କପିଳାସ ଭୂୟାଁ

ପ୍ରଶ୍ନ ହେଲା କି ଓଡ଼ିଶୀ ନୃତ୍ୟ ଯଦି ଶାସ୍ତ୍ରୀୟ ନୃତ୍ୟ ତେବେ ଯେଉଁ ସଙ୍ଗୀତ ଆଧାରରେ ଏହି ନୃତ୍ୟକୁ ପରିବେଷଣ କରାଯାଇଆସୁଛି ତାହା କିପରି ଶାସ୍ତ୍ରୀୟ ସଙ୍ଗୀତ ନୁହେଁ? ଏହାର ମୁଖ୍ୟ କାରଣ ହୁଏତ ଓଡ଼ିଶୀ ସଙ୍ଗୀତର ପ୍ରାଚୀନତା ଓ ଯେଉଁ ରାଗମାଳ ଉପରେ ଏହା ଆଧାରିତ ତାହା ଆମେ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଏହି ବିଫଳତାର ଅନ୍ୟତମ କାରଣ ମଧ୍ୟ ଓଡ଼ିଶୀ ସଙ୍ଗୀତ ପରମ୍ପରାକୁ ନେଇ ଆମର ସଙ୍ଗୀତଜ୍ଞମାନେ ଯେଉଁଭଳି ଅଭ୍ୟାସ ଓ ଉପସ୍ଥାପନା କରିବା କଥା ତାହା କରିପାରି ନାହାନ୍ତି। ତେବେ ସେହି ନିରୁତ୍ସାହ ଧାରାକୁ ବଦଳାଇ ଓଡ଼ିଶୀ ସଙ୍ଗୀତ ଧାରାକୁ ଦେଶରେ ପ୍ରଚଳିତ କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ଭଳି ଅନ୍ୟ ଦୁଇ ଶାସ୍ତ୍ରୀୟ ସଙ୍ଗୀତ ଧାରା ସହ ସମକକ୍ଷ ଓ ଭିନ୍ନ ତଥା ସ୍ୱତନ୍ତ୍ର ଧାରା ବୋଲି ପ୍ରମାଣିତ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ସେହି ଦିଗରେ ସଙ୍ଗୀତଜ୍ଞ ଓ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ତାଙ୍କର ସାରା ଜୀବନର ସାଧନା ଓ ଅଭିଜ୍ଞତା ବଳରେ କାର୍ଯ୍ୟ କରୁଛନ୍ତି। ଅବଶ୍ୟ ବୟସାଧିକ୍ୟତା ତହିଁରେ କିଛିଟା ବାଧା ଉପୁଯାଉଛି ନିଶ୍ଚୟ।

ତେବେ ତାଙ୍କର ସୁପୁତ୍ରୀ ବିଦୁଷୀ ସଂଗୀତା ପଣ୍ଡା ବାପାଙ୍କ ଲକ୍ଷ୍ୟ ପୂରଣ ଦିଗରେ କାମ କରିବା ଆରମ୍ଭ କରିଛନ୍ତି। ଗତ ଗୋଟିଏ ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ଧରି ବିଦୁଷୀ ସଂଗୀତା ତାଙ୍କ ବାପାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଗୁରୁ ଗୋପାଳ ପଣ୍ଡା ଓଡ଼ଶୀ ଏକାଡ଼େମୀ ପ୍ରତିଷ୍ଠା କରି ତାହାର ଦାୟିତ୍ୱ ନେଇଛନ୍ତି। ସେହି କ୍ରମରେ ଗତ ନଭେମ୍ବର ୪ ଓ ୫ ତାରିଖରେ ଭୁବନେଶ୍ଵରର ରବୀନ୍ଦ୍ର ମଣ୍ଡପଠାରେ ଦୁଇ ଦିନିଆ ଓଡ଼ିଶୀ ରାଗ ମହୋତ୍ସବ ଆୟୋଜିତ ହୋଇଥିଲା।

ଓଡ଼ିଶୀ ସଙ୍ଗୀତ କ୍ଷେତ୍ରରେ ନିଜ ନିଜର ଅବଦାନ ପାଇଁ ସଙ୍ଗୀତ-ବିଜ୍ଞାନୀ ତଥା ବୀଣାକାର ଗୁରୁ କେ ରାମାରାଓ ପାତ୍ରଙ୍କୁ ଜୀବନକାଳର ଯୋଗଦାନ ପାଇଁ ଏହି ୧୧ତମ ଓଡ଼ିଶୀ ରାଗ ମହୋତ୍ସବରେ ଗୁରୁ ସିଂହାରୀ ସମ୍ମାନ ପ୍ରଦାନ ସହ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗୁରୁ ସିକତା ଦାସ ଓ ଓଡ଼ିଶୀ ସଙ୍ଗୀତ ଗାୟନ ପାଇଁ ମାତୃ ପ୍ରସାଦ ଦାସଙ୍କୁ ଯଥାକ୍ରମେ ଭଗବତୀ ସ୍ମୃତି ସମ୍ମାନ ଓ ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ ଦ୍ଵାରା ସମ୍ମାନୀତ କରାଯାଇଥିଲା।

ପ୍ରଥମ ଦିନ ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟାଙ୍ଗନା କବିତା ଦ୍ଵିବେଦୀ ରାଗ ଛାୟାତୋଡ଼ି ଆଧାରିତ ଓଡ଼ିଶୀ ପଲ୍ଲବୀ ନୃତ୍ୟ ପରିବେଷଣ କରିଥିଲାବେଳେ ଏକାଡେମୀ ପକ୍ଷରୁ ଓଡ଼ିଶୀ ବୃନ୍ଦ ଗାନ ଓ ଶ୍ରୀ ଗୀତ ଗୋବିନ୍ଦର ସାଂଗୀତିକ ଉପସ୍ଥାପନା କରାଯାଇଥିଲା। କିନ୍ତୁ ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ସର୍ବାଧିକ ଆକର୍ଷଣୀୟ କାର୍ଯ୍ୟକ୍ରମ ରୂପେ କର୍ଣ୍ଣାଟକୀ, ହିନ୍ଦୁସ୍ତାନୀ ଓ ଓଡ଼ିଶୀ ସଙ୍ଗୀତ ମଧ୍ୟରେ ଥିବା ରାଗ ଓ ଗାୟକୀର ସାମଞ୍ଜସ୍ୟ ଓ ସ୍ଵତନ୍ତ୍ରତାକୁ ପ୍ରମାଣିତ କରିବାକୁ ପରିବେଷଣ ହୋଇଥିଲା ‘ଶାସ୍ତ୍ରୀୟ ତ୍ରୟୀ’।

ଏହି ‘ଶାସ୍ତ୍ରୀୟ ତ୍ରୟୀ’ର ତିନି ପରବେଷେଣକାରୀଙ୍କ ମଧ୍ୟରେ କର୍ଣ୍ଣାଟକୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର କଣ୍ଠଶିଳ୍ପୀ ରୂପେ ଯଥାକ୍ରମେ ଚେନ୍ନାଇର ବିଦୁଷୀ ବିଦ୍ୟା ହରିକୃଷ୍ଣନ ଓ ସାଥୀ ଏବଂ ଭୁବନେଶ୍ୱରର ବିଦୁଷୀ ଲକ୍ଷ୍ମୀପ୍ରିୟା ନାୟକ ଓ ସାଥୀ ତଥା ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ ବିଦୁଷୀ ସଂଗୀତା ପଣ୍ଡା ଓ ସାଥୀ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଉପସ୍ଥାପନ କରିଥିଲେ।

ସେମାନେ ଯଥାକ୍ରମେ ରାଗ ଧୂମାବତୀ, ରାଗ ମଧୁୱନରି ଓ ରାଗ ପୁନାଗ ବରାଡିରେ ସେମାନଙ୍କ ଗାୟକୀ ପ୍ରସ୍ତୁତ କରିଥିଲେ। ଉଲ୍ଲେଖନୀୟ କି ଏହି ତିନିଟି ଯାକ ରାଗ ସମାନ ରାଗ ହୋଇଥିବାବେଳେ କେବଳ ଗାୟକୀରେ ହିଁ କିଛିଟା ଫରକ ରହିଛି – ଯେମିତି କି କର୍ଣ୍ଣାଟକୀ ଗାୟକୀ ଦ୍ରୁତ ଧାରାକୁ ଅନୁସରଣ କରୁଥିବାବେଳେ ହିନ୍ଦୁସ୍ତାନୀରେ ବିଳମ୍ବିତ ଓ ଓଡ଼ିଶୀରେ ମଧ୍ୟମ ଗତିଶୀଳ ହୋଇଥାଏ। ଉଲ୍ଲେଖନୀୟ କି ଏହି ଅସାମଞ୍ଜସ୍ୟତା ହିଁ ଏହି ତିନି ଶାସ୍ତ୍ରୀୟ ସଙ୍ଗୀତ ଧାରାର ସ୍ଵତନ୍ତ୍ରତା।

ଏହି ତିନି ଧାରାର ଗାୟକୀ ପରସ୍ପରଠାରୁ ପୃଥକ ଓ ସ୍ଵତନ୍ତ୍ର। ଗୋଟିଏ ମଞ୍ଚରେ ସବୁ ଧାରାର ଉପସ୍ଥାପନା ଦ୍ଵାରା ଏହି ତିନି ଧାରାର ଅସାମଞ୍ଜସ୍ୟତାକୁ ଓ ସ୍ଵତନ୍ତ୍ରତାକୁ ଶ୍ରୋତାମାନେ ସହଜରେ ବାରି ପାରିବା ସମ୍ଭବ ହୋଇଛି। ଏହା ବ୍ୟତୀତ ଅନ୍ୟ ଦୁଇଟି ସଙ୍ଗୀତ ଧାରା ପରି ଓଡ଼ିଶୀ ସଙ୍ଗୀତ ଧାରାର ଗାୟକୀ ପାଇଁ ରହିଛି ବହୁ ପ୍ରାଚୀନ ରାଗମାଳିକା। କେବଳ ନିୟମିତ ଅଭ୍ୟାସ ଓ ପରିବେଷଣ ହେଉନଥିବାରୁ ସାଧାରଣ ଦର୍ଶକମାନେ ତାହା ଜାଣିବା ସମ୍ଭବ ହେଉନାହିଁ।

ତେବେ ଏବେ ସମୟ ବଦଳିବା ସହ ଓଡ଼ିଶୀ ସଂଗୀତ ଧାରାକୁ ଏକ ଶାସ୍ତ୍ରୀୟ ସଙ୍ଗୀତ ଧାରା ରୂପେ ପ୍ରତିଷ୍ଠା କରିବା ପାଇଁ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ତାଙ୍କ ଜୀବନକାଳକୁ ଉପଯୋଗ କରିଥିବା ଭଳି ଅନ୍ୟ ଓଡ଼ିଶୀ ସଂଗୀତକାରମାନେ ସେମାନଙ୍କ ଚେଷ୍ଟା ଆରମ୍ଭ କରିବା ଦରକାର। ସମସ୍ତେ ମିଳିମିଶି ଉଦ୍ୟମ ଜାରି ରଖିଲେ ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟ ଧାରା ପୁନର୍ଜୀବିତ ହେବା ସହ ସଙ୍ଗୀତ କ୍ଷେତ୍ରରେ ଆମର ନିଜସ୍ଵ ପରିଚୟ ସହ ହୃତଗୌରବକୁ ଯେ ଖୁବ ଶୀଘ୍ର ପୁନଃସ୍ଥାପନ କରି ପାରିବ ସେଭଳି ଆଶା ରଖିବା ବୃଥା ହେବନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #Odissi #OdissiMusic #ClassicalMusic #OdissiDance

Comment