ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଶେଷ ଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ଏବଂ ସ୍ଵାଧୀନ ପ୍ରାର୍ଥୀ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର (ରାଜୁ) ଦାସ। ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଶୁକ୍ରବାର ଦିନ ଦଳୀୟ ମନ୍ତ୍ରୀ, ବିଧାୟକ ଏବଂ କର୍ମୀମାନଙ୍କ ଗହଣରେ ଯାଇ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ।

ସେହିପରି ନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ରାଜେନ୍ଦ୍ର ଦାସ। ବିଜେଡିରୁ ଟିକେଟ ନମିଳିବାରୁ ସ୍ୱାଧୀନ ଭାବେ ସେ ନିର୍ବାଚନ ଲଢ଼ୁଥିବା କହିଛନ୍ତି।

ଗତ ସେପ୍ଟେମ୍ବର ୧୯ ତାରିଖରେ ବିଜେପିର ଧାମନଗର ବିଧାୟକ ତଥା ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀଙ୍କର ବିୟୋଗ ଘଟିଲା। ଏହି ଆସନରେ ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି।

ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ଗତ ୭ ତାରିଖ ଦିନ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି।

ଆସନ୍ତା ୧୫ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୧୭ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

Tags: #Politics #DhamnagarPolitics #Nomination #Election #DhamnagarByElection #BJD #BJP #Congress #Swadhin

Comment