ଓଡ଼ିଶାଲାଇଭ୍ ବ୍ୟୁରୋ

କିମ୍ବଦନ୍ତି ଓଡ଼ିଶୀ ନୃତ୍ୟଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ଉତ୍ସବ ୨୦୨୩। ଭୁବନେଶ୍ଵରସ୍ଥିତ ରବୀନ୍ଦ୍ରମଣ୍ଡପଠାରେ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରୁ ଏହି କାର୍ଯକ୍ରମ ଆରମ୍ଭ ହେବ। ଚଳିତ ବର୍ଷ ବିଶିଷ୍ଟ ଚିତ୍ରଶିଳ୍ପୀ, ପରଥରଶିଳ୍ପୀ ଏବଂ ବ୍ୟଙ୍ଗାତ୍ମକ ଚିତ୍ରଶିଳ୍ପୀ ପଦ୍ମ ଭୂଷଣ ଯତୀନ ଦାସଙ୍କୁ ଚିତ୍ରକଳା ସାଧନା ନିମନ୍ତେ ‘ଗୁରୁ ଦେବପ୍ରସାଦ ଜୀବନବ୍ୟାପୀ ସାଧନା ସମ୍ମାନ ୨୦୨୩’ ପ୍ରଦାନ କରାଯିବ।

ଏହି ଅବସରରେ ୫ ଜଣଙ୍କୁ ଗୁରୁ ଦେବପ୍ରସାଦ ସମ୍ମାନ ଏବଂ ଦୁଇ ଜଣଙ୍କୁ ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଓଡ଼ିଶୀ ନୃତ୍ୟ ପାଇଁ ପଦ୍ମଶ୍ରୀ ଇଲେଆନା ଚିତାରିସ୍ତି, କଥକ ପାଇଁ ପଦ୍ମଶ୍ରୀ କମଳିନୀ ଅସ୍ଥାନା ଏବଂ ପଦ୍ମଶ୍ରୀ ନଳିନୀ ଅସ୍ଥାନା, ଭାରତ ନାଟ୍ୟମ ପାଇଁ ପଦ୍ମଶ୍ରୀ ପ୍ରତିଭା ପ୍ରହ୍ଲାଦ ଏବଂ ସତ୍ତ୍ରିୟା ନୃତ୍ୟ ପାଇଁ ଗୁରୁ ରାମକ୍ରିଷ୍ଣା ତାଲୁକଦାର ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ ୨୦୨୩।

ସେହିପରି ଓଡ଼ିଶୀ ନୃତ୍ୟ ପାଇଁ ଗୁରୁ ସୋନାଲି ମହାପାତ୍ର ଏବଂ ଦୀପିକା ପ୍ରିୟଦର୍ଶିନୀଙ୍କୁ ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ ୨୦୨୩ ପ୍ରଦାନ କରାଯିବ।

ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଉତ୍ସବର ପ୍ରତି ସନ୍ଧ୍ୟାରେ ସମ୍ମାନ ପ୍ରଦାନ ସହ ନୃତ୍ୟ ଏବଂ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି। ପ୍ରଥମ ସନ୍ଧ୍ୟାରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ଦଳଗତ ନୃତ୍ୟ ପରିବେଷଣ କରାଯିବ। ପ୍ରଥମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ପାଲଟିବ ପଣ୍ଡିତ ତାରୁଣ ଭଟ୍ଟାଚାର୍ଯ୍ୟଙ୍କ ସନ୍ତୁର ବାଦନ, ପଣ୍ଡିତ ରୋନୁ ମଜୁମଦାରଙ୍କ ବଂଶୀ ବାଦନ ଏବଂ ପଣ୍ଡିତ ପ୍ରସଞ୍ଜିତ ପୋଦ୍ଦାରଙ୍କ ତବଲା ବାଦନ।

ସେହିପରି ଅକ୍ଟୋବର ୨୭ ତାରିଖ ଦ୍ଵିତୀୟ ସନ୍ଧ୍ୟାରେ ଗୁରୁ ସୋନାଲି ମହାପାତ୍ର ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହା ପରେ ପଣ୍ଡିତ ମନୋଜ କେଡ଼ିଆ ଏବଂ ପଣ୍ଡିତ ମୋରମୁକୁଟ କେଡ଼ିଆ ସୀତାର ଏବଂ ସାରଦ ଯୁଗଳବନ୍ଦୀ ପରିବେଷଣ କରିବେ। ଏହା ସହ ରୋହନ ବୋଷ ତବଲା ବାଦନ କରିବେ।

ଆସନ୍ତା ଅକ୍ଟୋବର ୨୮ ତାରିଖ ତୃତୀୟ ସନ୍ଧ୍ୟାରେ ବାଗ୍ମୀଶ୍ରୀ ଦାସ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହା ସହ ଗୁରୁ ଧନେଶ୍ଵର ସ୍ଵାଇଁ ଏବଂ ଗୁରୁ ସଚ୍ଚିଦାନନ୍ଦ ଦାସ ଦୈତ ମର୍ଦ୍ଦଳ ବାଦନ କରିବେ। ପଣ୍ଡିତ ଶିବ ପ୍ରସାଦ ରଥ ଶାସ୍ତ୍ରୀୟ ସଂଗୀତ ପରିବେଷଣ କରିବେ।

ସେହିପରି ଅକ୍ଟୋବର ୨୯ ତାରିଖ ଚତୁର୍ଥ ସନ୍ଧ୍ୟାରେ ପ୍ରଦ୍ମଶ୍ରୀ ଇଲେଆନା ଚିତାରିସ୍ତି ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହା ସହ କଳା ବିକାଶ କେନ୍ଦ୍ରରର ଶିଳ୍ପୀମାନେ ଦଳଗତ ନୃତ୍ୟ ପରିବେଷଣ କରିବା ସହ ଗୁରୁ ରାମକ୍ରିଷ୍ଣା ତାଲୁକଦାର ଏବଂ ବିଦୁଶୀ ରୁମି ତାଲୁକଦାର ଦ୍ୱୈତ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବେ। ଶେଷରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀମାନେ ପାରମ୍ପରିକ ସଙ୍ଗୀତ ଗାନ କରିବେ।

ଅକ୍ଟୋବର ୩୦ ତାରିଖ ଶେଷ ସନ୍ଧ୍ୟାରେ ଗୁରୁ ଦେବପ୍ରସାଦ ସମ୍ମାନ ଏବଂ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଏହି ଅବସରରେ ପଦ୍ମଶ୍ରୀ ପ୍ରତିଭା ପ୍ରହ୍ଲାଦ ଏକକ ଭାରତନାଟ୍ୟମ ନୃତ୍ୟ ପରିବେଷଣ କରିବେ। ଏହା ପଦ୍ମଶ୍ରୀ ନଳିନୀ ଅସ୍ଥାନା ଏବଂ ପଦ୍ମଶ୍ରୀ କମଳିନୀ ଅସ୍ଥାନା ଦ୍ୱୈତ କଥକ ନୃତ୍ୟ ପରିବେଷଣ କରିବେ। ପଦ୍ମ ବିଭୂଷର ପଣ୍ଡିତ ହରିପ୍ରସାଦ ଚୌରାସିଆ ଏବଂ ବୃନ୍ଦାବନ ଗୁରୁକୁଳ ଦ୍ଵାରା ବଂଶୀ ବାଦନ ଶେଷ ସନ୍ଧ୍ୟାର ଆକର୍ଷଣ ପାଲଟିବ।

Tags: #GuruDebaprasadLifetimeAchievementAward2023 #PadmaBhusanJatinDas #GuruDebaprasadAwardFestival #Odissi #classical

LEAVE A REPLY

Please enter your comment!
Please enter your name here