ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ମାଟିରେ ଫଳୁଛି ବେଦଶୀ ଫଳ। ଛତିଶଗଡ଼ର ଦୁଇଜଣ ଚାଷୀ କୋରାପୁଟରେ ଡ୍ରାଗନ ଏବଂ ପିଜୁଳି ଚାଷ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି।

(ଜୟପୁର): ଛତିଶଗଡ଼ର ହସମୁଖ ଲାଳ ଚୌଡ଼ା ଏବଂ ଅରୁଣ ତ୍ରିପାଠୀ ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମରେ ବାଲାଜୀ କୃଷି ନାମରେ ଏକ ଫାର୍ମ ହାଉସ କରିଛନ୍ତି। ତାଙ୍କ ଫାର୍ମ ହାଉସରେ ଡ୍ରାଗନ ଏବଂ ପିଜୁଳି ଚାଷ କରାଯାଇଛି। କୋରାପୁଟ ମାଟିରେ ଭଲ ଡ୍ରାଗନ ଫଳୁଥିବାରୁ ଏହି ଚାଷ କରିବାକୁ ଚାହୁଁଥିବା ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଫାର୍ମ ହାଉସଟି ୧୧୨ ଏକାର ଜମିରେ ହୋଇଛି। ୧୨ ଏକର ଜମିରେ ଡ୍ରାଗନ ଫଳ ଏବଂ ୫୨ ଏକର ଜମିରେ ହ୍ରାଇବ୍ରିଡ ପିଜୁଳି ଚାଷ କରାଯାଇଛି। ଏଠାରେ ଉତ୍ପାଦିତ ଡ୍ରାଗନ ଏବଂ ପିଜୁଳିକୁ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ କରାଯାଉଛି। ହସମୁଖଲାଲ ଚୌଡ଼ା ଏବଂ ଅରୁଣ ତ୍ରିପାଠୀଙ୍କ ୧୨ ଏକର ଜମିରେ ଡ୍ରାଗନ ଫଳିଥିବାବେଳେ ୫୨ ଏକର ଜମିରେ ଲାଗିଥିବା ୨୪,୫୦୦ଟି ଗଛରେ ପିଜୁଳି ଫଳୁଛି। ଏଥିରୁ ବେଶ୍ ଲାଭବାନ ହେଉଛନ୍ତି ଚାଷୀ।

କେବଳ ଡ୍ରାଗନ ଏବଂ ପିଜୁଳି ଚାଷ ଯୋଗୁଁ ହସମୁଖଲାଲ ଏବଂ ଅରୁଣ ଲାଭବାନ ହେଉନାହାନ୍ତି, ୧୮୦ରୁ ଅଧିକ ଲୋକଙ୍କୁ  ଯୋଜଗାର ଯୋଗାଇଛି ଏହି ଫାର୍ମ ହାଉସ। ବାଲାଜୀ କୃଷି ଫାର୍ମ ନିର୍ମାଣ ହେବା ପରେ ପ୍ରଥମେ ୫୨ ଏକାର ଜମିରେ ଲଙ୍କା ଚାଷ ଏବଂ ୭୫ ଏକର ଜମିରେ ଟମାଟୋ ଚାଷ କରାଯାଇଥିଲା। ଏହି ଚାଷ ଯୋଗୁଁ ଲକ୍ଷାଧିକ ଟଙ୍କା ଲାଭ ହୋଇଥିବା କହିଛନ୍ତି ହସମୁଖଲାଲ ଚୌଡ଼ା ଏବଂ ଅରୁଣ ତ୍ରିପାଠୀ।

ଡ୍ରାଗନ ଏବଂ ପିଜୁଳି ଚାଷର ସଫଳତା ପରେ ଫାର୍ମ ମାଲିକ ଆଗକୁ କଲରା ଚାଷ ପାଇଁ ଜମି ପ୍ରସ୍ତୁତ କରୁଥିବା କହିଛନ୍ତି। ଆଉଁଳି ଗ୍ରାମରେ ବିଦେଶୀ ଫଳ ଫଳିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋରାପୁଟ ମାଟିରେ ବିଦେଶୀ ଫଳ ଉତ୍ପାଦନ କରି ଚାଷୀଙ୍କ ରୋଜଗାରର ବାଟ ଫିଟାଇ ଦେଇଛନ୍ତି ଦୁଇ ସଫଳ ଚାଷୀ ହସମୁଖଲାଲ ଏବଂ ଅରୁଣ।

Tags: #Business #Koraput #DragonFruit #DragonCultivation #FarmHouse

Comment