ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଡିଜିଟାଲ ଶିକ୍ଷାର ବିକାଶ ନିମନ୍ତେ ‘ବିକଳ୍ପ ଶିକ୍ଷା ପ୍ରକଳ୍ପ’ର ଶୁଭାରମ୍ଭ କରାଯାଇଛି। କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ଦରବାର ହଲଠାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଉପେନ୍ଦ୍ର ତ୍ରିପାଠୀଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ଫାଉଣ୍ଡେସନର ଅଧ୍ୟକ୍ଷ ଅଶୋକ କାମଥ, ରାଜ୍ୟ ମୁଖ୍ୟ ରଞ୍ଜିତା ପଟ୍ଟନାୟକ, ଅତିରିକ୍ତ ନିର୍ଦ୍ଦେଶକ ପ୍ରଶାନ୍ତ ସ୍ୱାଇଁ ଏବଂ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରାଥମିକ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଏବଂ ଶିକ୍ଷଣରେ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ଅନ୍ତର୍ଭୂକ୍ତୀକରଣ ହେଉଛି ବିକଳ୍ପ ଶିକ୍ଷା ପ୍ରକଳ୍ପର ପ୍ରମୁଖ ଉଦ୍ଦେଶ୍ୟ। ପ୍ରାଥମିକ ସ୍ତରରେ ଆଇଟି ଶିକ୍ଷାର ବ୍ୟବହାର ଏବଂ ଛାତ୍ରଛାତ୍ରୀଙ୍କର ଶିକ୍ଷାର ବିକାଶରେ ଏହା ସହାୟକ ହେବ।

ପାଇଲଟ ପ୍ରକଳ୍ପ ଆଧାରରେ ଏହି ପଦକ୍ଷେପକୁ ପ୍ରଥମ ଥର ପାଇଁ ସଦର ଏବଂ ବାଂଶପାଳ ବ୍ଲକର ୨୦ଟି ବିଦ୍ୟାଳୟରେ ଲାଗୁ କରାଯିବାକୁ ଯୋଜନା ରହିଛି। କେନ୍ଦୁଝର ଜିଲ୍ଲା ଖଣିଜ ପାଣ୍ଠି ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନର ଏହି ଅଭିନବ ପ୍ରକଳ୍ପକୁ ସହାୟତା ପ୍ରଦାନ କରାଯାଉଛି। ଏହି ପଦକ୍ଷେପ ଚତୁର୍ଥ ଏବଂ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୨୦୨୪ ମସିହାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସଫଳତା ସର୍ବେକ୍ଷଣରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।

Tags: #Education #Student #DigitalEducation #LearningProject

Comment