ଓଡ଼ିଶାଲାଇଭ୍ବ୍ୟୁରୋ

ଦିଲ୍ଲୀରେ ଜନ ସେବା ପାଇଁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇ ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିବା ଲାଗି ବିମାନ ବନ୍ଦର ଆଗରେ ଏକାଠି ହୋଇଛନ୍ତି ଦଳୀୟ ମନ୍ତ୍ରୀ, ନେତା ଏବଂ ହାଜାର ହଜାର କର୍ମୀ। ପାରମ୍ପରିକ ନାଚ, ଗୀତ ଏବଂ ବାଦ୍ୟରେ କମ୍ପୁଛି ବିମାନବନ୍ଦର। ମୁଖ୍ୟମନନ୍ତ୍ରୀଙ୍କ ସ୍ଵାଗତ ଲାଗି ବିମାନବନ୍ଦରଠାରୁ ନବୀନ ନିବାସ ପର୍ଯ୍ୟନ୍ତ ସାଜସଜ୍ଜା କରାଯାଇଛି।

“ଆପଣ ମାନେ ଖୁସି ତ” ବିମାନ ବନ୍ଦରରେ ପହଞ୍ଚିବା ପରେ ସାରା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, “ଏହା କେବଳ ମୋର ସଫଳତା ନୁହେଁ, ଏହା ହେଉଛି ସାଢ଼େ ୪ କୋଟି ଓଡ଼ିଆଙ୍କ ସଫଳତା। ପ୍ରଭୁ ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତେ ସୁଖର ରୁହନ୍ତୁ।”

ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ପାଇଁ ବିମାନ ବନ୍ଦରଠାରୁ ନବୀନ ନିବାସ ପର୍ଯ୍ୟନ୍ତ ଜନ ସମୁଦ୍ର ପାଲଟିଛି। ସମସ୍ତ ପ୍ରସ୍ତୁତି ବିଜେଡି ପକ୍ଷରୁ କରାଯାଇଛି। ସାରା ରାଜ୍ୟରୁ ୫୦ ହଜାର ଦଳୀୟ କର୍ମୀ ଏବଂ ନେତା ରାଜଧାନୀରେ ଏକଜୁଟ ହୋଇଛନ୍ତି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ଜଣ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

୨୦୧୯ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସ୍‌ର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯାତ୍ରା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ଦଳ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବାବେଳେ ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନେ ଯେପରି ଅସୁବିଧାର ସମ୍ମୁଖିନ ନହୁଅନ୍ତି, ସେଥିପ୍ରତି ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଆଜି ଏହି ବିଶାଳ କାର୍ଯ୍ୟକ୍ରମ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଛି। ରାଜଧାନୀର ପ୍ରମୁଖ ଛକଗୁଡ଼ିକରେ ଭିଡ଼ ଯୋଗୁଁ ସାଧାରଣ ଲୋକଙ୍କୁ ଯାତାୟତରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି।

Tags: #Politics #CMOdisha #NaveenPatnaik #GrandWelcome #LifetimeAchievementAward #BJD

Comment