ଓଡ଼ିଶାଲାଇଭ୍ ବ୍ୟୁରୋ

  • ୫୦ ବର୍ଷ ପୂର୍ଣ୍ଣ କଲା ଧଉଳି
  • ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ହେବ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ
  • ଶାନ୍ତିର ବାର୍ତ୍ତା ଦେଉଛି ଧଉଳି: ମୁଖ୍ୟମନ୍ତ୍ରୀ

୧୯୭୨ ମସିହାରେ ଧଉଳି ପାହାଡରେ ପ୍ରତିଷ୍ଠିତ ଶାନ୍ତିସ୍ତୂପ ଏବଂ ବୌଦ୍ଧ ପୁଣ୍ୟପୀଠ ପୂରଣ କରିଛି ୫୦ ବର୍ଷ। ଏହାକୁ ସ୍ମରଣୀୟ କରିବା ପାଇଁ ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି। ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୌଦ୍ଧ ସନ୍ୟାସୀମାନେ ପାରମ୍ପରିକ ବାଦ୍ୟ ବଜାଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିଥିଲେ। ସାଧୁଙ୍କ ମନ୍ତ୍ର ଧ୍ଵନିରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ପରିବେଶ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଧଉଳି ଶାନ୍ତିସ୍ତୂପ ହେଉଛି ମାନବିକତା ବିଜୟର ଏକ ବଡ଼ ପ୍ରତୀକ। ଶାନ୍ତିର କୌଣସି ବିକଳ୍ପ ନାହିଁ। ସୁସ୍ଥ, ସମୃଦ୍ଧ ଓ ଶାନ୍ତିପୂର୍ଣ୍ଣ ପୃଥିବୀ ଗଠନ କରିବା ପାଇଁ ଆସନ୍ତୁ ଆମେ ସମସ୍ତେ ସହଯୋଗର ହାତ ବଢ଼ାଇବା।”

ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ସମସ୍ତଙ୍କ ପାଇଁ ସୁବର୍ଣ୍ଣ ମୁହୂର୍ତ୍ତ। କଳିଙ୍ଗ ଯୁଦ୍ଧ ଓ ଧଉଳି ପୃଥିବୀ ଇତିହାସରେ ଯୋଡ଼ି ହୋଇଛି ଆଉ ଏକ ନୂତନ ଅଧ୍ୟାୟ। ବିଶ୍ଵ ଶାନ୍ତି ଓ ସୌହାର୍ଦ୍ୟର ବାର୍ତ୍ତା ଦେଇଛି ଏହି ପବିତ୍ର ସ୍ଥାନ। ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଆମ ସମସ୍ତଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଧଉଳିକୁ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେବା ସହ ୯୫ କୋଟି ଟଙ୍କା ବ୍ୟୟରେ ଦୟା ନଦୀରେ ଏକ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ନିର୍ମାଣ ନିମନ୍ତେ ଘୋଷଣା କରିଛନ୍ତି।

ଶାନ୍ତିସ୍ତୂପର ସୁବର୍ଣ୍ଣ ଉତ୍ସବରେ ଯୋଗ ଦେଇଥିବା ଶତାଧିକ ବୌଦ୍ଧ ଧର୍ମର ସାଧୁଙ୍କ ଶାନ୍ତିମନ୍ତ୍ରରେ କମ୍ପିଥିଲା ପୂରା ପରିବେଶ। ଧଉଳି ହେଉଛି ଆଧୁନିକ ସ୍ଥାପତ୍ୟ କଳାର ବଡ଼ କୀର୍ତ୍ତିରାଜି। ଏହି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟକରଣ ସହ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି।

ସମଗ୍ର ବିଶ୍ଵର ବିଭିନ୍ନ ଦେଶରୁ ଏହି ଉତ୍ସବରେ ଏକାଠି ହୋଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ଅଶ୍ଵିନୀ ପାତ୍ର, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି କେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ଥିଲେ।

Tags: #Dhauli #ShantiShupa #Dhauli@50 #GoldenJubilee

Comment