ସଂଗୀତା ମାନସିଂହ

ରୋଷେଇ ଆସୁନଥିଲା ବୋଲି ଦିନେ ଯିଏ ଶାଶୂଙ୍କଠାରୁ ପଦିଏ ମିଠା ଗାଳି ଶୁଣିଥିଲେ, ଏବେ ତାଙ୍କ ହାତ ରନ୍ଧା ଖାଦ୍ୟ ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା। ଭୁବନେଶ୍ୱରରେ ‘ରୋଜିସ୍ କିଚେନ’ ନାଁରେ ଅନଲାଇନ୍ ଫୁଡ୍ ବିଜନେସ୍ ଆରମ୍ଭ କରି ସରୋଜା ଚୌଧୁରୀ ଆଜି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଦିନେ ରୋଷେଇ ଆସୁନଥିଲା। କିନ୍ତୁ ଆଜି ତାଙ୍କ ହାତ ରନ୍ଧାର ଚର୍ଚ୍ଚା ଚାରିଆଡ଼େ। ରୋଷେଇକୁ ନେଇ ଶାଶୂଙ୍କଠାରୁ ଶୁଣିଥିବା ପଦିଏ ମିଠା ଗାଳି ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେହି ଦିନଠାରୁ ଲାଗି ପଡ଼ିଥିଲେ ରାନ୍ଧଣା ଶିଖିବାକୁ। ପ୍ରେସର କୁକରରେ ମିଳୁଥିବା ଖାଦ୍ୟ ରନ୍ଧା ବହି ହେଉ କିମ୍ବା ବଜାରରେ ମିଳୁଥିବା ରୋଷେଇ ପୁସ୍ତକରୁ ହେଉ, ସେ ଲାଗି ପଡ଼ିଥିଲେ ସୁଆଦିଆ ରାନ୍ଧଣା କୌଶଳ ଶିଖିବାକୁ। ତାଙ୍କ ହାଣ୍ଡିଶାଳର ସୁଆଦିଆ ରାନ୍ଧଣା ତାଙ୍କୁ ଦେଇଛି ସ୍ଵତନ୍ତ୍ର ପରିଚୟ ଏବଂ ପ୍ରତିଷ୍ଠା।

ଭୁବନେଶ୍ୱରରେ ‘ରୋଜିସ୍ କିଚେନ’ ନାଁରେ ଅନଲାଇନ ଫୁଡ ବିଜନେସ ଆରମ୍ଭ କରି ସରୋଜା ଚୌଧୁରୀ ଏବେ ହୋଇପାରିଛନ୍ତି ଜଣେ ସଫଳ ମହିଳା ଉଦ୍ୟୋଗୀ। ତାଙ୍କ ଉଦ୍ୟମ କେବଳ ତାଙ୍କୁ ପରିଚୟ ଦେବାରେ ସୀମିତ ରହିନାହିଁ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଉଛି।

ଫୁଡ ବିଜନେସ କ୍ଷେତ୍ରରେ ଯେତେବେଳେ ସେ ପ୍ରବେଶ କରିବାକୁ ଚାହୁଁଥିଲେ, ପରିବାରର ସହଯୋଗ ମିଳିନଥିଲା। ତଥାପି ହାରି ଯାଇନଥିଲେ। ନିଜ ଘରୁ ହିଁ ଏହି ବ୍ୟବସାୟ ଆରମ୍ଭ କରିବାକୁ ପଦକ୍ଷେପ ନେଇଥିଲେ। ଘରେ ଥିବା ଡାଲି, ଚାଉଳ, ଅଟା ଏବଂ ରୋଷେଇ ସାମଗ୍ରୀରେ ନିଜ ହାତର ଯାଦୁ ଭରିଥିଲେ। ‘ରୋଜିସ୍ କିଚେନ’ ନାଁରେ ଲୋକଙ୍କୁ ଅର୍ଡର ଯୋଗାଇବା ଆରମ୍ଭ କରିଥିଲେ ବୋଲି କୁହନ୍ତି ରୋଜିସ୍ କିଚେନର ପ୍ରତିଷ୍ଠାତା ସରୋଜା ଚୌଧୁରୀ।

“ଧୀରେ ଧୀରେ ‘ରୋଜିସ କିଚେନ’ ବିଷୟରେ ଲୋକେ ଜାଣିଲେ ଏବଂ ଖାଦ୍ୟ ଅର୍ଡର କଲେ। କିନ୍ତୁ କୋଭିଡ ସମୟର ଅନୁଭୂତି ଟିକିଏ ଭିନ୍ନ ଥିଲା। ରାଜଧାନୀରେ କୋଭିଡ ମହାମାରୀ ଯୋଗୁଁ କୋକୁଆ ଭୟ ଦେଖା ଦେଇଥିବାବେଳେ ଡାକ୍ତର, କୋଭିଡ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କୁ ଖାଇବା ଯୋଗାଇଛି। ଲକଡାଉନ ଏବଂ ସଟଡାଉନ ଯୋଗୁଁ ବଜାର ହାଟ ବନ୍ଦ ସାଂଗକୁ ଘରେ ଏକୁଟିଆ ଏହି ସମୟରେ ଖୁବ କଷ୍ଟ କରିବାକୁ ପଡ଼ିଛି, କିନ୍ତୁ ଭୋକିଲାଙ୍କ ମୁହଁରେ ମୋ ଯୋଗୁଁ ଟିକିଏ ହସ ଫୁଟିଥିବାରୁ ମୋର ସବୁ କଷ୍ଟକୁ ମୁଁ ଭୁଲିଯାଇଛି”, କୁହନ୍ତି ସରୋଜା ଚୌଧୁରୀ।

‘ରୋଜିସ୍ କିଚେନ’ରେ ଇଣ୍ଡିଆନ, ଚାଇନିଜ, ତନ୍ଦୁର ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୁଏ। ଏହାରି ମଧ୍ୟରେ ସରୋଜା ଚୌଧୁରୀଙ୍କ ହାତ ତିଆରି ଖିର ପୋଡ଼ପିଠାର ଚାହିଦା ଅଧିକ ରହିଛି। ସ୍ଵତନ୍ତ୍ର ପ୍ରଣାଳୀ ଏବଂ ଶୈଳୀରେ ଏହି ଖିର ପୋଡ଼ପିଠା ପ୍ରସ୍ତୁତ ହୋଇଥାଏ। ପୁରୀ ଗଜପତି ମହାରାଜା, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ବଲିଉଡ ଷ୍ଟାର କପଲ ଅଜୟ ଦେବଗନ ଏବଂ କାଜୋଲ ମଧ୍ୟ ‘ରୋଜିସ କିଚେନ’ର ଏହି ଖିର ପୋଡ଼ପିଠା ସହ ଅନ୍ୟାନ୍ୟ ଖାଦ୍ୟର ସ୍ଵାଦ ଚାଖି ପ୍ରଂଶସା କରିଛନ୍ତି।

ପ୍ରଥମେ ୨୦୧୨ ମସିହାରେ ଛୋଟ ଆକାରରେ ସରୋଜା ଚୌଧୁରୀ ନିଜ ଘରୁ ଫୁଡ ବିଜନେସ ଆରମ୍ଭ କରିଥିଲେ। ବ୍ୟବସାୟ ବଢ଼ିବା ପରେ ପରିବାର ଲୋକ ପରାମର୍ଶ ଦେଇଥିଲେ ଅନ୍ୟତ୍ର ବ୍ୟବସାୟ ସଂପ୍ରସାରଣ କରିବାକୁ। କିନ୍ତୁ ଏହା ସମ୍ଭବପର ହୋଇନଥିବାରୁ କିଛି ଦିନ ପାଇଁ ସେ ବ୍ୟବସାୟଠାରୁ ଦୂରେଇ ରହିଥିଲେ। ଏହା ପରେ ୨୦୧୬ ମସିହାରେ ଯୋଗ କୋର୍ସରେ ଉତୀର୍ଣ୍ଣ ହେବା ପରେ ନିଜର ଗୋଟିଏ ଯୋଗ ପ୍ରଶିକ୍ଷଣ କେନ୍ଦ୍ର କରିବାକୁ ଚିନ୍ତା କରିଥିଲେ। କିନ୍ତୁ ଶେଷରେ ନିଷ୍ପତ୍ତି ନେଇଥିଲେ ‘ରୋଜିସ୍ କିଚେନ’ ଆରମ୍ଭ କରିବାକୁ।

“ଯେକୌଣସି କାମ ଆରମ୍ଭ କରିବାକୁ ହେଲେ ସେଥିପାଇଁ ପ୍ରଥମେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଯେମିତି କୌଣସି ପରିସ୍ଥିତିରେ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ସବୁ କାମରେ ନିଜର ନିଷ୍ଟା ଏବଂ ଚେଷ୍ଟା ନିଶ୍ଚିତ ଭାବେ ଜଣେ ମଣିଷକୁ ସଫଳତା ଦେଇଥାଏ”, କୁହନ୍ତି ରୋଜିସ୍ କିଚେନର ପ୍ରତିଷ୍ଠାତା ସରୋଜା ଚୌଧୁରୀ।

ରାଜଧାନୀ ଭୁବନେଶ୍ଵରରୁ ଆରମ୍ଭ ହୋଇଥିବା ‘ରୋଜିସ କିଚେନ’ରୁ ବାର୍ଷିକ କୋଟିଏରୁ ଅଧିକ ଟଙ୍କା ରୋଜଗାର କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ। ରୋଜିସ କିଚେନର ସ୍ଵାଦ ଏବେ ଓଡ଼ିଶା ତଥା ରାଜ୍ୟ ବାହାରେ ପ୍ରଶଂସା ପାଇଛି। ଆଗକୁ ନିଜର କିଚେନକୁ ଅଧିକ ସଂପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି ସରୋଜା ଚୌଧୁରୀ।

Tags: #OdiaFood #RosysKitchen #FoodBusiness #OdiaFoodies #FoodiesOfOdisha #Odiadelicacies #OnlineFoodBusiness

Comment