ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମାର୍ଚ୍ଚ ୨୨ରୁ ଧଉଳି କଳିଙ୍ଗ ମହୋତ୍ସବ
  • ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ୩ ଦିନ ଚାଲିବ ଉତ୍ସବ
  • ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ଏବଂ ସମରକଳାର ସମନ୍ୱୟ
  • ବୁଦ୍ଧ ସମ୍ମାନ ପାଇବେ ପ୍ରଫେସର ପ୍ରିୟମ୍ବଦା ମହାନ୍ତି

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଏବଂ ବିଭିନ୍ନ ସଙ୍ଗୀତ ଧାରା ସହ ପ୍ରସିଦ୍ଧ ସମରକଳାକୁ ଗୋଟିଏ ମଞ୍ଚରେ ଉପସ୍ଥାପନ କରିଆସୁଛି ଧଉଳି-କଳିଙ୍ଗ ମହୋତ୍ସବ। ପ୍ରସିଦ୍ଧ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ୧୮ ବର୍ଷ ଧରି ଆୟୋଜିତ ହୋଇଆସୁଛି ଏହି ବାର୍ଷିକ ବିଶେଷ ଅନୁଷ୍ଠାନ। ‘ଓଡ଼ିଶା ପର୍ଯ୍ୟଟନ’ ପ୍ରସ୍ତୁତ ତଥା ‘ଓଡ଼ିଶା ଡ୍ୟାନ୍ସ ଏକାଡେମି’ ଦ୍ୱାରା ଆୟୋଜିତ ଏହି ମଞ୍ଚ ଦେଶର ଏକ ପ୍ରସିଦ୍ଧ ନୃତ୍ୟ ମହୋତ୍ସବର ରୂପ ନେଇଛି। ଚଳିତ ବର୍ଷ ମାର୍ଚ୍ଚ ୨୨ରୁ ୨୪ ଯାଏଁ ଏହି ଉତ୍ସବ ଚାଲିବ।Dhauli-Kalinga Mahotsav

ଧଉଳି କଳିଙ୍ଗ ମହୋତ୍ସବର ପ୍ରସ୍ତୁତି ନେଇ ଓଡ଼ିଶା ଡ୍ୟାନ୍ସ ଏକାଡେମି ପରିସରରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର ସମ୍ପାଦିକା ତଥା ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି, ଆର୍ଟ ଭିଜନର ପ୍ରତିଷ୍ଠାତା ଇଲିଆନା ଚିତାରିସ୍ତି ଓ ରାଜ୍ୟ ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଦୀର୍ଘ ବର୍ଷ ଧରି ଧଉଳି ପାଦଦେଶରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଆସୁଛି ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ଇଲିଆନା ଚିତାରିସ୍ତିଙ୍କ ଅନୁଷ୍ଠାନ ‘ଆର୍ଟ ଭିଜିନ’।Dhauli-Kalinga Mahotsav

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ଡ୍ୟାନ୍ସ ଏକାଡେମି ତରଫରୁ ବୁଦ୍ଧ ସମ୍ମାନ, ନୃତ୍ୟ ସଙ୍ଗୀତ କ୍ଷେତ୍ରରେ ପରିଚିତ ପାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ।

ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରୟମ୍ବଦା ମହାନ୍ତିଙ୍କୁ ଏହି ବୁଦ୍ଧ ସମ୍ମାନ ପ୍ରଦାନ କରାଯିବ। ସେହିପରି ଗୁରୁ ଦୂର୍ଗାଚରଣ ରଣବୀର, ଲକ୍ଷ୍ମୀକାନ୍ତ ପାଲିତ, ସଙ୍ଗୀତଜ୍ଞ ନିତ୍ୟାନନ୍ଦ ମିଶ୍ର, ବିଶିଷ୍ଠ ସଂସ୍କୃତି ବିଶାରଦ ସୋମଦତ୍ତ ବେହୁରାଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ପ୍ରଦାନ କରାଯିବ।Dhauli-Kalinga Mahotsav

‘‘ଓଡ଼ିଶା ତା’ର କଳା ସଂସ୍କୃତିକୁ ନେଇ ବିଶ୍ୱ ଦରବାରରେ ପରିଚିତ ହୋଇଛି। ଓଡ଼ିଶାର ଏହି ପରିଚୟକୁ ଆହୁରି ମଜବୁତ କରିବା ପାଇଁ ଏବଂ ଆମ ସାଂସ୍କୃତିକ ଧାରାକୁ ଦେଶ ବିଦେଶ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ନେଇଛି ଧଉଳି କଳିଙ୍ଗ ମହୋତ୍ସବ। କାରଣ ଏଭଳି ଏକ ବାର୍ଷିକ ସାଂସ୍କୃତିକ ଉତ୍ସବ ମାଧ୍ୟମରେ ବର୍ଷ ପରେ ବର୍ଷ ଆମେ ଓଡ଼ିଶାର ପରିଚୟକୁ ପାଦେ ପାଦେ ଆଗକୁ ନେବା ପାଇଁ ଚେଷ୍ଟା କରୁଛୁ’’, କହିଛନ୍ତି ପଦ୍ମଶ୍ରୀ ଡକ୍ଟର ଅରୁଣା ମହାନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ଉତ୍ସବର ଏକ ପ୍ରମୁଖ ଲକ୍ଷ୍ୟ ହେଲା ଦେଶର ଯୁବ ସମାଜ ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ଭାରତୀୟ ସଂସ୍କୃତିର ମହାନ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଜଣାଇବା’’।

ଧଉଳି-କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଓଡ଼ିଶାରେ କେବଳ କୋଣାର୍କ ମହୋତ୍ସବ ହେଉଥିଲା। ଅନ୍ୟ କୌଣସି ମହୋତ୍ସବ ଯେତେବେଳେ ଆରମ୍ଭ ହୋଇ ନଥିଲା ସେତେବେଳେ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା।

Comment