ଓଡ଼ିଶାଲାଇଭ୍ବ୍ୟୁରୋ

ଜଣେ ଭାରତୀୟ ବଂଶୋଦ୍ଭବ ହୋଇଛନ୍ତି ବ୍ରିଟେନର ନୂଆ ଗୃହମନ୍ତ୍ରୀ। ସେ ହେଉଛନ୍ତି ସୁଏଲା ବ୍ରେଭରମ୍ୟାନ। ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ସୁଏଲାଙ୍କୁ ନିଜ କ୍ୟାବିନେଟରେ ସାମିଲ କରିଛନ୍ତି। ନିଜର ରାଜନୈତିକ ଜୀବନରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ବୋଲି ସୁଏଲା ବ୍ରେଭରମ୍ୟାନ କହିଛନ୍ତି।

ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଦୌଡ଼ରେ ପଛରେ ପକାଇଥିବା ଲିଜ ଟ୍ରସ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ ସୁଏଲା ବ୍ରେଭରମ୍ୟାନଙ୍କୁ। ଗୃହ ବିଭାଗ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ଦେଇଛନ୍ତି ସୁଏଲାଙ୍କୁ। ବୋରିସ ଜନସନଙ୍କ ସରକାରରେ ଏହି ପଦବୀରେ ପ୍ରୀତି ପଟେଲ ରହିଥିଲେ। ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସୋମବାର ଦିନ ଗୃହମନ୍ତ୍ରୀ ପଦବୀରୁ ସେ ଇସ୍ତଫା ଦେଇଥିଲେ। ଏହି ପଦବୀ ପାଇଁ ସୁଏଲାଙ୍କୁ ବାଛିଛନ୍ତି ଲିଜ ଟ୍ରସ।

ସୁଏଲା ବ୍ରେଭରମ୍ୟାନ କିଏ?

ବ୍ରିନେଟର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ କ୍ୟାବିନେଟରେ ସାମିଲ ହୋଇଥିବା ସୁଏଲା ହେଉଛନ୍ତି ଜଣେ ମୂଳ ଭାରତୀୟ। ତାଙ୍କ ମା’ ଉମା ତାମିଲନାଡୁର ହୋଇଥିବାବେଳେ ପିତା କ୍ରିଷ୍ଟ ଫର୍ଣ୍ଣାଡିସ ଗୋଆର ମୂଳ ନିବାସୀ। ଉଭୟେ ୧୯୬୦ ଦଶକରେ ବ୍ରିଟେନରରେ ଅବସ୍ଥାପିତ ହୋଇଥିଲେ। ସୁଏଲାଙ୍କର ଜନ୍ମ ୧୯୮୦ ମସିହା ଏପ୍ରିଲ ୩ ତାରିଖରେ ଗ୍ରେଟର ଲଣ୍ଡନରେ ହୋଇଥିଲା।

ସୁଏଲା ବ୍ରେଭରମ୍ୟାନ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରୁ ଆଇନରେ ଡିଗ୍ରୀ ହାସଲ କରିଛନ୍ତି। ୨୦୧୮ ମସିହାରେ ରାୟନ ବ୍ରେଭରମ୍ୟାନଙ୍କୁ ବିବାହ କରିଥିଲେ ସୁଏଲା। ସୁଏଲା ଜଣେ ବୌଦ୍ଧ ଧର୍ମାବଲମ୍ବୀ। ବୋରିସ ଜନସନଙ୍କ ସରକାରରେ ସୁଏଲା ବ୍ରେଭରମ୍ୟାନ ଆଟର୍ଣ୍ଣି ଜେନେରାଲ ରହିସାରିଛନ୍ତି।

୨୦୦୫ ମସିହାରେ ସୁଏଲା ବ୍ରେଭରମ୍ୟାନ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ ଲେସେଷ୍ଟର ଇଷ୍ଟରୁ ସାଧାରଣ ନିର୍ବାଚନ ଲଢ଼ିଥିଲେ। ୨୦୧୫ ମସିହାରେ ସୁଏଲା କଞ୍ଜର୍ଭେଟିଭ ପାର୍ଟିରୁ ସାଂସଦ ନିର୍ବାଚିତ ହୋଇଥିଲେ।

Tags: #Politics #British #HomeMinister #SualaBraverman #Election

Comment