ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ବୁଧବାର ଦିନ ତାଙ୍କୁ ବିଜେଡିରୁ ବହିଷ୍କାର କରିଛି ଦଳ। ଧାମନଗର ବିଧାନସଭା ଉପନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବା ରାଜେନ୍ଦ୍ର ଦାସଙ୍କୁ ବିଜେଡିରୁ ଟିକେଟ ନମିଳିବାରୁ ସେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଛନ୍ତି।

ଦଳରୁ ବହିଷ୍କାର ହେବା ପରେ ରାଜେନ୍ଦ୍ର ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ଦଳ ସଭାପତିଙ୍କ ନିଷ୍ପତ୍ତିକୁ ମୁଁ ସାଦରେ ଗ୍ରହଣ କରୁଛି। ଆମେ ଲୋକଙ୍କ ପାଇଁ ରାଜନୀତି କରୁଛୁ। ଲୋକଙ୍କ ସେବାରେ ରହିଛୁ। ଧାମନଗରବାସୀଙ୍କ ବିକାଶ ଲାଗି ମୋର ଏହି ଲଢ଼େଇ। ଧାମନଗରବାସୀ ଚାହିଁଲେ ମୁଁ ଏହି ନିର୍ବାଚନ ଲଢ଼େଇରେ ନିଶ୍ଚୟ ବିଜୟୀ ହେବି।”

ବିଜେଡି ପକ୍ଷରୁ ଧାମନଗର ଉପନିର୍ବାଚନ ଲାଗି ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରାଯିବା ପରେ ରାଜେନ୍ଦ୍ର ଦାସ ଏବଂ ତାଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିବା ରାଜେନ୍ଦ୍ର ଦାସ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଏହାରି ମଧ୍ୟରେ ବିଜେଡିର କିଛି ତୁଙ୍ଗ ନେତା ତାଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ମନାଇ ଥିଲେ। କିନ୍ତୁ ନିଜ ଜିଦରେ ଅଟଳ ରହିଥିବା ରାଜୁ ଦାସ ଏବେ ନୌକା ଚିହ୍ନରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ରାଜ୍ୟର ତିନି ପ୍ରମୁଖ ଦଳ ନିଜର ନିଜର ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରି ପ୍ରଚାର ମଇଦାନକୁ ଓହ୍ଲାଇଥିବାବେଳେ ରାଜେନ୍ଦ୍ର ଦାସ ମଧ୍ୟ ନିଜର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରି ଚର୍ଚ୍ଚାକୁ ଆସିଛନ୍ତି। ଏହି ତାଲିକାରେ ରହିଛି ବାବା, ମା’, ଚାଚା ଚାଚି, ଧାମନଗର ମାଟିର ସମସ୍ତ ଭାଇଭଉଣୀ, କୃଷକ ଭାଇ, ଗରିବ ଖଟିଖିଆ, ଗୁରୁଜନ, ମା’ ମାଉସୀ ଏବଂ ଧାମନଗର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କ ନାଁ। ରାଜେନ୍ଦ୍ର ଦାସଙ୍କ ଏହି ପ୍ରଚାର ତାଲିକା ଧାମନଗରବାସୀଙ୍କ ହୃଦୟ ଜିତିବ ବୋଲି ଆଶା ରଖିଛନ୍ତି ରାଜେନ୍ଦ୍ର ଦାସ।

Tags: #Politics #OdishaPolitics #DhamnagarByElection #BJD #BJP #Congress #Swadhin #RajendraDas #Dismiss

LEAVE A REPLY

Please enter your comment!
Please enter your name here