ଓଡ଼ିଶାଲାଇଭ୍ ବ୍ୟୁରୋ

(କୋରାପୁଟ): କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳ ଝାଡ଼ାବାନ୍ତି ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଡମ୍ବତୁରୁଞ୍ଜି ଗାଁରେ ପରିସ୍ଥିତି ଉଗ୍ରରୂପ ନେବାରେ ଲାଗିଛି। ଦୁଇ ସପ୍ତାହ ମଧ୍ୟରେ ଝାଡ଼ାବାନ୍ତିରେ ଦୁଇଜଣ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ରହିଛନ୍ତି। ଗାଁ ନିକଟରେ ଟେଣ୍ଟ ପକାଇ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି।

ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଡମ୍ବତୁରୁଞ୍ଜି ଗାଁକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗାଁରେ ପହଞ୍ଚି ରୋଗୀ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଅଚଳ ହୋଇପଡ଼ିଥିବା ନଳକୂଅ ଦେଖିବା ସହ ଗାଁ ପରିମଳ ବ୍ୟବସ୍ଥା ବୁଲି ଦେଖିଥିଲେ ବିଧାୟକ।

ଏହି ଅବସରରେ ତାରା ପ୍ରସାଦ ବାହିନୀପତି ମୃତକଙ୍କ ପରିବାରକୁ ୫୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ଗାଁର ପ୍ରତି ପରିବାରକୁ ରାସନ ସାମଗ୍ରୀ ବଣ୍ଟନ କରିଥିଲେ। ବିଧାୟକଙ୍କ ସହ ବୋରିଗୁମ୍ମା ବିଡିଓ, ଯନ୍ତ୍ରୀ, ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ କଂଗ୍ରେସ ସଭାପତି ଅଶୋକ ଗନ୍ତାୟତ ଉପସ୍ଥିତ ଥିଲେ।

Tags: #Diarrhea #Health #Koraput #Dambaturunji

Comment