ବିଶ୍ଵଜିତ ସାହୁ

ଚାଉଳ ପୋଡ଼ଠାରୁ କାଞ୍ଜି ତୋରାଣି, ପୋଇ ଚିଙ୍ଗୁଡ଼ି ସାଙ୍ଗକୁ ମହୁରାଳୀ ଝୁର୍‌ଝୁରା। ଏମିତି ଭଳିକି ଭଳି ଓଡ଼ିଆ ପାରମ୍ପରିକ ଖାଦ୍ୟର ଆସର ନେଇଆସିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ଓଡ଼ିଆ ଖାଦ୍ୟର ଲୋକପ୍ରିୟତା ବୃଦ୍ଧି ସହ ସୁବିଧାରେ ଏହାକୁ ଉପଲବ୍ଧ କରାଇବା ପାଇଁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଭୁବନେଶ୍ଵରସ୍ଥିତ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପାଖରେ ଏହି ରେସ୍ତୋରାଁଟି ଖୋଲିଛି।ଓଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ନିମନ୍ତ୍ରଣ’ ରେସ୍ତୋରାଁକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ଓଟିଡିସିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇବା ସହ ‘ନିମନ୍ତ୍ରଣ’ ଜରିଆରେ ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନକୁ ପ୍ରୋତ୍ସାହନ କରିଥିବାରୁ ଓଟିଡିସିର ପ୍ରଶଂସା କରିଥିଲେ। ଏଭଳି ଅଭିନବ ଉଦ୍ୟମ ଆଗାମୀ ଦିନରେ ଓଡ଼ିଶାର ମାନକୁ ଭାରତ ପର୍ଯ୍ୟଟନରେ ଆହୁରି ଉଚ୍ଚା କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ପୁରୀ ଓ ସମ୍ଵଲପୁରରେ ଖୋଲିବ ‘ନିମନ୍ତ୍ରଣ’ ରେସ୍ତୋରାଁ

“ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନର ସ୍ଵାଦ ସହ ଭୁବନେଶ୍ୱରରେ ଓଟିଡିସି ପକ୍ଷରୁ ‘ନିମନ୍ତ୍ରଣ’ର ପ୍ରଥମ ଆଉଟଲେଟ୍ ଖୋଲିଛି। ଆଗକୁ ପୁରୀର ବ୍ଲୁ-ଫ୍ଲାଗ୍ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀ ପ୍ୟାଲେସ୍ ପାଖରେ ନିମନ୍ତ୍ରଣର ଆଉ ଦୁଇଟି ଆଉଟଲେଟ୍ ଖୋଲିବ। ଏହାଦ୍ଵାରା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ବିଷୟରେ ଜାଣିବା ସହ ତାହାର ସ୍ଵାଦ ପାଇପାରିବେ। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାର ଲୋକମାନେ ମଧ୍ୟ ‘ନିମନ୍ତ୍ରଣ’ ଜରିଆରେ ଅନ୍ୟ ଜିଲ୍ଲାର ପ୍ରସିଦ୍ଧ ଖାଦ୍ୟର ସ୍ଵାଦ ପାଇପାରିବେ”, କହିଥିଲେ ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।ସେ ଆହୁରି ମଧ୍ୟ କହିଥିଲେ ଯେ, କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ପର୍ଯ୍ୟଟନ କ୍ଷେତ୍ରକୁ ପୁନଃଉଦ୍ଧାର କରିବା ପାଇଁ କଟକ ମହାନଦୀଠାରେ ଥିବା ସିଲ୍‌ଭର ସିଟି ବୋଟ୍ କ୍ଲବ୍, ପୁରୀର ବ୍ଲୁ ଫ୍ଲାଗ୍ ବେଳାଭୂମି ଓ ଚନ୍ଦ୍ରଭାଗା ବେଳାଭୂମିରେ ଓଟିଡିସି ପକ୍ଷରୁ ସ୍ଵତନ୍ତ୍ର ଖାଦ୍ୟପାନୀୟ ବ୍ୟବସ୍ଥା କରାଯାଇଛି। ସେହିପରି ଶୁଦ୍ଧ ଓଡ଼ିଆ ବ୍ୟଞ୍ଜନ ପ୍ରଣାଳୀକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ନିଗମ ପକ୍ଷରୁ ‘ଆମ ହାଣ୍ଡିଶାଳ’ ନାମରେ ଏକ ରନ୍ଧନ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା। ରଜ ବେଳେ ‘ପିଠା ଅନ୍ ହ୍ଵିଲ୍’ ଜରିଆରେ ପୋଡ଼ପିଠା ସହ ଓଡ଼ିଶାର ଅନେକ ପାରମ୍ପରିକ ପିଠା ଲୋକଙ୍କ ପାଖରେ ପହଞ୍ଚି ପାରିଥିଲା। ତେଣୁ ଓଟିଡିସିର ଏହି ‘ନିମନ୍ତ୍ରଣ’ ରେସ୍ତୋରାଁ ଓଡ଼ିଆ ଖାଇବାକୁ ଆହୁରି ଲୋକପ୍ରିୟ କରାଇବାରେ ନିଶ୍ଚେ ସଫଳ ହେବ।‘ନିମନ୍ତ୍ରଣ’ ମେନୁରେ ଓଡ଼ିଆ ଖାଦ୍ୟ

ନିମନ୍ତ୍ରଣ ରେସ୍ତୋରାଁରେ ପର୍ଯ୍ୟଟକମାନେ ଉଭୟ ଆମିଷ ଏବଂ ନିରାମିଷ ମେନୁରେ ଭଳିକି ଭଳି ଓଡ଼ିଆ ଖାଦ୍ୟର ସ୍ଵାଦ ପାଇପାରିବେ। ନିମନ୍ତ୍ରଣର ମେନୁରେ ରହିଛି – ରସଗୋଲା, ଛେନାପୋଡ଼, କ୍ଷୀରସାଗର, ସୁଆଁଖିରୀ, ଟଙ୍କ ତୋରାଣି, ମିଠା ଲସି, ଖାସି ମାଂସ କଷା, ମୁଢ଼ୀ ମାଂସ, କୁକୁଡ଼ା ବେସର, ଚିକେନ ପତ୍ରପୋଡ଼ା, ପୋହଳା ବେସର, ମାଛ ଆମ୍ଵିଳ, ରୋହି ମାଛ ଭଜା, କଙ୍କଡ଼ା ଝୋଳ, ଚିଙ୍ଗୁଡ଼ି ମଲାଇ, ପୋଇ ଚିଙ୍ଗୁଡ଼ି, ଛତୁ ବେସର, ଡାଲମା, ସନ୍ତୁଳା, କଦଳୀ ମଞ୍ଜା ରାଇ, ଘାଣ୍ଟ ତରକାରୀ, ଦହି ବାଇଗଣ, ଜହ୍ନି ଆଳୁ ପୋସ୍ତକ, ଶାଗ ଭଜା, ଚକୁଳି ପିଠା, ପୁରି, କାନିକା, ପଖାଳ ଭାତ (ଆମିଷ ଏବଂ ନିରାମିଷ ସହ), ଦହିବରା ଆଳୁଦମ୍, ବରା ଘୁଗୁନି, ମହୁରାଳୀ ଝୁର୍‌ଝୁରା, ଚିଙ୍ଗୁଡ଼ି ଛେଚା କାକରା, ଚିଲିକା ଚିଙ୍ଗୁଡ଼ି ସାଲାଡ୍, ପୁରଦିଆ ଚକୁଳି, ନଡ଼ିଆ ବରା, ବଡ଼ି ଚୁରା, କାଞ୍ଜି ତୋରାଣି, ମାଣ୍ଡିଆ ସୁପ୍ ଇତ୍ୟାଦି। ରେସ୍ତୋରାଁର ନାମ ‘ନିମନ୍ତ୍ରଣ’ ହେବାର କାରଣ

ରେସ୍ତୋରାଁର ନାମକୁ ‘ନିମନ୍ତ୍ରଣ’ ରଖାଯିବା ନେଇ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର କହିଛନ୍ତି, “ଓଡ଼ିଆର ନିଜସ୍ଵ ଖାଦ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ହେଉଥିବା ରେସ୍ତୋରାଁର ନାମକୁ କିଛି ଭିନ୍ନ କରିବାକୁ ଚାହୁଁଥିଲୁ। ଯେମିତି ଏହା ପର୍ଯ୍ୟଟକମାନଙ୍କୁ ଓଡ଼ିଶାକୁ ବହୁଳ ଭାବେ ଆକୃଷ୍ଟ କରିପାରିବ ସେଥିପାଇଁ ରେସ୍ତାରାଁର ନାମ ‘ନିମନ୍ତ୍ରଣ’ ରଖାଯାଇଛି। ଏଥିସହ ଓଡ଼ିଶା ପର୍ଯ୍ୟଟନର ମୂଳମନ୍ତ୍ର ‘ଅତିଥି ଦେବୋ ଭବ’ ଆଧାରରେ ପର୍ଯ୍ୟଟକଙ୍କୁ ରେସ୍ତୋରାଁ ଓଟିଡିସି ତରଫରୁ ଆମେ ନିମନ୍ତ୍ରଣ କରୁଛୁ।୧୨୫ କିଲୋର ପୋଡ଼ପିଠାରେ ଓଡ଼ିଶା ମାନଚିତ୍ର

ଶୁକ୍ରବାର ଓଟିଡିସି ତାର ୪୨ତମ ପ୍ରତିଷ୍ଠା ଦିବସ ପାଳିଛି। ଏହିଲାଗି ନିଗମ ପକ୍ଷରୁ ନୂଆକରି ଖୋଲିଥିବା ‘ନିମନ୍ତ୍ରଣ’ ରେସ୍ତୋରାଁରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଥିଲା। ପ୍ରତିଷ୍ଠା ଦିବସକୁ ନିଆରା କରିବାକୁ ରେସ୍ତୋରାଁରେ ଓଡ଼ିଶା ମାନଚିତ୍ର ଆକୃତିରେ ଏକ ବିରାଟ ପୋଡ଼ପିଠା ପ୍ରସ୍ତୁତ ହୋଇଥିଲା। ଏହାର ଓଜନ ରହିଥିଲା ୧୨୫ କିଲୋଗ୍ରାମ। ଦୁଇଟି ପରସ୍ତରେ ପିଠାକୁ ଡିଜାଇନ୍ କରାଯାଇଥିଲା, ଯେଉଁଥିରେ ତଳ ପରସ୍ତର ଗୋଟିଏ ପାଖ ସବୁଜିମା ରହିଥିବା ବେଳେ ଆରପାଖରେ ରହିଥିଲା ନୀଳ ସମୁଦ୍ର। ସେହିପରି ଉପର ପରସ୍ତରେ ଓଡ଼ିଶା ମାନଚିତ୍ର ରହଥିଲା। ଏହାକୁ ବିଭିନ୍ନ ପ୍ରକାର ଡ୍ରାଏଫ୍ରୁଟ୍‌ରେ ସଜ୍ଜା ଯାଇଥିଲା। ‘ନିମନ୍ତ୍ରଣ’ର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାଟିଥିଲେ।‘ନିମନ୍ତ୍ରଣ’ କାନ୍ଥରେ ଓଡ଼ିଶାର ଝଲକ୍

‘ନିମନ୍ତ୍ରଣ’ ରେସ୍ତୋରାଁକୁ ଆକର୍ଷଣୀୟ କରିବା ଲାଗି ଏଥିରେ ଓଡ଼ିଆ ସଂସ୍କୃତିର ଝଲକ୍ ଦିଆଯାଇଛି। ଏଥିପାଇଁ ରେସ୍ତୋରାଁର ଟେବୁଲଗୁଡ଼ିକୁ ସମ୍ଵଲପୁରୀ ପାଟ କନାରେ ସଜାଯାଇଛି। ସେହିପରି ରେସ୍ତୋରାଁର କାନ୍ଥରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଫଟୋଚିତ୍ର ଟଙ୍ଗା ଯାଇଛି। ଏହା ରେସ୍ତୋରାଁକୁ ଏକ ନିଆରା ରୂପ ଦେଇଛି।

Comment