ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ଉପନିର୍ବାଚନ ପାଇଁ କମ୍ପୁଛି ପ୍ରଚାର ମଇଦାନ। ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରିବାକୁ ଧାମନଗରବାସୀଙ୍କୁ ନିବେଦନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଧାମନଗର ବିକାଶର ଦାୟିତ୍ଵ ମୋର। ଧାମନଗରର ୬ଟି ଜିଲ୍ଲା ପରିଷଦ ଆସନରୁ ସବୁ ଆସନରେ ଆପଣମାନେ ବିଜୁ ଜନତା ଦଳକୁ ସେବା କରିବାର ସୁଯୋଗ ଦେଇଛନ୍ତି। ଏହା ସହିତ ଧାମନଗର ଏନଏସିର ୧୧ଟି ୱାର୍ଡରୁ ୯ଟି ୱାର୍ଡ ସହିତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଦାୟିତ୍ଵ ମଧ୍ୟ ଆପଣମାନେ ବିଜେଡିକୁ ଦେଇଛନ୍ତି। ମୋର ପୁରା ବିଶ୍ଵାସ, ଏହି ନିର୍ବାଚନରେ ମଧ୍ୟ ସେହି ଧାରା ଜାରି ରହିବ।”

“ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ମାତ୍ର ୧୮ ମାସ ରହିଲା। କିନ୍ତୁ ଏହି ସମୟ ମଧ୍ୟରେ ଆମେ ୫ ବର୍ଷର କାମ କରିପାରିବା। ମୁଁ ନିଜେ ଏହାକୁ ଦେଖିବି। ଧାମନଗରର ବିକାଶ ଧାରା ଆହୁରି ଆଗକୁ ବଢ଼ିବ। ମୋର ଅନୁରୋଧ, ଏହି ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ। ଆପଣମାନଙ୍କ ଅଞ୍ଚଳର ବିକାଶ ଦାୟିତ୍ଵ ମୋର। ଧାମନଗର ନିର୍ବାଚନ ମଣ୍ଡଳୀର ବିକାଶ ଦାୟିତ୍ଵ ମୋର”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଧାମନଗରବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆପଣମାନେ ଜାଣନ୍ତି ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କ ସାଥୀରେ ଅଛି। ସୁଖ ହେଉ କି ଦୁଃଖ ସବୁ ପରିସ୍ଥିତିରେ ଆପଣମାଙ୍କ ପାଖରେ ରହିଛି। ବିଜେଡି ସବୁ ବର୍ଗର ଲୋକଙ୍କ ପାଇଁ କାମ କରିଆସୁଛି। ଧାମନଗର ହେଉଛି ଶାନ୍ତି, ସଦ୍ଭାବର ଭୂମି। ଭାଇଚାରାର ଭୂମି। ଏହା ଧାମନଗରର ସବୁଠାରୁ ବଡ଼ ପରିଚୟ। ଏହି ପରିଚୟର ସୁରକ୍ଷା ପାଇଁ ଆମେ ସମସ୍ତେ କାମ କରୁଛୁ।”

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ବହୁତ ଖୁସି ଯେ, କାଳିଆ ଯୋଜନା ହେଉ ବା ମିଶନ ଶକ୍ତି କିମ୍ବା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ସବୁ ଯୋଜନାର ସୁବିଧା ଆପଣମାନଙ୍କ ପାଖରେ ପହଞ୍ଚି ପାରିଛି। ମା’ମାନେ ସଶକ୍ତ ହେଉଛନ୍ତି। ମିଶନ ଶକ୍ତି ସେମାନଙ୍କର ନୂଆ ପରିଚୟ ହୋଇଛି। ମା’ମାନଙ୍କ ଭଲ କାମ ହିଁ ମୋତେ ବହୁତ ଖୁସି ଦେଇଛି। ତେଣୁ ଜଣେ ମା’କୁ ଆପଣଙ୍କ ବିଧାୟକ ଭାବରେ ଦେଖିବାକୁ ମୁଁ ଚାହେଁ। ଆପଣମାନେ ବି ଚାହାନ୍ତି। ମା’ମାନେ ସବୁ ଦାୟିତ୍ଵ ସୁନ୍ଦର ଭାବରେ ନିର୍ବାହ କରିପାରୁଛନ୍ତି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଜି ବିକାଶ କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ।

୨୦୧୯ ନିର୍ବାଚନରେ ଆପଣମାନେ ଯେଉଁ ମତ ରଖିଥିଲେ, ୨୦୨୨ ପଞ୍ଚାୟତ ଓ ପୌର ନିର୍ବାଚନରେ ସେଥିରେ ପରିବର୍ତ୍ତନ କରିଛନ୍ତି। ଶଙ୍ଖ ଚିହ୍ନରେ ବିଶ୍ଵସ ରଖିଛନ୍ତି। ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣମାନେ ବିଜୁ ଜନତା ଦଳକୁ, ଶଙ୍ଖ ଚିହ୍ନକୁ ଯେଭଳି ବିପୁଳ ସମର୍ଥନ ଦେଇଛନ୍ତି, ସେବାର ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ଋଣୀ। ଏଥର ମଧ୍ୟ ଧାମନଗରରେ ବିଜେଡି ବିଜୟୀ ହେବାକୁ ହେଲେ ଧାମନଗର ଜନସାଧାରଣଙ୍କର ଆଶୀର୍ବାଦର ଆବଶ୍ୟକତା ରହିଛି ବୋଲି  କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Tags: #Politics #OdishaPolitics #DhamnagarPolitics #CMOdisha #NaveenPatnaik #VirtualCampaign #Campaign #DhamnagarByElection

Comment