ଓଡ଼ିଶାଲାଇଭ୍ ବ୍ୟୁରୋ

ପାଖେଇ ଆସୁଛି ଧାମନଗର ବିଧାନସଭା ଉପନିର୍ବାଚନ। ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପ୍ରଚାରରେ ଲାଗି ପଡ଼ିଛନ୍ତି ହେଭିଓ୍ଵେଟ। ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ।

ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ବିଧାନସଭା ଉପନିର୍ବାଚନ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡ଼ିଛନ୍ତି ବିଭିନ୍ନ ଦଳର ହେଭିଓ୍ଵେଟ। ରାଲି, ରୋଡ ସୋ’ ଏବଂ ଘରକୁ ଘର ବୁଲି ଭୋଟରଙ୍କୁ ଭୋଟ ମାଗୁଛନ୍ତି ପ୍ରାର୍ଥୀ। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବ କଂଗ୍ରେସ ସହ ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ୁଥିବା ରାଜେନ୍ଦ୍ର ଦାସ ମଧ୍ୟ ନିଜ ସମର୍ଥଙ୍କୁ ଧରି ଓହ୍ଲାଇଛନ୍ତି ପ୍ରଚାର ମଇଦାନକୁ।

ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରୁଛନ୍ତି ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଶ୍ଵେଶ୍ଵର ଓ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର। ପ୍ରଚାରର ଦ୍ଵିତୀୟ ଦିନରେ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଧାମନଗରରେ ନିଶ୍ଚୟ ବିଜୟୀ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି ମଧ୍ୟ କହିଛନ୍ତି, “ଏହି ଲଢ଼େଇ ହେଉଛି ଧାମନଗରବାସୀଙ୍କର ସ୍ଵାଭିମାନର ଲଢ଼େଇ। ଦିବଙ୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କର ଧାମନଗର ମାଟିରେ ଯେତିକି ଲୋକପ୍ରିୟତା ଥିଲା, ତାଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଧ୍ୟ ଧାମନଗରବାସୀଙ୍କର ସେତିକି ସମର୍ଥନ ରହିଛି। ୨୨ ବର୍ଷ ଧରି ଚାଲିଥିବା ଅପାରଗ ଶାସନର ଏଥର ଧାମନଗରବାସୀ ଜବାବ ଦେବେ। ଧାମନଗର ମାଟିରେ ବିଜେପି ଜିତିବ।”

ଏହା ପୂର୍ବରୁ ଗୁରୁବାର ଦିନ ମଧ୍ୟ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ ଓ ସମ୍ବିତ ପାତ୍ର। ଧର୍ମେନ୍ଦ୍ର ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ରୋଡ୍ ସୋ’ କରି ସୂରଜଙ୍କୁ ଜିତାଇବା ଲାଗି ଭୋଟରଙ୍କୁ ନିବେଦନ କରିଥିବାବବେଳେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ସମ୍ବିତ ପାତ୍ର ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ।

ନିଜ ପ୍ରାର୍ଥୀକୁ ବିଜୟୀ କରିବା ଲାଗି ଏ କ୍ଷେତ୍ରରେ ପଛରେ ନାହିଁ ବିଜେଡି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ଧାମନଗର ଉନିର୍ବାଚନରେ ଜିତାଇବା ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଦଳର ହେଭିଓ୍ଵେଟ ନେତାମାନେ। ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ବିଜେଡିର ବିକାଶ କଥା କହି ଉପନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି ବିଜେଡି। ବିଧାୟକ ପ୍ରଣବ ବଳବନ୍ତରାୟ, ଅଶୋକ ବଳ, ସାଂସଦ ମଞ୍ଜୁଲତା ମଣ୍ଡଳ, ବ୍ୟୋମକେଶ ରାୟ ଏବଂ ବିଜେଡି ମୁଖପାତ୍ର ଏଲିନା ଦାଶ ପ୍ରମୁଖ ପ୍ରଚାରରେ ଲାଗି ପଡ଼ିଛନ୍ତି।

କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ମଧ୍ୟ ଜୋରସୋର ପ୍ରଚାର ଚାଲିଛି। ଦଳର ସହ ପ୍ରଭାରୀ ରୁଦ୍ର ରାଜୁ ଓ ବିଧାୟକ ସୁରେଶ ରାଉତରାୟ ପ୍ରଚାର କରୁଛନ୍ତି। ସେହିପରି ନିଜ ସମର୍ଥକଙ୍କୁ ନେଇ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ରୋଡ ସୋ’ କରି ଭୋଟରଙ୍କ ମନ କିଣିବାକୁ ପ୍ରୟାସ ଜାରି ରଖିଛନ୍ତି।

ଅନ୍ୟ ପକ୍ଷରେ ଆଜି ସରକାରୀ ଜାଗାରେ ଲଗାଯାଇଥିବା ପୋଷ୍ଟର ଏବଂ ବ୍ୟାନର ହଟାଯିବାକୁ ନେଇ ବିଜେଡି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆସନ୍ତା ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ନଭେମ୍ବର ୬ ତାରିଖରେ ଭୋଟ ଗଣତି ହୋଇ ସେହିଦିନ ଫଳାଫଳ ଘୋଷଣା କରାଯିବ।

Tags: #Politics #OdishaPolitics #Election #DhamnagarByElection #BJD #BJP #Congress #Swadhin #ElectionCampaign

Comment