ଶୁଭଶ୍ରୀ ନାୟକ

ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ରଙ୍କ ସହ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ତାଙ୍କ ନୃତ୍ୟ ଜୀବନର କାହାଣୀ।…

ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁ ସୁଜାତା ମହାପାତ୍ର। ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାଆନ୍ତି। ମଞ୍ଚରେ ତାଙ୍କ ଉପସ୍ଥିତି ସବୁବେଳେ ଦେଖେଣାହାରୀଙ୍କୁ ମୁଗ୍ଧ କରିଥାଏ।

ଏହାଛଡ଼ା ଓଡ଼ିଶୀ ଶିକ୍ଷା କ୍ଷେତ୍ରରେ ତାଙ୍କର ଉପସ୍ଥିତି ଆଜି କେବଳ ରାଜ୍ୟରେ ନୁହେଁ, ବରଂ ରାଜ୍ୟ ଓ ଦେଶ ବାହାରେ ହଜାର ହଜାର ଓଡ଼ିଶୀ ନୃତ୍ୟଶିଳ୍ପୀ ତିଆରି କରିଛି। ଏହି ଅବଦାନ ପାଇଁ ୨୦୧୮ରେ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଛି।

ସୁଜାତା ମହାପାତ୍ର ୧୯୬୮ ମସିହାରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ତାଙ୍କ ଭିତରେ ନୃତ୍ୟ ପ୍ରତି ଦୁର୍ବଳତା ରହିଥିଲା। ତାଙ୍କ ମା’ ଜଣେ ଓଡ଼ିଶୀ ନୃତ୍ୟ ଓ ଓ ସଙ୍ଗୀତ ଶିକ୍ଷୟିତ୍ରୀ ହୋଇଥିବାରୁ ସେ ତାଙ୍କ ମା’ଙ୍କଠାରୁ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ। ତା’ ପରେ ସ୍କୁଲ ସମୟରେ ସେ ପ୍ରଥମେ ସୁଧାକର ସାହୁଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ।କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ସ୍ନାତୋକତ୍ତର କରିବା ବେଳେ ତାଙ୍କ ବାପା ତାଙ୍କୁ ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖେ ନୃତ୍ୟ ଶିକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ୧୯୮୭ ମସିହାରେ ଭୁବନେଶ୍ୱର ଆସିଥିଲେ ସୁଜାତା। ପରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପଦ୍ମ ବିଭୂଷଣ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ନେଇଥିଲେ। ଏହି ସମୟରେ କେଳୁଚରଣ ମହାପାତ୍ରଙ୍କ ପୁଅ ରତିକାନ୍ତ ମହାପାତ୍ରଙ୍କୁ ବିବାହ କରିଥିଲେ।

ରତିକାନ୍ତ ମହାପାତ୍ର ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ, ନୃତ୍ୟ ନିର୍ଦ୍ଦେଶକ ଓ ଜଣେ ନିପୁଣ ମର୍ଦ୍ଦଳବାଦକ, ଯାହାକି ଏକ ଓଡିଶୀ ତାଳ ବାଦ୍ୟ। ରତିକାନ୍ତ ଓ ସୁଜାତାଙ୍କ ଝିଅ ପ୍ରୀତିଷା ବି ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା।

‘‘ସେ ସମୟରେ ବାଲେଶ୍ୱର ବହୁତ ଗାଉଁଲି ଅଞ୍ଚଳ ଥିଲା। ସେଠୁ ଆସି ଭୁବନେଶ୍ୱରରେ ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ଶିକ୍ଷା କରିବା ମୋ ପାଇଁ ସୌଭାଗ୍ୟର କଥା ଥିଲା। ଆଜି ମୁଁ ଯାହା, ସବୁ କିଛି ଗୁରୁଜୀଙ୍କ ପାଇଁ ’’, କହନ୍ତି ସୁଜାତା ମହାପାତ୍ର।

ସୁଜାତାଙ୍କୁ ପ୍ରଭାବିତ କରିଥିଲେ ସଂଯୁକ୍ତା ପାଣିଗ୍ରାହୀ ଓ କୁମକୁମ ମହାନ୍ତି

କ୍ୟାରିୟରର ଆରମ୍ଭ ସମୟରେ ମୋ ଉପରେ ବିଶିଷ୍ଟ ନୃତ୍ୟଶିଳ୍ପୀ ତଥା ଗୁରୁ ସଂଯୁକ୍ତା ପଣିଗ୍ରାହୀ ଓ ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କ ପ୍ରଭାବ ପଡ଼ିଥିଲା। ସେମାନେ ଯେଭଳି ଭାବେ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରୁଥିଲେ, ତାଙ୍କୁ ଦେଖି ସୁଜାତା ଆଶ୍ଚର୍ଯ୍ୟ ହେଉଥିଲେ। ଦିନେ ସେ ମଧ୍ୟ ଏଭଳି ନୃତ୍ୟ କରିବେ ସେ କଥା ମନେ ମନେ ଭାବୁଥିଲେ। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସୁଜାତା ଆଜି ଜଣେ ଖ୍ୟାତିସମ୍ପନ୍ନା ନୃତ୍ୟାଙ୍ଗନା।

ପ୍ରତିଭା ଥିଲେ ସୁଯୋଗ ମିଳିବ – ସୁଜାତା

‘‘ମତେ ଅନେକ ଲୋକ କହନ୍ତି, ମୁଁ ଗୁରୁ କେଳୁଚରଣ ମହାପାତ୍ରଙ୍କ ବୋହୂ ବୋଲି ମତେ ବେଶୀ ସୁଯୋଗ ମିଳିଛି। ହଁ ଏ କଥା ସତ ଯେ ମତେ ସୁଯୋଗ ମିଳିଛି, କିନ୍ତୁ ମୁଁ ପ୍ରତିଭା ଯୋଗୁଁ ଏବେ ବି ନିଜ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛି। ପ୍ରତିଭା ନଥିଲେ ଯେତେ ସୁଯୋଗ ମିଳିଲେ ବି ତିଷ୍ଠି ହୁଏନି’’, କହନ୍ତି ସୁଜାତା।ଯେତେବେଳେ ଗୁରୁଜୀ ସୁଜାତାଙ୍କୁ ‘କାଳି’ ବୋଲି ସମ୍ବୋଧନ କରିଥିଲେ

ଯେତେବେଳେ ସୁଜାତା ଗୁରୁ କେଳୁଚରଣ ମହାପାତ୍ରଙ୍କ ପାଖକୁ ନୃତ୍ୟ ଶିକ୍ଷା କରିବାକୁ ଆସିଥିଲେ, ସେତେବେଳେ ଗୁରୁଜୀ ତାଙ୍କ ‘ଆରେ କାଳି, ତୁ କୋଉଠୁ ଆସିଛୁ’ କହିଥିଲେ। ସେ ଦିନ ଗୁରୁଜୀଙ୍କ କଥା ଶୁଣି ନିଜ ଶରୀରର ରଙ୍ଗ ପାଇଁ ମନେ ମନେ ଦୁଃଖୀ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେଇ ସମ୍ବୋଧନ ଗୁରୁଜୀଙ୍କ ସ୍ନେହ ଥିଲା ବୋଲି ବୁଝିପାରିଥିଲେ। ଏହାପରେ ସେ ଆଉ ଦେହର ରଙ୍ଗକୁ ନେଇ ବିଚଳିତ ହୋଇନଥିଲେ।

ତେଣୁ ଏବେ ଶରୀରର ରଙ୍ଗକୁ ନେଇ ସୁଜାତାଙ୍କୁ ପଚାରିଲେ ସେ କହନ୍ତି, ‘‘ରଙ୍ଗ ଗୌଣ, ଗୁଣ କିନ୍ତୁ ମୁଖ୍ୟ। ଯଦି ଗୁଣ ସୁନ୍ଦର ଥାଏ ତାହେଲେ ଆପଣଙ୍କୁ ସମସ୍ତେ ଭଲ ପାଇବେ। ମଣିଷର ସୌନ୍ଦର୍ଯ୍ୟଟା ବେଶୀ ଫୁଟି ଉଠିବ। ତେଣୁ ଯଦି ମାନସିକତା ବଦଳିଯାଏ ତାହେଲେ ରଙ୍ଗ ଆଉ କାହାରି ବାଟରେ ପ୍ରତିବନ୍ଧକ ହେବନାହିଁ।’’

sujata mohapatra

‘‘ଓଡ଼ିଶୀର ମୌଳିକତା ବଜାୟ ରହୁ’’

ଆଗରୁ ଓଡ଼ିଶୀ ଭିନ୍ନ ଥିଲା। ଏବେ କିଛି ଟା ପରିବର୍ତ୍ତନ ଆସିଛି।  ହେଲେ ସେ ଫରକକୁ ଅଧିକ ଗୁରୁତ୍ୱ ଦିଆଯିବା କଥା ନୁହେଁ।  ଓଡ଼ିଶୀର ଅତୀତ, ବର୍ତ୍ତମାନକୁ ଯୋଡ଼ିବା ଲାଗି ଏହାର ମୌଳିକତା ରହିଛି। ପ୍ରତିଦିନ ଭିନ୍ନତା ଆସୁଛି। ପରିବର୍ତ୍ତନ ତ ଆସିବ କିନ୍ତୁ ଆମେ ଯେମିତି ଆମର ମୌଳିକତା ଭୁଲି ଯିବାନି ବୋଲି ସୁଜାତା କହନ୍ତି।

Comment