ଓଡ଼ିଶାଲାଇଭ୍ ବ୍ୟୁରୋ

ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ କୋଣାର୍କ ଉତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କୋଣାର୍କ ଉତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଭାରତନାଟ୍ୟମ ଓ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ନୃତ୍ୟନାଟିକା ମଞ୍ଚସ୍ଥ ହୋଇଥିଲା। ଏଥିରେ ଦର୍ଶକ ମଜି ଯାଇଥିଲେ।

ଭାରତନାଟ୍ୟମର ବିବିଧ ସ୍ତବକକୁ ନେଇ ମଞ୍ଚରେ ପ୍ରବେଶ କରିଥିଲେ ଗୁରୁ ବୈଭବ ଆରେକର ଓ ସାଥୀ। ପ୍ରଥମ ପ୍ରସ୍ତୁତିରେ ଅର୍କ କ୍ଷେତ୍ରର ଆରାଧ୍ୟ ଆଦିତ୍ୟ ନାରାୟଣଙ୍କ ଉପାସନା ଆଧାରିତ ସୂର୍ଯ୍ୟ ସ୍ତୁତି ପରିବେଷଣ କରାଯାଇଥିଲା। ପରେ ଯତିଶ୍ୱରମ୍ ଉପସ୍ଥାପିତ ହୋଇଥିଲା।

ଅନ୍ତିମ ପ୍ରସ୍ତୁତିରେ ବୈଭବ ଆରେକର୍ କବିରାଜ ଜୟଦେବଙ୍କ ଶ୍ରୀ ଗୀତଗୋବିନ୍ଦମ୍ କାବ୍ୟ ଅର୍ନ୍ତଗତ ଦଶାବତାରକୁ ନିଖୁଣ ଭାବେ ଉପସ୍ଥାପନ କରି ମୋହିତ କରିଥିଲେ ନୃତ୍ୟାନୁରାଗୀ ଦର୍ଶକଙ୍କୁ।

ପରେ ହରିବଂଶ ମହାପୁରାଣର ଗାଥା ହଂସଦୂତ ନୃତ୍ୟନାଟିକାକୁ ମଞ୍ଚସ୍ଥ କରିଥିଲେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀଗଣ। ହଂସକୁ ଦୂତ ରୂପେ ପ୍ରେରଣ କରି ଦେବରାଜ ଇନ୍ଦ୍ର ନିଜ ଇନ୍ଦ୍ରପଦକୁ ସୁରକ୍ଷିତ ରଖିବା ସହ ବଜ୍ରନାଭର ଦର୍ପକୁ ଚୁନା କରିବାର ପ୍ରସଙ୍ଗକୁ ଅତି ଆବେଗପୂର୍ଣ୍ଣ ଓ ବଳିଷ୍ଠ ଭାବେ ମଞ୍ଚସ୍ଥ କରିଥିଲେ ଶିଳ୍ପୀଗଣ।

ଡକ୍ଟର ସଂଗୀତା ଗୋସାଇଁଙ୍କ ପରିକଳ୍ପନା ଓ ଗୁରୁ ସଦାଶିବ ପ୍ରଧାନଙ୍କ ରଚନାକୁ ନେଇ ଏହି ନୃତ୍ୟ ପରିବେଷଣ ହୋଇଥିଲା। ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତିଙ୍କ ସଂଗୀତ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ତାଳ ରଚନା ଆଧାରରେ ନୃତ୍ୟ ସଂଯୋଜନା କରିଥିଲେ ଗୁରୁ କସ୍ତୁରୀ ପଟ୍ଟନାୟକ।

ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ। ଉଦ୍‌ଯାପନୀ ସଂଧ୍ୟାର ଅତିଥି ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲାକ୍ରିଷ୍ଣନ୍, ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣୀଗ୍ରାହି, ପର୍ଯ୍ୟଟନ ସଚିବ ବିଶାଲ ଦେବ, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାୱଲେ। ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ ଯୋଗ ଦେଇଥିଲେ।

ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉତ୍ପଳ ପତି ଓ ରତିକାନ୍ତ ପଟ୍ଟନାୟକ, ବିଜୟ କୁମାର ଜେନା, ସରୋଜ କାନ୍ତ ପ୍ରଧାନ କର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏପଟେ ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ମଧ୍ୟ ଉଦ୍‌ଯାପିତ ହୋଇଛି।  ମନ୍ଦିର ଓ କିର୍ତ୍ତିରାଜିକୁ ନେଇ ବାଲୁକା ଶିଳ୍ପୀମାନେ ନିଖୁଣ କଳା ଚାତୁରିକୁ ପ୍ରଦର୍ଶିତ କରିଥିଲେ। କୋଣାର୍କ ଉତ୍ସବ ମଞ୍ଚରେ ବାଲୁକା ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Comment