ଓଡ଼ିଶାଲାଇଭ୍ ବ୍ୟୁରୋ

Students of Asian Institute of Public Health (AIPH) University, Bhubaneswar at the campus

ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ଏବଂ ଅଲ ଇଣ୍ଡିଆ କାଉନସିଲ ଅଫ ଟେକ୍ନିକାଲ ଏଜୁକେସନ ଇନଷ୍ଟିଚ୍ୟୁଟ(ଏଆଇସିଟିଇ) ପକ୍ଷରୁ ଘୋଷଣା କରାଯାଇଛି ଯେ, ବିଦେଶରେ ଥିବା ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟ ସହଯୋଗରେ ଏଡୁଟେକ୍ କମ୍ପାନିଗୁଡ଼ିକ ଦ୍ଵାରା ଉପଲବ୍ଧ କରାଯାଉଥିବା ଅନ୍‌ଲାଇନ୍ ପିଏଚଡି କୋର୍ସକୁ ୟୁଜିସି ମାନ୍ୟତା ପ୍ରଦାନ କରିବ ନାହିଁ। ଏ ନେଇ ୟୁଜିସି ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। ଚଳିତ ବର୍ଷ ଦ୍ଵିତୀୟ ଥର ଲାଗି ଏହି ଭଳି ନୋଟିସ୍ ଜାରି କରିଛି ୟୁଜିସି।

ଡିଗ୍ରୀ ମାନଦଣ୍ଡକୁ ନେଇ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି ଏଡୁ-ଟେକ୍ କମ୍ପାନିଗୁଡ଼ିକ ସହଯୋଗରେ ଡିଷ୍ଟାଣ୍ଟ ଲର୍ଣ୍ଣିଂ ଏବଂ ଅନ୍‌ଲାଇନ୍ ମୋଡରେ ପିଏଚଡି କୋର୍ସ ଅଫର କରୁଥିବା ସ୍ଵୀକୃତି ପାଇନଥିବା ବିଶ୍ଵବିଦ୍ୟାଳୟ ଏବଂ ସଂସ୍ଥାଗୁଡ଼ିକୁ ବର୍ଷ ପ୍ରାରମ୍ଭରେ ୟୁଜିସି ଏବଂ ଏଆଇସିଟିଇ ପକ୍ଷରୁ ଚେତାବନୀ ଦିଆଯାଇଥିଲା।

ୟୁଜିସି ପକ୍ଷରୁ କୁହାଯାଇଥିଲା ଯେ, “ପିଏଚଡି ଡିଗ୍ରୀ ପ୍ରଦାନ କରିବାର ମାନକକୁ ବଳବତ୍ତର ରଖିବା ପାଇଁ ସମସ୍ତ ଉଚ୍ଚ ଶିକ୍ଷା ଅନୁଷ୍ଠାନ(ଏଚଇଆଇ)ଗୁଡ଼ିକ ୟୁଜିସି ଏବଂ ଏଆଇସିଟିଇ ଦ୍ଵାରା ଜାରି କରାଯାଇଥିବା ମିଳିତ ନିର୍ଦ୍ଦେଶାନୁସାରେ ପିଏଚଡି ଡିଗ୍ରୀ ପ୍ରଦାନ କରିବା ପାଇଁ ୟୁଜିସିର ସମସ୍ତ ନିୟମ ଏବଂ ଏହାର ସଂଶୋଧନକୁ ପାଳନ କରିବାକୁ ବାଧ୍ୟ।

ୟୁଜିସି ପକ୍ଷରୁ ଜାରି କରାଯାଇଥିବା ନୋଟିସରେ ବିଦେଶରେ ଥିବା ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନ ବା ବିଶ୍ଵବିଦ୍ୟାଳୟଗୁଡ଼ିକ ସହଯୋଗରେ ଏଡୁ-ଟେକ୍ କମ୍ପାନିଗୁଡ଼ିକ ଦ୍ଵାରା ଅନଲାଇନ ପିଏଚଡି କୋର୍ସ ନିମନ୍ତେ ଦିଆଯାଉଥିବା ବିଜ୍ଞାପନଠାରୁ ଦୂରେଇ ରହିବା ଲାଗି ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏହି ପରି ଅନଲାଇନ ପିଏଚଡି କୋର୍ସଗୁଡ଼ିକୁ ୟୁଜିସି ମାନ୍ୟତା ପ୍ରଦାନ କରିନଥାଏ। ଆଡିମିଶନ କରିବା ପୂର୍ବରୁ ୟୁଜିସି ଅଧିନୟମ ୨୦୧୬ ଅନୁସାରେ ପିଏଚଡି କୋର୍ସର ସମ୍ପୂର୍ଣ୍ଣ ବିବରଣୀ ଯାଞ୍ଚ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ ଏବଂ ସାଧାରଣ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି।

Tags: #UGC #OnlinePhD #Education #HigherEducation #Student #PhDCourses #EdutechCompanies

Comment