ଓଡ଼ିଶାଲାଇଭ୍ ବ୍ୟୁରୋ

ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତର ଜଣେ ଅତି ପରିଚିତ ଓ ଆପଣାର ନାଁ। ନିଜ କଣ୍ଠର ମିଠାପଣ ସହିତ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଏବଂ ବିଭୁ ଚେତନା ସୃଷ୍ଟି କରେ। ସେ ଗାଇଥିବା ଭକ୍ତିସଙ୍ଗୀତ ପ୍ରତି ଦେଶ ବିଦେଶରେ ଲୋକଙ୍କର ବେଶ୍ ଆଦର ରହିଛି। ତାଙ୍କ ଭଜନ ଓଡ଼ିଶାର କଳା ଓ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଛି।

‘ହେ ଚକାନୟନ..’ ହେଉଛି ଶାନ୍ତିଲତା ବାରିକ ଛୋଟରାୟଙ୍କର ଏକ ଲୋକପ୍ରିୟ ଭଜନ। ୧୯୭୮ ମସିହାରେ ରେକର୍ଡ ହୋଇଥିବା ଏହି ଗୀତଟି ଶ୍ରୋତାଙ୍କ ମହଲରେ ବେଶ ଆଦର ପାଇଛି। ଏହି ଗୀତଟିକୁ ଗାଇବା ବେଳେ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପଣ କରିଦେଇଥିଲେ ଶାନ୍ତିଲତା ବାରିକ।

‘ହେ ଚକାନୟନ…’ ଗୀତ ରେକର୍ଡିଂ କରିବା ଏତେ ସହଜ ନଥିଲା। ରେକର୍ଡିଂକୁ ଯିବା ପାଇଁ ଶାନ୍ତିଲତା ବାରିକଙ୍କୁ ଠିକ୍ ସମୟରେ ବସ ମିଳିନଥିଲା। ତଥାପି ସେ ଧୈର୍ଯ୍ୟହରା ହୋଇପଡ଼ିନଥିଲେ। ଅନେକ ସମସ୍ୟାକୁ ଅତିକ୍ରମ କରି ପହଞ୍ଚିଥିଲେ ରେକର୍ଡିଂ ଷ୍ଟୁଡିଓରେ। ଏଗୀତଟି ଲୋକପ୍ରିୟତା ହାସଲ କରିବା ପରେ ସବୁ ପରିଶ୍ରମର ଫଳ ମିଳିଯାଇଥିଲା ବୋଲି ସେ କହିଥିଲେ।

ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍‌ ଛୋଟରାୟଙ୍କ ବିଶେଷ ଅବଦାନ ପାଇଁ ତାଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ହୋଇଛି।

Tags: #ShantilataBarik #OdiaBhajan #ClassicalMusic #Song #ShreeJagannathBhajan #ClassicalSinger

Comment