କପିଳାସ ଭୂୟାଁ

ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସଙ୍ଗୀତ ଓ ସ୍ଵର ସଂଯୋଜନାର ଆଠଟି କ୍ଷେତ୍ରରେ ପାରଦର୍ଶିତା ପ୍ରମାଣ କରି ପାରିଥିବାରୁ ତାଙ୍କୁ ଖଲ୍ଲିକୋଟ ରାଜସଭା ପକ୍ଷରୁ ‘ଅଷ୍ଟାବଧାନୀ’ ଉପାଧି ପ୍ରଦାନ କରାଯାଇଥିଲା।

ଗତ କିଛି ମାସ ହେଲା ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ବନ୍ଧୁ ରାମହରି ଜେନାଙ୍କ ସହ ଲୋକକଳା ଓ ସଂସ୍କୃତି ସମ୍ପର୍କରେ ଗବେଷଣା ଉଦ୍ଦେଶ୍ୟରେ ଗଞ୍ଜାମର ପୁରପଲ୍ଲୀରେ ବୁଲା ଚାଲିଛି। ଲୋକ କଳା, ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ଦୃଷ୍ଟିରୁ ବିଚାର କଲେ ଓଡ଼ିଶାର ଅନ୍ୟ ଯେ କୌଣସି ଜିଲ୍ଲା ଅପେକ୍ଷା ଗଞ୍ଜାମ ଜିଲ୍ଲା ସର୍ବାଧିକ ମହତ୍ତ୍ଵ ରଖେ। ପ୍ରହ୍ଲାଦ ନାଟକ ବା ରଜାନାଟଠାରୁ ଆରମ୍ଭ କରି ବାଘନାଟ ଓ କଳଘୋଡ଼ାନାଟ ଏବଂ ରାମଳୀଳା, ଭରତଲୀଳା, କୃଷ୍ଣଲୀଳା, ରାଧାପ୍ରେମ ଲୀଳା ସହ ପାଲା, ଦାସକାଠିଆ ଓ ଘୁଡୁକି ନାଚ ପର୍ଯ୍ୟନ୍ତ ଅସୁମାରି ଲୋକ ସଂସ୍କୃତି ଧାରା କେବଳ ଏହି ଗଞ୍ଜାମ ଜିଲ୍ଲାରେ ଭରି ହୋଇରହିଛି। ଖାଲି ରହିଛି ନୁହେଁ, ଏବେ ବି ଲୋକେ ସେହି ଲୋକସଂସ୍କୃତି ଧାରାଗୁଡ଼ିକୁ ନିୟମିତ ଅଭ୍ୟାସ ମାଧ୍ୟମରେ ବଞ୍ଚାଇ ରଖିଛନ୍ତି।

ଆମର ବୁଲିବା ସମୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପୁରସ୍କାରପ୍ରାପ୍ତ ନୃତ୍ୟ ଗୁରୁ ନବଘନ ପରିଡ଼ାଙ୍କ ସହ ତାଙ୍କର ବୋଇରାଣୀ ବା କବିସୂର୍ଯ୍ୟନଗରସ୍ଥିତ ନୃତ୍ୟ ସଙ୍ଗୀତ ଶିକ୍ଷାନୁଷ୍ଠାନରେ ସାକ୍ଷାତ ହୋଇଥିଲା। ବିଭିନ୍ନ କଥା ଆଲୋଚନା କାଳରେ ସେ ତାଙ୍କ ବାଲ୍ୟ ଜୀବନ ଓ ନୃତ୍ୟ ସଙ୍ଗୀତ ଶିକ୍ଷା ଆଦି ବିଷୟରେ କହିଲା ବେଳେ ତାଙ୍କ ଗୁରୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ (୧୮୯୩ – ୧୯୭୯) ବାବଦରେ ଉଲ୍ଲେଖ କଲେ। ପ୍ରାୟ ୧୯୫୫ ମସିହା ବେଳକୁ ନବଘନଙ୍କୁ ଯେତେବେଳେ ମାତ୍ର ଦଶ କି ଏଗାର ବର୍ଷ ହୋଇଥିଲା ସେତେବେଳେ ସେ ବୋଇରାଣୀରେ ଥିବା ‘ଗାନ୍ଧୀଜୀ ସଙ୍ଗୀତ କଳାମନ୍ଦିର’ରେ ଗୁରୁ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ନିକଟରୁ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।

କେବଳ କବିସୂର୍ଯ୍ୟନଗର କି ଗଞ୍ଜାମ ଜିଲ୍ଲା ନୁହେଁ, ବରଂ ସାରା ଓଡ଼ିଶାର ସଙ୍ଗୀତ ଓ ନୃତ୍ୟ କ୍ଷେତ୍ରରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ଅବଦାନ ଅତୁଳନୀୟ କହିଲେ କିଛି ଭୁଲ ହେବ ନାହିଁ। ସେ ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତଳ ଗ୍ରାମରେ ୧୮୯୩ ମସିହାରେ ଜନ୍ମ ହୋଇଥିଲେ। ବାଲ୍ୟକାଳରେ ପ୍ରଥମେ ବଡ଼ଭାଇ ହାଡୁ ପାତ୍ରଙ୍କଠାରୁ ହାରମୋନିୟମ ଚାଳନା ଓ ସ୍ଵରବାନ୍ଧିବା ଶିଖିବା ପରେ ଭଞ୍ଜନଗର ନିକଟସ୍ଥ ପାଇଲିପଡ଼ାର ପ୍ରଖ୍ୟାତ ସଙ୍ଗୀତ ଗୁରୁ ଗୌରହରି ମହାପାତ୍ରଙ୍କଠାରୁ ବିଧିବଦ୍ଧ ଭାବେ ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ସଙ୍ଗୀତ ଶିକ୍ଷା ଓ ସାଧନାରେ ତାଙ୍କର ଜୀବନକୁ ସମ୍ପୂର୍ଣ୍ଣ ଭାବେ ନିଯୋଜିତ କରିଥିଲେ।

ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସଙ୍ଗୀତ ଓ ସ୍ଵର ସଂଯୋଜନାର ଆଠଟି କ୍ଷେତ୍ରରେ ପାରଦର୍ଶିତା ପ୍ରମାଣ କରି ପାରିଥିବାରୁ ତାଙ୍କୁ ଖଲ୍ଲିକୋଟ ରାଜସଭା ପକ୍ଷରୁ ‘ଅଷ୍ଟାବଧାନୀ’ ଉପାଧି ପ୍ରଦାନ କରାଯାଇଥିଲା। ଚତୁରଙ୍ଗ, କବିତ୍ଵ, ଲେଖନ, କଣ୍ଠଗ୍ରହଣ, ଗଣିତ, ସଙ୍ଗୀତ, ଯୁକ୍ତିକରଣ ଓ ବ୍ୟକ୍ତାକ୍ଷର ଆଦି ଆଠଟି ବିଷୟରେ ପାରଦର୍ଶିତାକୁ ‘ଅଷ୍ଟଅବଧାନୀ’ କୁହାଯାଉଥିଲା।   

ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଥିଲେ ଏକାଧାରରେ ଜଣେ ଗାୟନକାରୀ, ଅଭିନେତା, କବି, ବୀଣାକାର ଓ ସଙ୍ଗୀତ ଗୁରୁ। ତାଙ୍କ ପୂର୍ବଜ ସଙ୍ଗୀତ ଗୁରୁମାନଙ୍କଠାରୁ ଉତ୍କଳ ସଙ୍ଗୀତ ଧାରାର ପୁରୁଣା ଉପାଦାନ ସଂଗ୍ରହ କରି ତାହାକୁ ପ୍ରବହମାନ କରି ରଖିବା ପାଇଁ ଗଞ୍ଜାମ ଜିଲ୍ଲାର ବୋଇରାଣୀଠାରେ ପ୍ରତିଷ୍ଠା କରିଥିଲେ ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’। ସେହି ସଙ୍ଗୀତ ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ ଶହସ୍ରାଧିକ ଶିଷ୍ୟ ତିଆରି କରିଥିଲେ। ସେହିଭଳି ଜଣେ ଶିଷ୍ୟ ହେଲେ ନୃତ୍ୟ ଗୁରୁ ନବଘନ ପରିଡ଼ା।

ତେବେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ବିଷୟରେ ଗୁରୁ ନବଘନଙ୍କଠାରୁ ବିଶେଷ କୌଣସି ତଥ୍ୟ ମିଳିପାରିଲା ନାହିଁ। ଏବେ ଏକ ଭଗ୍ନସ୍ତୂପରେ ପରିଣତ ହୋଇଥିବା ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’କୁ ସେ ବାଟ ବତେଇଦେବା ସହ ଏହି ଅନୁଷ୍ଠାନ ପ୍ରତିଷ୍ଠା କରିବାରେ ସହଯୋଗ କରିଥିବା କାର୍ଜୀ କେ ରାମଚନ୍ଦ୍ର ଦୋରାଙ୍କ ନାତୁଣୀ ଇ. ମାହେଶ୍ଵରୀ ଦୋରା ଓ ଭୁବନେଶ୍ୱରରେ ରହୁଥିବା ଆଚାର୍ଯ୍ୟ ତାରିଣୀ ଚରଣଙ୍କ ପଟ୍ଟଶିଷ୍ୟ କେ ରାମାରାଓ ପାତ୍ରଙ୍କ ଯୋଗାଯୋଗ ନମ୍ବର ଦେଲେ। ସେହି ଦୁଇ ଜଣଙ୍କ ସହ ଯୋଗାଯୋଗ କରିବା ଦ୍ଵାରା କିଛିଟା ତଥ୍ୟ ସଂଗ୍ରହ କରିବା ସମ୍ଭବ ହେଲା।

ମାହେଶ୍ଵରୀଙ୍କ କହିବା ଅନୁଯାୟୀ ତାଙ୍କ ଜେଜେବାପାଙ୍କ ସହଯୋଗରେ ତାଙ୍କ ଘରେ ଗୁରୁ ବ୍ରହ୍ମାନନ୍ଦ ପାତ୍ର ସ୍ଥାନୀୟ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିଲେ। ତାଙ୍କ ପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସେହି ଦାୟିତ୍ୱ ନେଲେ। ତେବେ ମାହେଶ୍ଵରୀ ଜନ୍ମ ହେବା ପରେ ଘରୁ ଗହଳି କମେଇବା ପାଇଁ ତାଙ୍କ ବାପା କାର୍ଜୀ ସୀତାରାମ ଦୋରା ନିଜସ୍ୱ ଜାଗା ଦେଇ ସେଠାରେ ଆନୁଷ୍ଠାନିକ ଭାବେ ସଙ୍ଗୀତ ଶିକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କଲେ। ସେହିଠାରୁ ପ୍ରାୟ ୧୯୫୦ ଦଶକରେ ଆରମ୍ଭ ହେଲା ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’। ଏକଦା ଏହି ନୃତ୍ୟ ସଙ୍ଗୀତ ଶିକ୍ଷା କେନ୍ଦ୍ର ଥିଲା ଓଡ଼ିଶାର ଅଗ୍ରଗଣ୍ୟ ସାଂସ୍କୃତିକ ଶିକ୍ଷା ଅନୁଷ୍ଠାନ।

ଏଠାରେ କେବଳ ସଙ୍ଗୀତ, ନୃତ୍ୟ ଓ ନାଟକ ଶିକ୍ଷା ଦିଆଯାଉନଥିଲା, ବରଂ ସେସବୁର ପ୍ରଦର୍ଶନ ପାଇଁ ବ୍ୟବସ୍ଥା ରହିଥିଲା। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଞ୍ଚାୟନ ପାଇଁ ସୁଚିନ୍ତିତ ବ୍ୟବସ୍ଥା ମଧ୍ୟ ରହିଥିଲା। ତାହାକୁ ଦେଖିବା ପାଇଁ ପ୍ରଶସ୍ତ ବସିବା ସ୍ଥାନ ମଧ୍ୟ ଥିଲା। ଅଧିକ ଦର୍ଶକ ଆସିଲେ ସେମାନଙ୍କ ପାଇଁ ବାଲକୋନୀରୁ ଦେଖିବା ପାଇଁ ବ୍ୟବସ୍ଥା ରହିଥିଲା। ଏତେ ସବୁ ବ୍ୟବସ୍ଥା ରହିଥିବା ସତ୍ତ୍ୱେ ସଙ୍ଗୀତ କଳା ମନ୍ଦିର ପ୍ରୋତ୍ସାହନ ଅଭାବରୁ କାଳ ଗର୍ଭରେ ଲୀନ ହୋଇଗଲା। ଏହା ହିଁ ପରିତାପର ବିଷୟ।

କିନ୍ତୁ ଆଜି ପରିତ୍ୟକ୍ତ ହୋଇ ଅରମା ଜଙ୍ଗଲ ଭିତରେ ଭଗ୍ନସ୍ତୂପ ରୂପେ ପଡ଼ି ରହିଥିବା ସେହି ଶିକ୍ଷାନୁଷ୍ଠାନର ଅବସ୍ଥା ଅତ୍ୟନ୍ତ ହୃଦୟ ବିଦାରକ। ଜାଗାର ସତ୍ତ୍ଵ ଏବେ ବି ରହିଛି କାର୍ଜୀ ପରିବାର ନିକଟରେ। କିନ୍ତୁ ରାଜନୈତିକ ଶକ୍ତି ଦ୍ଵାରା ବଳଶାଳୀ କିଛି ବ୍ୟକ୍ତିବିଶେଷ ସେହି ଜାଗାକୁ ଅକ୍ତିଆର କରି ରଖିଛନ୍ତି ଯେ ସେଠାରେ ସଙ୍ଗୀତ ଶିକ୍ଷା ଅନୁଷ୍ଠାନଟିର ପୁନଃରୁଦ୍ଧାର କରିବାକୁ ଚାହିଁ ମଧ୍ୟ ମାହେଶ୍ଵରୀ କିଛି କରିବାକୁ ସକ୍ଷମ ହୋଇପାରୁ ନାହାନ୍ତି।

ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ମହାଶୟ ବଞ୍ଚିଥିଲା ବେଳେ ତାଙ୍କର ପଟ୍ଟଶିଷ୍ୟ ବୀଣାକାର କେ ରାମାରଓ ପାତ୍ର ତାଙ୍କ ଅନ୍ତେ ଅନୁଷ୍ଠାନର ଦାୟିତ୍ଵ ନିଅନ୍ତୁ ବୋଲି ଚାହୁଁ ଥିଲେ। କିନ୍ତୁ ଭୁବନେଶ୍ୱରରେ ନୂଆ କରି ଆରମ୍ଭ ହେଉଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଚାକିରି ପାଇ ଶିଷ୍ୟ ରାମାରାଓ ରାଜଧାନୀକୁ ଚାଲି ଆସିଲେ। ତେଣୁ ଉପଯୁକ୍ତ ଉତ୍ତରାଧିକାରୀ ଶୂନ୍ୟ ହୋଇ ବୋଇରାଣୀର ଆଲୋକବର୍ତ୍ତିକା ସଦୃଶ ହୋଇ ରହିଥିବା ‘ଗାନ୍ଧୀଜୀ ସଙ୍ଗୀତ କଳା ମନ୍ଦିର’ କ୍ରମେ ମୁମୂର୍ଷୁ ଅବସ୍ଥାରେ ଓ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ରଙ୍କ ଯିବା ପରେ ନିର୍ବାପିତ ହୋଇଗଲା।

ଅବଶ୍ୟ ଏହି ଲେଖକ କେ ରାମାରାଓ ପାତ୍ରଙ୍କୁ ଭେଟିଲା ବେଳକୁ ସେ ତାଙ୍କ ଗୁରୁଙ୍କ ସଙ୍ଗୀତ ଜଗତକୁ ଯେଉଁ ଅମୂଲ୍ୟ ଦାନ ଦେଇଯାଇଛନ୍ତି ତାହାକୁ ନେଇ ‘ଓଡ଼ିଶୀ ସଙ୍ଗୀତ ବାରିଧି’ ନାମରେ ଗୋଟିଏ ପୁସ୍ତକ ରଚନା କରୁଥିଲେ, ଯାହା ବର୍ତ୍ତମାନ ପ୍ରକାଶ ପାଇ ସାରିଲାଣି। ଏହି ପୁସ୍ତକ ରଚନାରେ ରାମାରଓ ମହାଶୟଙ୍କ ଶିଷ୍ୟ ପ୍ରତୀକ ପଟ୍ଟନାୟକଙ୍କ ସହଯୋଗ ମଧ୍ୟ ପ୍ରସଂଶାଯୋଗ୍ୟ। ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ଓଡ଼ିଶୀ ସଙ୍ଗୀତ କ୍ଷେତ୍ରକୁ ଦେଇଯାଇଥିବା ଅବଦାନ ସମ୍ପର୍କରେ ଜାଣିବା ପାଇଁ ଓ ସଙ୍ଗୀତ କ୍ଷେତ୍ରରେ ଆଗାମୀ ପିଢ଼ି କାମ କରିବା ପାଇଁ ଏହି ପୁସ୍ତକ ଏକ ନିର୍ଭରଯୋଗ୍ୟ ଉତ୍ସ ରୂପେ ନିଶ୍ଚୟ କାମ କରିବ ବୋଲି କହିଲେ କିଛି ଭୁଲ ହେବ ନାହିଁ।

ଅନ୍ତତଃପକ୍ଷେ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ‘ଗାନ୍ଧୀଜୀ ସଂଗୀତ କଳା ମନ୍ଦିର’ର ପୁନଃରୁଦ୍ଧାର ପାଇଁ ପଦକ୍ଷେପ ନିଆଗଲେ ତାହା ଯେ ନିଶ୍ଚୟ ଦକ୍ଷିଣ ଓଡ଼ିଶାରେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କ୍ଷେତ୍ରରେ ଏକ ଦିଗବାରେଣୀ ପରି କାମ କରିବ ସେଥିରେ କୌଣସି ସନ୍ଦେହ ନାହିଁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ)

Tags: #Music #MusicianAcharyaTariniCharanPatra #OdissiMusic #BoiraniGandhijiSangeetKalaMandir

Comment