ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ ସେବାରେ ଜୀବନବ୍ୟାପୀ ସାଧନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୂଆଦିଲ୍ଲୀଠାରେ ସମ୍ବର୍ଦ୍ଧିତ କରାଯାଇଛି। କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଛି। ଭାରତର ପୂର୍ବତନ ବିଚାରପତି ଏନ ଭି ରମଣା ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇବା ପରେ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ପୁରସ୍କାରକୁ ସମର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ଓଡ଼ିଶାର ବିକାଶ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, “୪ କୋଟି ଓଡ଼ିଆଙ୍କ ଆଶୀର୍ବାଦ ଯୋଗୁଁ ୨୫ ବର୍ଷ ଧରି ମୁଁ ସେବାରେ ଅଛି। ଏହାରି ମଧ୍ୟରେ ଓଡ଼ିଶା ଏକ ଦୀର୍ଘ ପଥ ଅତିକ୍ରମ କରିଛି। କିଏ ଭାବିଥିଲା ଯେ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନାରେ ବିଶ୍ଵ ପାଇଁ ଏକ ରୋଲ ମଡେଲ ହେବ ଏବଂ ଓ ମିଳିତ ଜାତିସଂଘ ଦ୍ଵାରା ପୁରସ୍କୃତ ହେବ। ଦିନେ ଦାରିଦ୍ର୍ୟ ପାଇଁ ପରିଚିତ ଓଡ଼ିଶା ବର୍ତ୍ତମାନ ଦେଶରେ ଦ୍ରୁତତମ ଦାରିଦ୍ର୍ୟ ହ୍ରାସ ପାଇଁ ଜଣାଶୁଣା।”

ସେ ଆହୁରି କହିଥିଲେ ଯେ, ଓଡ଼ିଶାରେ ମହିଳାମାନଙ୍କ ସଶକ୍ତିକରଣରେ ‘ମିଶନ ଶକ୍ତି’ ପ୍ରମୁଖ ଭୁମିକା ଗ୍ରହଣ କରିଆସୁଛି। ଏହା ମହିଳାଙ୍କୁ ରୋଜଗାରକ୍ଷମ କରାଇବାରେ ସହାୟତା କରୁଛି। ଅନୁସୂଚିତ ଜନଜାତି ସଶକ୍ତିକରଣ ଲାଗି ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବାରେ ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି। ପାଞ୍ଚ ଲକ୍ଷରୁ ଅଧିକ ଆଦିବାସୀ ଛାତ୍ରୀ ସରକାରୀ ଛାତ୍ରୀନିବାସରେ ରହି ପାଠପଢ଼ୁଛନ୍ତି।

ରାଜ୍ୟରେ କୃଷି ଏବଂ କୃଷକଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷକଙ୍କ ରୋଜଗାରକୁ ଦ୍ଵିଗୁଣିତ କରିବାକୁ ବିଭିନ୍ନ ଯୋଜନା ମଧ୍ୟ କରାଯାଉଛି। କୃଷି କ୍ଷେତ୍ରରେ ବ୍ୟାପକ ସଫଳତା ପାଇଁ ରାଜ୍ୟକୁ ଜାତୀୟ କୃଷି ନିର୍ମାଣ କ୍ଷେତ୍ରରେ ଚାରି ଚାରି ଥର ‘କୃଷି କର୍ମଣ’ ପୁରସ୍କାର ପ୍ରାପ୍ତ ହୋଇଛି। କୃଷକଙ୍କ ରୋଜଗାର ଦ୍ଵିଗୁଣିତ କରିବାରେ ଓଡ଼ିଶା ଏକମାତ୍ର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ମୁଖ୍ୟମନ୍ତ୍ରୀ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ସେପ୍ଟେମ୍ବର ୬ ତାରିଖରେ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ବିଜେଡି ଯୁବ, ଛାତ୍ର ଏବଂ ମହିଳା ସଂଗଠନର ହଜାର ହଜାର କର୍ମୀଙ୍କ ସହିତ ଦଳର ସାଂସଦ, ବିଧାୟକ ଏବଂ ମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

Tags: #CMOdisha #NaveenPatnaik #LifeTimeAchievementAward

Comment