ଓଡ଼ିଶାଲାଇଭ୍ ବ୍ୟୁରୋ

ମା’ ଓ ମାଟିର ପର୍ବ। କୃଷି ଓ କୃଷକର ପର୍ବ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ପ୍ରତିବର୍ଷ ଏହି ପର୍ବ ଆସିଲେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆସିଥାଏ ଉତ୍ସାହ ଓ ଉଦ୍ଦୀପନା। ଗାଁରୁ ସହର ହୋଇଉଠେ ଉତ୍ସବମୁଖର।

କୃଷିଭିତ୍ତିକ ଏହି ପର୍ବରେ ପଶ୍ଚିମ ଓଡ଼ିଶାବାସୀ ପ୍ରଥମେ ସେମାନଙ୍କ ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ଶସ୍ୟ ଭୋଗ ଲଗାଇଥାନ୍ତି। ତା’ପରେ ସମସ୍ତେ ଏକତ୍ରିତ ହୋଇ ନବାନ୍ନ ଖାଇଥାନ୍ତି। ଏହି ଅବସରରେ ନୂଆ ବସ୍ତ୍ର ପିନ୍ଧିବା ସହ ନାଚ, ଗୀତ, ବାଦ୍ୟରେ ଦୁଲୁକେ ପୂରା ପଶ୍ଚିମ ଓଡ଼ିଶା। ସମସ୍ତେ ସାଙ୍ଗସାଥୀ ସମ୍ପର୍କୀୟଙ୍କୁ ନୂଆଁଖାଇର ଶୁଭେଚ୍ଛା ଦେବା ସହ ଗୁରୁଜନମାନଙ୍କ ଆଶୀର୍ବାଦ ନେଇଥାନ୍ତି।

ନୂଆଁଖାଇ ଗାଁରୁ ସହର ସବୁଠି ଜୋରଦାର ପାଳନ କରାଯାଇଥାଏ। ବିଦେଶରେ ରହୁଥିବା ଲୋକ ମଧ୍ୟ ଏହି ସମୟରେ ଘରମୁହାଁ ହୋଇଥାନ୍ତି। ପିଠା, ମିଠାର ମହକରେ ଫାଟି ପଡ଼େ ପ୍ରତି ଘର।ନୂଆଁଖାଇ ପାଳନର ବିଶେଷତ୍ଵ

ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ। ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ। ଚାଷୀ ପ୍ରଥମକରି ଏହି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିଥାଏ। ଏହାକୁ ନବାନ୍ନ ଭକ୍ଷଣ ବା ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ।କିପରି ପାଳନ ହୁଏ ନୂଆଁଖାଇ?

ନୂଆଁଖାଇ ପାଇଁ ପୂର୍ବରୁ ଜ୍ୟୋତିଷମାନଙ୍କ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ଲଗ୍ନ ଅନୁସାରେ ପ୍ରଥମେ ଇଷ୍ଟଦେବୀଙ୍କଠାରେ ନୂଆକରି ଅମଳ କରାଯାଇଥିବା ଷାଠିଆଧାନରୁ ପ୍ରସ୍ତୁତ ଅନ୍ନ ଲାଗି କରାଯାଇଥାଏ। ଇଷ୍ଟଦେବୀଙ୍କଠାରେ ଲାଗି ହେବାପରେ ଏହା ନବାନ୍ନରେ ପରିଣତ ହୋଇଥାଏ। ଏହାପରେ ପରିବାରର ମୂଖ୍ୟଙ୍କ ହାତରୁ ସଭିଏଁ ନବାନ୍ନ ଭୋଗ ଗ୍ରହଣ କରିବା ସହ ସେମାନଙ୍କୁ ପ୍ରଣାମକରି ଆଶୀର୍ବାଦ ଗ୍ରହଣ କରନ୍ତି। ନୂଆଧାନରୁ ପ୍ରସ୍ତୁତ ଚୁଡ଼ା, ଭାତ, କ୍ଷୀରି, ମଣ୍ଡାପିଠାକୁ ସମସ୍ତେ ଏକତ୍ରିତ ହୋଇ ଖାଆନ୍ତି। ଏହାପରେ ସଭିଁଙ୍କୁ ନୂଆଁଖାଇ ଭେଟ୍‌ଘାଟ୍ ଶୁଭେଚ୍ଛା ଜଣାଇଥାନ୍ତି। ଭେଟଘାଟ ଶେଷ ହେବାପରେ ଗାଁରେ ଖେଳକୁଦ ପ୍ରତିଯୋଗିତା ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।ଏକତାର ପର୍ବ

ସମାନତା ଏବଂ ଏକତାର ବାର୍ତ୍ତା ବହନ କରେ ନୂଆଁଖାଇ। ପୂର୍ବ ଶତୃତାକୁ ଭୁଲିକରି ସଭିଏଁ ଏକଜୁଟ ହୁଅନ୍ତି, ମିଶିକରି ଖାଆନ୍ତି ନୂଆଖାଦ୍ୟ, ମିଶିକରି ଖେଳନ୍ତି ଖେଳ, କାନ୍ଧକୁ କାନ୍ଧ ମିଶାଇ ସଭିଁଏ ନାଚନ୍ତି ଗୀତର ତାଳେତାଳେ। ସର୍ବୋପରି ସଭିଁଙ୍କୁ ଗୋଟିଏ ସୂତାରେ ବାନ୍ଧିରଖେ ଏହି ପର୍ବ। ଯେଉଁଥିପାଇଁ ଏହାକୁ ଗଣପର୍ବ ମଧ୍ୟ କୁହାଯାଏ।

ବାସି ନୂଆଁଖାଇ

ନୂଆଁଖାଇର ପରଦିନକୁ ନୂଆଁଖାଇ ବାସି ବା ବାସି ନୂଆଁଖାଇ କୁହାଯାଏ। ଏହି ଦିନଟିକୁ ମଉଜ ମଜଲିସର ଦିନ ଭାବେ ପାଳନ କରାଯାଏ। ନୂଆଁଖାଇ ଦିନ ନିଜର ଇଷ୍ଟଦେବୀଙ୍କୁ ଭୋଗଲାଗି କରାଯାଉଥିବାରୁ ସେଦିନ ପ୍ରାୟତଃ କେହି ଆମିଷ ଖାଆନ୍ତି ନାହିଁ। ସେଥିପାଇଁ ଏହି ଦିନ ସଭିଏଁ ଆମିଷ ଖାଇଥାନ୍ତି।

Tags: #Nuakhai #Sambalpur #OdiaTradition #Odisha #ନୂଆଁଖାଇ #ଓଡ଼ିଶା

Comment