ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ ମିଡିଆରେ ଅଭିନୟ ତାଙ୍କୁ ଦେଇଛି ଗୋଟିଏ ନୂଆ ପରିଚୟ। ଦମଦାର ଅଭିନୟ ପାଇଁ ଆଜି ଘରେ ଘରେ ପରିଚିତ ହେବାକୁ ଲାଗିଛନ୍ତି ମୟୂରଞ୍ଜ ଜିଲ୍ଲା ବେତନଟି ବ୍ଲକ ଅନ୍ତର୍ଗତ ପୁରୁଣିଆ ଗ୍ରାମ ପଞ୍ଚାୟତର ପୂର୍ଣ୍ଣଚନ୍ଦ୍ର ନାୟକ।

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଦିନେ ଅଭିନୟ ପ୍ରେମରେ ପଡ଼ି ମଞ୍ଚରେ ଅଭିନୟର ଜାଦୁ ଦେଖାଉଥିବା ପୂର୍ଣ୍ଣଚନ୍ଦ୍ର ପରବର୍ତ୍ତି ସମୟରେ ପରିସ୍ଥିତି ଯୋଗୁଁ ଅଭିନୟଠାରୁ ଦୂରେଇ ଯାଇଥିଲେ। କିନ୍ତୁ ତାଙ୍କ ଅଭିନୟ ନିଶା ଦବି ନଥିଲା। ଗାଁର କିଛି ଶିକ୍ଷିତ ଯୁବକଙ୍କ ସହଯୋଗରେ ଇଣ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଥିଲେ। ଯେଉଁଥିରେ ସେ ନିଜ ଅଭିନୟର କିଛି ଭିଡିଓ ସେୟାର କରିଥିଲେ। ତାଙ୍କର ଜୀବନ୍ତ ଅଭିନୟକୁ ଲକ୍ଷ ଲକ୍ଷ ଦର୍ଶକଙ୍କ ପ୍ରଶଂସା ମିଳିଛି। ଏବେ ସେ ଇନଷ୍ଟାଗ୍ରାମରେ ଜଣେ ପରିଚିତ ଚେହେରା ପାଲଟିଯାଇଛନ୍ତି।

ପୂର୍ଣ୍ଣଚନ୍ଦ୍ର ନିଜ ଗାଁ ସ୍କୁଲ ନିକଟରେ ଦୋକାନଟିଏ କରି ଜୀବିକା ନିର୍ବାହ କରନ୍ତି। ପୁନ ଦାଦା ଭାବେ ତାଙ୍କୁ ସମସ୍ତେ ଜାଣନ୍ତି। ପିଲାଟି ଦିନରୁ କଳା ପ୍ରତି ରୁଚି ରଖିଥିବା ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ଗ୍ରାମାଞ୍ଚଳ ଯାତ୍ରାଦଳରେ ଅଭିନୟ କରି ପରିବାର ଚଳାଉଥିଲେ। ବିବାହ ପରେ ଆର୍ଥିକ ଅନଟନ ଯୋଗୁଁ ସେ ଅଭିନୟଠାରୁ ଦୂରେଇ ଯାଇ ରୋଜଗାର ଆଶାରେ ଗୁଜୁରାଟ ଚାଲିଯାଇଥିଲେ। କିନ୍ତୁ କୋଭିଡ ମହାମାରୀ ସମୟରେ ସେ ନିଜ ଗାଁକୁ ଫେରି ଆସିଥିଲେ।

ଗାଁକୁ ଫେରିବା ପରେ ଛୋଟ ଦୋକାନଟିଏ କରିଥିଲେ। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳାନ୍ତି। ସୋସିଆଲ ମିଡିଆରେ ଅଭିନୟ କରି ଲୋକଙ୍କ ପ୍ରଶଂସା ସାଉଣ୍ଟୁଥିବା କଳାକାରମାନଙ୍କ ବିଷୟରେ ଶୁଣି ପୂର୍ଣ୍ଣଚନ୍ଦ୍ର ଏ ଦିଗରେ ପାଦ ଦେବେ ବୋଲି ମନ ବଳାଇଥିଲେ। ଗାଁର କିଛି ଶିକ୍ଷିତ ଯୁବକଙ୍କ ସହଯୋଗରେ ସେ ନିଜ ଅଭିନୟ ଭିଡିଓକୁ ଇଣ୍ଟାଗ୍ରାମରେ ସେୟାର କରି ଦର୍ଶକଙ୍କ ମନ ଜିଣୁଛନ୍ତି। ଦର୍ଶକଙ୍କର ଏତେ ଭଲ ପାଇବା ତାଙ୍କ ଜୀବନକୁ ସାର୍ଥକ କରିଛି ବୋଲି କୁହନ୍ତି ପୂର୍ଣ୍ଣଚନ୍ଦ୍ର ନାୟକ। ଏବେ ପୂର୍ଣ୍ଣଚନ୍ଦ୍ରଙ୍କ ନିକଟକୁ ଅନେକ ଶୁଭେଚ୍ଛା ଏବଂ ଶୁଭକାମନାର ସୁଅ ଛୁଟୁଛି।

ପୂର୍ଣ୍ଣଚନ୍ଦ୍ର ପେଷାଦାର କଳାକାର ନହେଲେ ବି ତାଙ୍କ କଳାନୈପୂଣ୍ୟ କୋଣସି ଗୁଣରେ କମ୍ ନୁହେଁ। ସେ କେବଳ ନିଜକୁ ପରିଚିତ କରିନାହାନ୍ତି ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ଗର୍ବିତ କରିଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି।

Tags: #PurnachandraNayak #Instagram #ViralVideo #Acting #Mayurbhanj

Comment