ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଇନଡୋର ଷ୍ଟାଡିୟମଠାରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବ୍ୟାଡମିଣ୍ଟନ ସଂଘ ସହ ଅନୁବନ୍ଧିତ ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ଆନୁକୂଲ୍ୟରେ ପ୍ରତିଯୋଗିତ ଆୟୋଜନ କରାଯାଇଥିଲା।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଦ୍ଵିତୀୟ ଦିବସ ପ୍ରତିଯୋଗିତାର ଶୁଭାରମ୍ଭ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରତିଯୋଗିତାର ଫାଇନେଲରେ ସିନିଆର ଏକକ ବର୍ଗରେ ନବରଙ୍ଗପୁରର ପି ଚକ୍ରଧର ସିଧାସଳଖ ଦୁଇଟି ସେଟରେ ସୁରଜ ମହାରଣାଙ୍କୁ ପରାସ୍ତ କରି ଚମ୍ପିୟନ ହୋଇଥିଲେ। ସେହିପରି ସିନିଆର ଡବଲସରେ ପି ଚକ୍ରଧର ଓ ସନ୍ତୋଷ ତ୍ରିପାଠୀ, ନବରଙ୍ଗପୁରର ସୁରଜ ମହାରଣା ଓ କପିଲ ଅଗ୍ରୱାଲଙ୍କୁ ଫାଇନାଲରେ ପରାସ୍ତ କରି ବିଜୟୀ ହୋଇଥିଲେ। ୪୫ ବର୍ଷରୁ ଊର୍ଦ୍ଧ୍ଵ ବର୍ଗରେ ନବରଙ୍ଗପୁରର ରାକେଶ ଗୁପ୍ତା ଓ ସତ୍ୟ ଦଣ୍ଡସେନା, ଉମରକୋଟର ସଞ୍ଜୀବ କୁମାର ଓ ଏସ ପ୍ରହ୍ଲାଦଙ୍କୁ ହରାଇ ପ୍ରତିଯୋଗିତା ଜିତିବାରେ ସଫଳ ହୋଇଥିଲେ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ, ଡକ୍ଟର ଶାନ୍ତିସ୍ୱରୂପ ପଟ୍ଟନାୟକ, ଅଶୋକ କୁମାର ସିଂ ଯୋଗ ଦେଇ ବିଜେତାମାନଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ।

ଦୁଇଦିନ ଧରି ଚାଲିଥିବା ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଉଦଯାପନୀ ଉତ୍ସବକୁ ସଂଘର ସଭାପତି ରାକେଶ ଗୁପ୍ତା ପରିଚାଳନା କରିଥିଲେ। ସଂଘ ସମ୍ପାଦକ ଲିଙ୍ଗରାଜ ମହାନ୍ତି, ଚନ୍ଦନ ମହାରଣା, ରମାକାନ୍ତ ରାଉଳ, ଧର୍ମେନ୍ଦ୍ର ସିଂ, ଅଶୋକ ସାହୁ ଏବଂ ସ୍ଵାଧୀନ ହଜାରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଖେଳ ପରିଚାଳନା କରିଥିଲେ ରାଜ୍ୟସ୍ତରୀୟ ରେଫରି ସୁରଜ ମହାରଣା ଏବଂ କପିଲ ଅଗ୍ରୱାଲ।

Tags: #Sports #Badminton #BadmintonMatches

Comment