କପିଳାସ ଭୂୟାଁ

ଗତ ଶୁକ୍ରବାର ଦିନ ଭୁବନେଶ୍ଵରର ସିନେପଲିସ ପ୍ରେକ୍ଷାଳୟରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୃଷ୍ଣା’ର ପ୍ରିମିଅର ସୋ’ ହୋଇଥିଲା। ଚଳଚ୍ଚିତ୍ରଟିକୁ ଦେଖିଲା ପରେ ଏହାକୁ ନିର୍ଦ୍ଵନ୍ଦ୍ଵରେ ଗୋଟିଏ ଭଲ ଓଡ଼ିଆ ଚଳଚ୍ଚିତ୍ର ବୋଲି କହିହେବ।

ଓଡ଼ିଆରେ ଭଲ ଚଳଚ୍ଚିତ୍ର ପାଇଁ ଢେର ଖୋଜିବାକୁ ପଡ଼େ। ଆମେ ଏଠାରେ କଳାତ୍ମକ ଚଳଚ୍ଚିତ୍ର କଥା ଆଦୌ କହୁନାହୁଁ। ମୁଖ୍ୟସ୍ରୋତର ମନୋରଞ୍ଜନଧର୍ମୀ ଭଲ ଚଳଚ୍ଚିତ୍ରଟିଏ ଖୋଜି ପାଇବା କିଛି ବର୍ଷ ପୂର୍ବରୁ ସହଜ କଥା ନଥିଲା। ମନୋରଞ୍ଜନଧର୍ମୀ ବା ଯାହାକୁ ବ୍ୟବସାୟିକ ଚଳଚ୍ଚିତ୍ର ବୋଲି କୁହାଯାଏ, ତାକୁ ତିଆରି କରୁଥିବା ନିର୍ଦ୍ଦେଶକମାନେ ସେ ସ୍ଥାନୀୟ ହୋଇଥାନ୍ତୁ ବା ଦକ୍ଷିଣୀ ସିନେମା ଇଣ୍ଡଷ୍ଟ୍ରିରୁ ନାଚମାଷ୍ଟର ହୋଇ ଆସି ଏଠାରେ ନିର୍ଦ୍ଦେଶକ ବନିଥାନ୍ତୁ, କେବଳ ପ୍ରେମ ଓ ପ୍ରତିହିଂସାର ଘଷାପିଟା କାହାଣୀ ଦେଖେଇ ଦେଖେଇ ଓଡ଼ିଆ ଦର୍ଶକମାନଙ୍କୁ ଦରମରା କରି ଆସୁଥିଲେ ଓ ଏବେ ବି ସେହି ଭଳି କରିବାକୁ ଚେଷ୍ଟା କରୁଛନ୍ତି। କେବଳ କେତେଜଣ ଚଳଚ୍ଚିତ୍ର ବିତରକଙ୍କୁ ହାତ କରି ଅଳ୍ପ କେତେଜଣ ପ୍ରଯୋଜକ ନିଜ ନିଜ ଲାଭ ଛଡ଼ା ଆଉ କିଛି ନଭାବି ସେଭଳି ଚଳଚ୍ଚିତ୍ର କରିବାରେ ମାତି ଥିଲେ। ଯାହା ହେଉ କୋଭିଡ କଟକଣା ଯୋଗୁଁ ସେଥିରେ ରୋକ ଲାଗିଲା–ପ୍ରେକ୍ଷାଳୟକୁ ଯାଇ ଓଡ଼ିଆ ଚଳଚ୍ଚିତ୍ର ଦେଖିବାକୁ ବିଶେଷ କେହି ଆଉ ଆଗ୍ରହୀ ହେଲେ ନାହିଁ।

ତେବେ ମନୋରଞ୍ଜନ ଲୋକମାନଙ୍କର ବିଶେଷ ଆବଶ୍ୟକତା ହୋଇଥିବାରୁ ଟିଭି ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମରେ ଚଳଚ୍ଚିତ୍ର ରିଲିଜ ହେଲା। ପରିସ୍ଥିତିର ଲାଭ ଉଠାଇବା ପାଇଁ କେତେକ ଟିଭି ଚ୍ୟାନେଲ ଓ ଓଟିଟି ପ୍ଲାଟଫର୍ମ ଚଳଚ୍ଚିତ୍ର ପ୍ରଯୋଜନା ମଧ୍ୟ କଲେ। ସର୍ବଭାରତୀୟ ସ୍ତରରେ ଚଳଚ୍ଚିତ୍ର ନିର୍ମାଣ ବାଟକୁ ଫେରିଲା। ହେଲେ ଓଡ଼ିଶାରେ ନୁହେଁ, କାରଣ ସ୍ଥାନୀୟ ଟିଭି ଚ୍ୟାନେଲ ଓ ଓଟିଟି ପ୍ଲାଟଫର୍ମଗୁଡ଼ିକ ମାତ୍ର ୧୫ ଲକ୍ଷ ଟଙ୍କା ସୀମିତ ଖର୍ଚ୍ଚରେ ଚଳଚ୍ଚିତ୍ର ତିଆରି କରିବାକୁ ଚାହିଁଲେ ଓ ଯୁବବର୍ଗର କିଛି ନିର୍ଦ୍ଦେଶକ ସେମିତି କଲେ। ଏହା ଦ୍ଵାରା କିଛି ଚଳଚ୍ଚିତ୍ର ନିର୍ମାଣ ସମ୍ଭବ ହେଲା ସିନା ସେଗୁଡ଼ିକର ଗୁଣାତ୍ମକ ମାନ ହ୍ରାସ ପାଇଲା। କିନ୍ତୁ କେତେକ ଯୁବ ଓଡ଼ିଆ ନିର୍ଦ୍ଦେଶକ ସେହି ସବୁ ଧାରାକୁ ଛାଡ଼ି ନୂଆ ଧରଣର ଏକାଧିକ ଭଲ ଚଳଚ୍ଚିତ୍ର ଏହା ମଧ୍ୟରେ ନିର୍ମାଣ କଲେଣି। ‘ତୃଷ୍ଣା’ ସେହି ଭଳି ଗୋଟିଏ ଭଲ ଓଡ଼ିଆ ଚଳଚ୍ଚିତ୍ର ଓ ତା’ର ନିର୍ଦ୍ଦେଶକ ସୁରେଶ ପଟ୍ଟନାୟକ ସେହିଭଳି ଜଣେ ଯୁବ ନିର୍ଦ୍ଦେଶକ।

‘ତୃଷ୍ଣା’ ଚଳଚ୍ଚିତ୍ରରେ କାହାଣୀ ଆରମ୍ଭ ହେଉଛି ପାଠପଢ଼ା ଚାପରେ ଆକ୍ରାନ୍ତ ହୋଇ ଜଣେ ଅନୁଢ଼ା ବାଳିକାର ଅପ୍ରତ୍ୟାଶିତ ଆତ୍ମହତ୍ୟାରୁ, ଯାହାକୁ ଏକ ନକରାତ୍ମକ ଆରମ୍ଭ ବୋଲି କହିଲେ କିଛି ଭୁଲ ହେବନାହିଁ। କିନ୍ତୁ କାହାଣୀର ଅଗ୍ରଗତି ଶେଷକୁ ଆଶା ସହ ଜୀବନକୁ ଯୋଡୁଛି। ତେଣୁ ଏହାକୁ ନୈରାଶ୍ୟରୁ ଆଶାବାଦୀ ହେବାର ଏକ ସକାରାତ୍ମକ ଯାତ୍ରା ବୋଲି କୁହାଯାଇ ପାରେ।

ଜୁଲି, ଅଙ୍କିତ, ଶିଖା, ଯତୀନ ଓ ଆନନ୍ଦ ଆଦି ହେଉଛନ୍ତି ପାଞ୍ଚଟି ଚରିତ୍ର ଯେଉଁମାନେ ନିଜ ନିଜର ଆଶା, ନିରାଶା, ଆକାଂକ୍ଷା ଓ ସ୍ଵପ୍ନଭଙ୍ଗ ସତ୍ଵେ ନିଜ ନିଜର ଜୀବନ ବଞ୍ଚୁଛନ୍ତି, କିନ୍ତୁ ଭାଙ୍ଗି ପଡୁନାହାନ୍ତି।

ଜୁଲି ଗାଁରେ ରୁହେ। ଭଲ ପାଠ ପଢ଼ିବା ସହ ଭଲ ନାଚେ ମଧ୍ୟ। ଏବେ ଅପାଙ୍ଗ ହୋଇଯାଇଥିବା ତା’ ବାପା ପୂର୍ବରୁ ସିନେମାରେ କାମ କରୁଥିବାରୁ ଝିଅର ନାଚିବାକୁ କେବେ ବାରଣ କରେ ନାହିଁ। ବରଂ ନାଚ ଜାରି ରଖିବାକୁ କହେ। ଗୋଟିଏ ଛୋଟ ଦୋକାନ କରି ଜୁଲିର ମା’ ସଂସାର ଚଳାଏ। ଜୁଲି ମା’କୁ ସାହାଯ୍ୟ କରେ। ସେ ଅଭିଷେକକୁ ଭଲ ପାଏ ଓ ଗୋଟିଏ ରଙ୍ଗୀନ ଭବିଷ୍ୟତର ସ୍ଵପ୍ନ ଦେଖେ।

ନିଜକୁ ସ୍ମାର୍ଟ ମାନେ କରୁଥିବା ଉଚ୍ଚ ଜାତିର ଅଙ୍କିତ ଜୁଲିକୁ ଭଲ ପାଏ। କିନ୍ତୁ ଜୁଲି ଗୋଟେ ନିଚ୍ଚ ଜାତିର ଅଭିଷେକକୁ ଭଲ ପାଇବା କଥାଟା ସେ ଗ୍ରହଣ କରି ପାରେନି ଓ ସୁବିଧା ସୁଯୋଗ ଦେଖି ଅଭିଷେକକୁ ହଇରାଣ କରେ। ଅଙ୍କିତର ବି ସ୍ଵପ୍ନ ଥାଏ ଅଭିନୟ କରିବାକୁ। ଗୋଟେ ସୁପର ଷ୍ଟାର ହେବାର କଳ୍ପନା ମଧ୍ୟ ସେ କରୁଥାଏ। କିନ୍ତୁ ଗାଁରେ ରହି ନିଜ ସ୍ଵପ୍ନକୁ ସାକାର କରିବା ସମ୍ଭବ ନୁହେଁ, ତେଣୁ ସେ ସହରକୁ ଯାଏ।

ଶିଖା ହେଉଛି ନୂଆ ପିଢ଼ିର ଜଣେ ଟେଲିଭିଜନ ସାମ୍ବାଦିକା। ସେ ଚାହେଁ ଯେ ସେ ଏଭଳି ନୂଆ ନୂଆ ଘଟଣାର ଷ୍ଟୋରି କରିବ ଯାହା ସମାଜକୁ ବଦଳାଇ ଦେଇ ପାରିବ। କିନ୍ତୁ ତା’ ଚାନେଲର ଏଡିଟର ତାକୁ ଏମିତି ସବୁ ଷ୍ଟୋରି କରିବାକୁ କହନ୍ତି ଯେ ତାହା ତା’ର ସବୁ ଅଭିଳାଷକୁ ଫିକା କରିଦିଏ। ତଥାପି ସେ ତା’ର ଚାକିରି କରେ। ସେ ଯିବା ଆସିବା କରୁଥିବା ରାସ୍ତାର ଏକ ନିର୍ଦ୍ଧିଷ୍ଟ ଟ୍ରାଫିକ ଛକରେ ତା’ ଗାଡ଼ି ଅଟକିଲେ ପାଖରେ ଥିବା ବସ ଷ୍ଟପରେ ମୁହଁରେ ଦାଢ଼ି ଭର୍ତ୍ତି ବିଷନ୍ନ ଭାବେ ବସିଥିବା ଜଣେ ବ୍ୟକ୍ତିଙ୍କୁ ସେ ଦେଖେ। କ୍ରମେ ସେ ଜାଣିବାକୁ ପାଏ ଯେ ସେହି ବ୍ୟକ୍ତି ହେଉଛନ୍ତି ପୂର୍ବ ସମୟର ସୁପର ଷ୍ଟାର କୁମାର ଆନନ୍ଦ।

କୁମାର ଆନନ୍ଦ ଯେତେବେଳେ ଜଣେ ସୁପର ଷ୍ଟାର ଭାବେ ସଫଳତାର ଶୀର୍ଷରେ ଥିଲେ, ପତ୍ନୀ ଓ ଝିଅଙ୍କୁ ନେଇ ତାଙ୍କ ପରିବାରକୁ ଯଥେଷ୍ଟ ସମୟ ଦେଇପାରୁ ନଥିବାରୁ ତାଙ୍କର ବିବାହ ବିଚ୍ଛେଦ ହୋଇଛି। ଏବେ ଜୀବନର ସାୟାହ୍ନରେ ସେ ଜୀଉଁଛନ୍ତି ଏକ ନିଃସଙ୍ଗ ଜୀବନ।

ଯତୀନ ଜଣେ ଲେଖକ କିନ୍ତୁ ବର୍ତ୍ତମାନ ବେକାର। ନିୟମିତ ଭାବରେ ବିଭିନ୍ନ ପ୍ରଡକ୍ସନ୍ ହାଉସ୍ ବୁଲି ସ୍କ୍ରିପ୍ଟ ଲେଖିବାକୁ ଚାହୁଁଥିଲେ ବି ସେମିତି ସୁଯୋଗ ତାକୁ ମିଳିନାହିଁ। ସାଙ୍ଗ ଅରୁଣ କିନ୍ତୁ ତାଙ୍କୁ ସବୁ ପ୍ରକାର ସହଯୋଗ କରୁଛି। ଯତୀନ ତା’ ପରିବାର ଓ ସମ୍ପର୍କୀୟଙ୍କ ଉପରେ ଗୋଟେ ବୋଝ ହେଇଯାଇଥିବା କଥା ବୁଝୁଥିଲେ ବି ସେ ନିଜ ସୃଜନଶୀଳ ପ୍ରୟାସକୁ ଛାଡିବାକୁ ଚାହୁଁ ନାହିଁ। ତେବେ ତା’ କାହାଣୀ କହିବାର କଳା ଯେତେବେଳେ ମୃତ୍ୟୁର ଦ୍ଵାରଦେଶରେ ଥିବା ଛୋଟ ପିଲାଟିର ଜୀବନ ରକ୍ଷା କରୁଛି ତାହା ଯତୀନ ଭିତରେ ଯଥେଷ୍ଟ ଆତ୍ମ ପ୍ରତ୍ୟେୟ ସୃଷ୍ଟି କରୁଛି।

କେବଳ ଜୁଲି, ଅଙ୍କିତ ଓ ଅଭିଷେକ କିଛିଟା ପରସ୍ପରକୁ ଜାଣି ଥିଲେ ବି ମୋଟାମୋଟି ଏହି ମୁଖ୍ୟ ଚରିତ୍ରଗୁଡ଼ିକ କେହି କାହା ସହିତ ସମ୍ପୃକ୍ତ ନୁହନ୍ତି। ତେବେ ଶେଷକୁ ସେମାନେ ସମସ୍ତେ ପରସ୍ପର ସହିତ ଯୋଡ଼ି ହେଉଛନ୍ତି ଯାହା କି ଚଳଚ୍ଚିତ୍ରର କାହାଣୀକୁ ରସମୟ କରୁଛି। ଏହି ଯୋଡ଼ିବା ସୂତ୍ରଟି ହେଉଛି ଆଶା! ଏକ ସୁନ୍ଦର ଭବିଷ୍ୟତର ଆଶା!!

ଶିଖା ଯାଇ କୁମାର ଆନନ୍ଦଙ୍କର ଇଣ୍ଟରଭିୟୁ କରୁଛି ଯେଉଁଥିରେ ସେ ତାଙ୍କ ଜୀବନର ଭୁଲ ବୁଝାମଣାର କାରଣଗୁଡ଼ିକ କହୁଛନ୍ତି। ଲୋକେ ଏହି କାର୍ଯ୍ୟକ୍ରମଟିକୁ ବହୁତ ପସନ୍ଦ କରୁଛନ୍ତି। ଏହାକୁ ଦେଖି ତାଙ୍କ ଝିଅ ତାଙ୍କ ପାଖକୁ ଫେରି ଆସିବାକୁ ଚାହୁଁଛି ଓ ପରିବାରର ମିଳନ ହେଉଛି। ଏଭଳି କାର୍ଯ୍ୟକ୍ରମ କରି ପାରିଥିବାରୁ ଶିଖାର ନିଜ ପେଶାଗତ ଆତ୍ମବିଶ୍ଵାସ ବୃଦ୍ଧି ପାଉଛି।

ସହରକୁ ଆସି ଅଙ୍କିତ ତା’ ଉପରଠାଉରିଆ ଜୀବନ ବଞ୍ଚିବା ପାଇଁ କେବଳ ଠିକ ରାସ୍ତା ନୁହେଁ, ବରଂ ସଠିକ ରାସ୍ତା ଖୋଜି ପ୍ରଚୁର ପରିଶ୍ରମ କଲେ ହିଁ ସଫଳତା ମିଳିବା ସମ୍ଭବ ବୋଲି ବୁଝି ପାରୁଛି। ସେ ଅଭିଷେକକୁ ଭେଟି ତାକୁ କହୁଛି ଯେ ଏବେ ପର୍ଯ୍ୟନ୍ତ ଜୁଲି କେମିତି ଅଭିଷେକକୁ ଅପେକ୍ଷା କରିଛି। ଏହି ଖବର ପାଇ ଅଭିଷେକ ଯାଇ ଜୁଲିକୁ ଭେଟୁଛି। ଜୁଲିର ତା’ ପ୍ରେମ ଉପରେ ଆସ୍ଥା ଆସିଛି ଓ ଗଭୀର ଆତ୍ମବିଶ୍ଵାସ ସହ ଏକ ଆଶାପୂର୍ଣ୍ଣ ଭବିଷ୍ୟତ ଆଡକୁ ସେ ତା’ ପାଦ ବଢ଼ାଉଛି।

ପରସ୍ପର ଠାରୁ ବିଚ୍ଛିନ୍ନ ବା ପରସ୍ପରକୁ ଜାଣିନଥିବା ଚରିତ୍ରଗୁଡ଼କ ଯେଉଁ ଭଳି ‘ଜୀବନର ଆଶା’ ଆଧାରରେ ପରସ୍ପର ସହ ଯୋଡ଼ି ହେଇଛନ୍ତି ତାହା ହିଁ ‘ତୃଷ୍ଣା’ ଚଳଚ୍ଚିତ୍ର କାହାଣୀର ମୁଖ୍ୟ ଉପଜୀବ୍ୟ।

ମୁଖ୍ୟ ଓ ଗୌଣ ଉଭୟ ଚରିତ୍ରଗୁଡ଼ିକରେ ସମସ୍ତ ଅଭିନେତା ଓ ଅଭିନେତ୍ରୀମାନଙ୍କର ଅଭିନୟ ଅତିନାଟକୀୟ ନହୋଇ ଚାରିତ୍ରୋପଯୋଗୀ ହୋଇଥିବା ଚଳଚ୍ଚିତ୍ରଟିର ଅନ୍ୟ ଏକ ବିଶେଷତ୍ଵ। ତେବେ ଅଙ୍କିତ, ଶିଖା ଓ ଜୁଲି ଭୂମିକାରେ ଯଥାକ୍ରମେ ଶୈଳେନ୍ଦ୍ର, ସୂର୍ଯ୍ୟମୟୀ ଓ ଲିପ୍ସାଙ୍କ ଅଭିନୟ ନିଶ୍ଚୟ ଉଲ୍ଲେଖନୀୟ।

‘ତୃଷ୍ଣା’ ଚଳଚ୍ଚିତ୍ରରେ ସମୁଦାୟ ପାଞ୍ଚଟି ଗୀତ ରହିଛି। ଅଙ୍କିତର ଫାଣ୍ଟାସି ଗୀତ “ମୁଁ ସୁପରଷ୍ଟାର ଦିନେ ହେବିରେ” ଓ ଜୁଲିର ଡ୍ୟାନ୍ସ ଗୀତ “ମୋର ତ ପାନଖିଆ ଲଭର” ଗୀତ ଦୁଇଟି ମନୋରଞ୍ଜନ ପାଇଁ ଯଥେଷ୍ଟ ଖୋରାକ ଯୋଗାଉଛି ବୋଲି କହିଲେ ଭୁଲ ହେବ ନହିଁ।

‘ଆମର ଷ୍ଟୁଡିଓ’ ଦ୍ଵାରା ପ୍ରଯୋଜିତ ଓ ସୁରେଶ ପଟ୍ଟନାୟକଙ୍କ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶିତ ‘ତୃଷ୍ଣା’ ସର୍ବଭାରତୀୟ ସ୍ତରରେ ମଧ୍ୟ ଆଦୃତ ହେବାର ସମସ୍ତ ସମ୍ଭାବନା ରହିଛି ବୋଲି କୁହାଯାଇ ପାରେ।

(ସମୀକ୍ଷକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

Tags: #Entertainment #OdiaCinema #Trushna #Ollywood #Film

Comment