ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ହୋଇଛି ଧାମନଗର ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଜୟ ରଣନୀତି। କିଏ ଜିତିବ ଆଉ କିଏ ହାରିବ ସେ ନେଇ ଚାଲିଛି ଅଙ୍କକଷା। ଖାଲି ଅପେକ୍ଷା ଧାମନଗର ଭୋଟର କାହା ଉପରେ କରୁଛନ୍ତି ଭରସା।

ଆସନ୍ତା ନଭେମ୍ବର ୩ ତାରିଖରେ ଖାଲିପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ କୌଣସି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନାହାନ୍ତି। ଉପନିର୍ବାଚନ ଲାଗି ଚଳଚଞ୍ଚଳ ହୋଇଉଠିଛି ଧାମନଗର। ଉପନିର୍ବାଚନ ବିଜୟ ପାଇଁ ତିନି ପ୍ରମୁଖ ଦଳ ପକ୍ଷରୁ ଚାଲିଛି ଅଙ୍କକଷା।

ଏଥର ବିଜେଡି-ବିଜେପି ଲଢ଼େଇ

ବିଧାନସଭା ଉପନିର୍ବାଚନ ପାଇଁ ସରଗରମ ହୋଇଛି ଧାମନଗର ରାଜନୀତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ପ୍ରସ୍ତୁତ ହେଉଛି ବିଜୟ ରଣନୀତି। ବିଜେପି ପୁଣିଥରେ ଏହି ଆସନ ହାତେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ବିଜେଡି ପକ୍ଷରୁ ମଧ୍ୟ ଧାମନଗର ବିଧାନସଭା ଆସନ ଅକ୍ତିଆର ଲାଗି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଗତ ନିର୍ବାଚନଗୁଡ଼ିକରେ କଂଗ୍ରେସର ସ୍ଥିତି ଭଲ ନଥିବାବେଳେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା ଚଳାଇଛି ଦଳ। ଏହି ଉପନିର୍ବାଚନରେ ବିଜେଡି ଏବଂ ବିଜେପି ମଧ୍ୟରେ ନିର୍ବାଚନ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି।

ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଥିବାରୁ ଉଭୟ ବିଜେପି ଏବଂ ବିଜେଡି ପାଇଁ ଧାମନଗର ଉପନିର୍ବାଚନ ଏକ ଅଗ୍ନୀ ପରୀକ୍ଷା ସଦୃଶ ହେବ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କାରଣ ନିର୍ବାଚନ ଫଳାଫଳରୁ ଜଣାପଡ଼ିଯିବ କାହାର ଲୋକପ୍ରିୟତା କେତେ ରହିଛି ଏବଂ କିଏ ୨୦୨୪ ନିର୍ବାଚନରେ ବାଜି ମାରିବ। ନିଜ ନିଜ ଦଳକୁ ଧାମନଗର ମାଟିରେ ବିଜୟୀ କରିବାକୁ ପ୍ରୟାସ ଜାରି ରହିଥିବାବେଳେ ଦାୟିତ୍ଵ ମଧ୍ୟ ବଣ୍ଟା ସରିଛି।

ବିଜେପି ଟାର୍ଗେଟରେ ଅନୁକମ୍ପା ଭୋଟ

ଗତ ସେପ୍ଟେମ୍ବର ୧୯ ତାରିଖରେ କିଡନୀ ରୋଗରେ ପୀଡ଼ିତ ହୋଇ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ତାଙ୍କ ବିୟୋଗ ପରେ ଖାଲିପଡ଼ିଥିବା ଏହି ଆସନ ପାଇଁ ହେବ ଉପନିର୍ବାଚନ। ନିର୍ବାଚନ ଲଢ଼ିବାକୁ ସବୁ ଦଳ ପ୍ରସ୍ତୁତ ହେଉଥିବାବେଳେ ଅନୁକମ୍ପାମୂଳକ ଭୋଟ ପାଇ ବିଜେପି ବିଜୟ ଲକ୍ଷ୍ୟ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ବିଜେପି ପ୍ରାର୍ଥୀ ହେବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ଧାମନଗରରେ ବିଷ୍ଣୁ ଚରଣ ସେଠୀଙ୍କ ଲୋକ ପ୍ରିୟତା ତାଙ୍କ ପୁଅକୁ ବିଜୟୀ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି ବିଜେଡି

ଧାମନଗର ବିଧାନସଭା ଉପନିର୍ବାଚନରେ ବିୟଜ ହାସଲ କରିବାକୁ ବିଜେଡି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହେବା ସହ ବ୍ଲୁ-ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବୈଠକ ଡକାଇ ନିର୍ବାଚନ ରଣକୌଶଳ ଉପରେ ଗୁରୁତ୍ଵ ଦେଉଛନ୍ତି।

ଦଳୀୟ ସଂଗଠନରେ ତାଳମେଳ ଅଭାବରୁ ବିଜେଡିକୁ ଗତ ଥର ଧାମନଗର ବିଧାନସଭା ଆସନ ହରାଇବାକୁ ପଡ଼ିଥିବା କୁହାଯାଉଛି। ତେଣୁ ଏଥର ଏହାର ପୁନରାବୃତ୍ତି ନକରିବାକୁ ସଜାଗ ରହିଛି ଦଳ। ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ପକ୍ଷରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବାବେଳେ ଅନେକଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ଏହି ରେସରେ ରହିଛନ୍ତି ଧାମନଗର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାଶ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ଏବଂ ଯୁବ ଚେହେରା ଭାବେ ସଞ୍ଜୟ ଦାଶ। ରାଜନ୍ଦ୍ରେ ଦାଶ ଏବଂ ମୁକ୍ତିକାନ୍ତଙ୍କର ରାଜନୈତିକ ଅଭିଜ୍ଞତା ରହିଥିବାବେଳେ ସଞ୍ଜୟ ଦାଶଙ୍କ ପାଇଁ ବିଜେଡିର ଟାଣୁଆ ନେତାମାନେ ଲବି ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି। ବିଜେଡି ଯୁବଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଉଥିବାରୁ ସଞ୍ଜୟଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ଗତ ବିଧାନସଭା ନିର୍ବାଚନରେ ବିଜେଡି ନିରାଶ ହୋଇଥିଲେ ମଧ୍ୟ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ରେର୍ଡ ବିଜୟ ହାସଲ କରିଥିଲା। ଧାମନଗରରେ ବିଜେଡିର ସଂଗଠନ ମଧ୍ୟ ପ୍ରଭାବଶାଳୀ ରହିଛି। ଏଥର ତାଳମେଳ ଠିକ୍ ରହିଲେ ବିଜେଡି ଧାମନଗର ବିଧାନସଭା ନିର୍ବାଚନରେ ବିଜୟୀ ହୋଇପାରିବ ବୋଲି କୁହାଯାଉଛି।

ପଛରେ ନାହିଁ କଂଗ୍ରେସ

ଧାମନଗର ମଇଦାନରେ ବିଜୟୀ ହେବାକୁ ବିଜେପି ଏବଂ ବିଜେଡି ରଣନୀତି ପ୍ରସ୍ତୁତ କରୁଥିବାବେଳେ କଂଗ୍ରେସ ବି ଏହି ମାମଲାରେ ପଛରେ ନାହିଁ। ଧାମନଗର ବିଧାନସଭା ଆସନରୁ ଲଢ଼ିବା ପାଇଁ କଂଗ୍ରେସର ଅନେକ ଆଶାୟୀଙ୍କ ନାଁ ଚର୍ଚ୍ଚାରେ ରହିଛି।। କୁହାଯାଉଛି ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସ ନେତା ବିଦ୍ୟାଧର ଜେନା ଏଥର ପୁଣି ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି। କେବଳ ସେତିକି ନୁହେଁ କଂଗ୍ରେସର ବରିଷ୍ଠ ନେତା ଅନନ୍ତ ସେଠୀ ଏବଂ ତାଙ୍କ ଝିଅ ମଧୁମିତା ସେଠୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ମଧୁମିତା ସେଠୀ ୨୦୧୯ରେ ଭଦ୍ରକ ଲୋକସଭା ଆସନରେ କଂଗ୍ରେସ ଟିକଟରୁ ଲଢ଼ି ପରାସ୍ତ ହୋଇଥିଲେ। ତେବେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଚୂଡ଼ାନ୍ତ ହୋଇନାହିଁ।

ଧାମନଗର ଉପନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ୬ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଥିବାବେଳେ ନିର୍ବାଚନ ପ୍ରଚାର ଦାୟିତ୍ଵରେ ରହିଛନ୍ତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ରାଉତ ଏବଂ ଜଗନ୍ନାଥ ପଟ୍ଟନାୟକ।

ଏ କ୍ଷେତ୍ରରେ ବି ପଛୁଆ ନାହିଁ ବିଜେଡି। କିଏ କେଉଁ ଅଞ୍ଚଳ ଦାୟିତ୍ଵରେ ରହିବ ନିଷ୍ପତ୍ତି ହୋଇଛି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ ୬ ନମ୍ବର ଜିଲ୍ଲା ପରିଷଦ ଜୋନର ଦାୟିତ୍ଵ ଦିଆଯାଇଥିବାବେଳେ ବିଧାୟକ ବ୍ୟୋମକେଶ ରାୟଙ୍କୁ ମିଳିଛି ୭ ନମ୍ବର ଜୋନ ଦାୟିତ୍ଵ। ସେହିପରି ଧାମନଗର ବ୍ଲକରେ ଥିବା ୪ଟି ଜିଲ୍ଲା ପରିଷଦ ଜୋନରେ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଅମର ଶତପଥୀ ଏବଂ ପ୍ରମିଳ ମଲ୍ଲିକଙ୍କୁ ଦାୟିତ୍ଵ ଦିଆଯାଇଛି।

କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ଏବଂ କିଏ ଜିତିବ ଧାମନଗର ବିଧାନସଭା ଆସନ ତା’ ଉପରେ ଏବେ ସମସ୍ତଙ୍କ ନଜର।

Tags: #Politics #OdishaPolitics #Election #ByElection #DhamnagarByElection #BJD #BJP #Congress

Comment