବିଶେଷ ଓ ସଂଗଠନଗୁଡିକୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୨୦୨୩  ଅବସରରେ ପ୍ରଦାନ କରାଯିବାକୁ ଥିବା ପଦ୍ମ ପୁରସ୍କାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ’କୁ କାର୍ଯ୍ୟକ୍ଷମ କରାଯାଇଛି।

ଏଣିକି ପଦ୍ମ ପୁରସ୍କାର ପାଇବାକୁ ଯୋଗ୍ୟ ମନେ କରୁଥିବା ବ୍ୟକ୍ତିମାନେ www.awards.gov.in ଜରିଆରେ ନାମ ପଞ୍ଜୀକରଣ କରିବାକୁ ପଡିବ।  ସେପ୍ଟେମ୍ବର ୧୫ ତାରିଖ ସୁଦ୍ଧା ଆବେଦନ କରିବା ପାଇଁ  କେନ୍ଦ୍ର ସରକାରଙ୍କ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ପଦ୍ମ ପୁରସ୍କାର ବ୍ୟତୀତ ରାଷ୍ଟ୍ରୀୟସ୍ତରର ଅନ୍ୟ ପୁରସ୍କାର ଯଥା ‘ନ୍ୟାସନାଲ ଗୋପାଳ ରତ୍ନ ପୁରସ୍କାର’, ‘ନ୍ୟାସନାଲ ଆୱାର୍ଡ ଫର୍ ସିନିୟର ସିଟିଜେନ୍‌’, ‘ନ୍ୟାସନାଲ ଆୱାର୍ଡ ଫର୍ ଇଣ୍ଡିଭିଜୁଆଲ ଏକ୍ସଲେନ୍ସ’, ‘ନାରୀ ଶକ୍ତି ଆୱାର୍ଡ’, ‘ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବୋଧନ ପୁରସ୍କାର’ ପାଇଁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ନାମ ପଞ୍ଜୀକରଣ କରିବାକୁ ପଡିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ପଦ୍ମ ପୁରସ୍କାରର ଇତିହାସ

୧୯୫୪ ମସିହାଠାରୁ ଭାରତ ରତ୍ନ ଓ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନର ଧାରା ଆରମ୍ଭ ହୋଇଥିଲା। ପ୍ରଥମ ବର୍ଗ, ଦ୍ଵିତୀୟ ବର୍ଗ ଓ ତୃତୀୟ ବର୍ଗ ଏହିପରି ଭାବେ ତିନିଟି ବର୍ଗରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଉଥିଲା। ପରେ ୧୯୫୫ଠାରୁ ଏହି ତିନି ବର୍ଗକୁ ଭିନ୍ନ ଭିନ୍ନ ନାମକରଣ କରାଯାଇଥିଲା। ଏହାପରଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଓ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରାଯାଇଥାଏ। ତେବେ ୧୯୭୮, ୧୯୭୯ ଓ ୧୯୯୩ ଠାରୁ ୧୯୯୭ ମସିହା ପର୍ଯ୍ୟନ୍ତ ଏହି ପୁରସ୍କାର କୌଣସି କାରଣରୁ ସାଧାରଣତନ୍ତ୍ର ଦିବସ ଅବସରେ ଘୋଷଣା ହୋଇପାରିନଥିଲା।

କେଉଁମାନଙ୍କୁ ମିଳେ ପଦ୍ମ ପୁରସ୍କାର

କଳା, ସାହିତ୍ୟ, ଶିକ୍ଷା, କ୍ରୀଡ଼ା, ଚିକିତ୍ସା,ସମାଜ ସେବା, ବିଜ୍ଞାନ, ଇଞ୍ଜିନିୟରିଂ, ଲୋକ କାର୍ଯ୍ୟ, ଉଦ୍ୟୋଗ ଆଦି  କ୍ଷେତ୍ରରେ ଅସାଧାରଣ ଉପଲବ୍ଧି ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଅସାଧାରଣ ଏବଂ ବିଶିଷ୍ଟ ସେବାପାଇଁ ପଦ୍ମ ବିଭୂଷଣ, ଉଚ୍ଚକୋଟିର ବିଶିଷ୍ଟ ସେବା ପାଇଁ ପଦ୍ମଭୂଷଣ ଏବଂ ବିଶିଷ୍ଟ ସେବା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥାଏ।

ଯେକୌଣସି ବର୍ଗର ବ୍ୟକ୍ତି ଏହି ପୁରସ୍କାର ପାଇଁ ଆବଦେନ କରିପାରିବେ। ମାତ୍ର ସରକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ ବ୍ୟକ୍ତି ଏହି ପୁରସ୍କାର ପାଇଁ ମନୋନୀତ ହୋଇପାରିବେ ନାହିଁ। ଯଦି ବ୍ୟକ୍ତି ସରକାରୀ ସେବାରୁ ନିବୃତ୍ତ ହୁଅନ୍ତି ତେବେ ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଏହି ପୁରସ୍କାରର ହକଦାର ହୋଇପାରନ୍ତି। ତେବେ ଡ଼ାକ୍ତର ଓ ବୈଜ୍ଞାନିକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହୁଏ ନାହିଁ।

କେମିତି ହୁଏ ପଦ୍ମ ପୁରସ୍କାର ଚୟନ

ପ୍ରତିବର୍ଷ ପଦ୍ମ ପୁରସ୍କାର ପ୍ରଦାନ କରାଯାଉଛି। ଏହି କ୍ରମରେ ଦେଶରେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ନିଜ ନିଜ ଅଞ୍ଚଳର ପ୍ରତିଭାଙ୍କୁ ନାମ ସୁପାରିଶ କରିପାରିବେ। ଏହା ବ୍ୟତୀତ ଜଣେ ଚାହିଁଲେ ବ୍ୟକ୍ତିଗତ ଭାବେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ୱେବସା­ଇଟ ମାଧ୍ୟମରେ ଆବେଦନ କରିପାରିବେ। ୮୦୦ ଶବ୍ଦ ମଧ୍ୟରେ  ବ୍ୟକ୍ତି ନିଜ ସମ୍ପର୍କରେ ଏବଂ ନିଜ ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ବିଷୟରେ ସୂଚନା ଦେବାକୁ ପଡିଥାଏ।

ପଦ୍ମ ପୁରସ୍କାର ଘୋଷଣା ପାଇଁ ପ୍ରଧାନମନ୍ତ୍ରୀ ଏକ ଚୟନ କମିଟି ଗଠନ କରିଥାଆନ୍ତି। କ୍ୟାବିନେଟ ସଚିବ ଏହି କମିଟିର ଅଧ୍ୟକ୍ଷ ରହୁଥିବାବେଳେ ଆବଦେନକାରୀଙ୍କ ମଧ୍ୟରୁ ମନୋନୀତ ବ୍ୟକ୍ତିଙ୍କ ନାମ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସୁପାରିଶ କରାଯାଇଥାଏ। ଉଭୟଙ୍କ ଅନୁମୋଦନ ପରେ ପୁରସ୍କାର ଘୋଷଣା କରାଯାଇଥାଏ।

କିପରି ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥାଏ

ରାଷ୍ଟ୍ରପତି ଭବନରେ ପ୍ରତିବର୍ଷ ମହାସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି କ୍ରମରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ଥିବା ମାନପତ୍ର ଓ ପଦକ ପ୍ରଦାନ କରାଯାଇଥାଏ। ପୁରସ୍କାର ବାବଦରେ ପଦ୍ମ ବିଜେତାଙ୍କୁ ପଦକର ଏକ ପ୍ରତିକୃତି ମଧ୍ୟ ପ୍ରଦାନ କରାଯାଇଥାଏ।

Tags: #presidentofiIndia #primeminister #padmaaward2023 #padmabibhusan #padmabhusan #padmashree

Comment