ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଥମ ଲଘୁଚାପଟି ଆସନ୍ତା ୮ ତାରିଖ ପୂର୍ବରୁ ସୃଷ୍ଟି ହେବାକୁ ଥିବାବେଳେ ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ସୂଚନା ଏଯାଏଁ ନାହିଁ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ କହିଛନ୍ତି।

ବାତ୍ୟା ନେଇ ଚାଲିଥିବା ଚର୍ଚ୍ଚା ନେଇ ପାଣିପାଗ ବିଜ୍ଞାନୀଙ୍କ ଏପରି ମନ୍ତବ୍ୟ ରଖିଛନ୍ତି। ବାତ୍ୟା ସମ୍ପର୍କରେ ଆଇଏମଡି ପକ୍ଷରୁ କୌଣସି ସୂଚନା ଜାରି କରାଯାଇ ନାହିଁ। ଆସନ୍ତା ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ ହେବ ବୋଲି କୁହାଯାଉଛି। ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କୌଣସି ଆକଳନ କରାଯାଇନଥିବା ସେ ସ୍ପଷ୍ଟ କରିଛନ୍ତି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ବିଶେଷକରି ଆସନ୍ତା ୫ ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣ ବର୍ଷାର ସମ୍ଭାବନା ରହିଛି। ୪ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ଆଶଙ୍କା ଥିବାରୁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ୱର ଆଦି ୧୨ଟି ଜିଲ୍ଲାର କେତେକ ଅଞ୍ଚଳରେ ବଜ୍ରପାତକୁ ଦୃଷ୍ଟିରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୫ ତାରିଖ ବେଳକୁ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ଅଛି। ୫ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କନ୍ଧମାଳ, ରାୟଗଡା, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ। ଉପରୋକ୍ତ ଜିଲାଗୁଡିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Tags: #bayofbengal #lowpressure #RainInOdisha #Weather #meteorology #IMD #UmaShankarDash #yellowWarning

Comment