ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ। ଦଳୀୟ ବିଧାୟକ, କର୍ମୀ ଏବଂ ସମର୍ଥକଙ୍କ ଗହଣରେ ନିରାଡ଼ମ୍ବର ଭାବେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳାୟରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସୂରଜ।

ଏହି ଅବସରରେ ସୂରଜଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି, ବିଜେପି ନେତା ଅଭିମନ୍ୟୁ ସେଠୀ, ବରିଷ୍ଠ ବିଜେପି ନେତା ମନମୋହନ ସାମଲ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ବଦ୍ରିନାରାୟଣ ଧଳ, ଦଳୀୟ କର୍ମୀ ଓ ସହଯୋଗୀ ଉପସ୍ଥିତ ଥିଲେ।

ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ବିଜୟ ନିମନ୍ତେ ଦଳ ପକ୍ଷରୁ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି। ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ସୂରଜ ନିଜ ମା’ ଓ ଭଉଣୀଙ୍କ ସହ ପିତାଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରୁ ଫେରି ନିଜ ବାସଭାବନରେ ବାପାଙ୍କ ଫଟୋରେ ପୁଷ୍ପମାଲ୍ୟାର୍ପଣ କରି ପ୍ରାର୍ଥିପତ୍ର ଦାଲକ କରିବାକୁ ବାହାରି ଥିଲେ।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗତ ୭ ତାରିଖ ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଆଜି ବିଜେପି ପ୍ରାର୍ଥୀ ସୂରଜ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନାହାନ୍ତି।

ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

ଗତ ସେପ୍ଟେମ୍ବର ୧୯ ତାରିଖରେ କିଡନୀ ରୋଗରେ ପୀଡ଼ିତ ହୋଇ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ଖାଲିପଡ଼ି ଥିବାରୁ ଏହି ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି।

ବିଷ୍ଣୁ ଚରଣ ସେଠୀ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୦୦ ମସିହାରେ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ ମସିହାରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରୁଥିଲେ। ରାଜନୈତିକ ଜୀବନ ପୂର୍ବରୁ ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଥିଲେ ବିଷ୍ଣୁ ରଚଣ ସେଠୀ। ପରେ ସେ ବିଜେପି ଯୁବ ମୋର୍ଚ୍ଚାରେ ସାମିଲ ହୋଇଥିଲେ।

Tags: #Politics #OdishaPolitics #Election #ByElection #DhamnagarByElection #BJP #BJD #Congress

Comment