ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଆସୁଛି। ଏହାକୁ ନେଇ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଚାଲିଛି ଅଙ୍କକଷା। ୨୪ ବର୍ଷର କ୍ଷମତା ସତ୍ତ୍ୱେ ୨୦୨୪ ବିଜେଡି ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି। ଏଥିପାଇଁ ଦଳ ପକ୍ଷରୁ କସରତ ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଭାବେ ଦଳ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କୁ ନେଇ ସାଂଗଠନିକ ସ୍ଥିତି ସମୀକ୍ଷା ଆରମ୍ଭ କରିଛି। ଏହିକ୍ରମରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସବଭନ ନବୀନ ନିବାସରେ ବିଜେଡିର ସାଙ୍ଗଠନିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଭିନ୍ନ ପର୍ଯ୍ୟାୟରେ ଏହି ସମୀକ୍ଷା ବୈଠକ ଚାଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ କୋରାପୁଟ୍, ମାଲକାନଗିରି, କେନ୍ଦ୍ରାପଡ଼ା, ବାଲେଶ୍ୱର, ନୟାଗଡ଼, ଅନୁଗୁଳ,  ବରଙ୍ଗପୁର, ଢେଙ୍କାନାଳ ଓ ସୁନ୍ଦରଗଡ଼ ଭଳି ୯ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ରଣନୀତି ପ୍ରସ୍ତୁତ କରାଯାଉଛି।

ତୃଣମୂଳ ସ୍ତରରେ ସଙ୍ଗଠନ ମଜଭୁତ କରିବା ଲକ୍ଷ୍ୟରେ କାମ କରାଯାଉଛି। କାର୍ଯ୍ୟକାରୀ କମିଟି ଗଠନ ପୂର୍ବକ ଦଳୀୟ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କରଯାଉଛି। ପଞ୍ଚାୟତ, ପୌର ନିର୍ବାଚନ ଫଳାଫଳ ନେଇ ଆଲୋଚନା କରାଯାଇଛି। ଆଗାମୀ ଦିନରେ ଦଳକୁ ଅଧିକ ମଜଭୁତ କରାଯିବା ଉପରେ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏନେଇ ଏବେଠୁ ଦଳ ତାର ରଣନୀତ ପ୍ରସ୍ତୁତ କରୁଛି।

ଅନ୍ୟପଟେ ମନ୍ତ୍ରୀମଣ୍ଡଳ ସହ ବିଜେଡିର ସାଙ୍ଗଠନିକ ଢାଞ୍ଚା ବଦଳିବ ବୋଲି ଚର୍ଚ୍ଚା ହେଉଛି। ସେହିପରି ନୂଆ ପଦବୀ ସୃଷ୍ଟି ସହ କିଛି ନେତାଙ୍କୁ ସଙ୍ଗଠନର ଦାୟିତ୍ୱ ଦେବାକୁ ଚାଲିଛି ଯୋଜନା। ମନ୍ତ୍ରୀମଣ୍ଡଳରୁ ବାଦ ପଡିଥିବା ମନ୍ତ୍ରୀଙ୍କୁ ସଙ୍ଗଠନ କାମରେ ଲଗାଯିବ। କିଛି ବରିଷ୍ଠ ନେତାଙ୍କୁ ମାଗଦର୍ଶକ ବା ଉପଦେଷ୍ଟା ଭୂମିକାରେ ରଖାଯିବ  ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି।

Tags: #BijuJanataDal #BJD #NaveenPatanaik #GeneralElection2024

Comment