ଓଡ଼ିଶାଲାଇଭ୍ ବ୍ୟୁରୋ

  • ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ
  • ଜଳସାଥୀଙ୍କୁ ଯାତାୟତ ପାଇଁ ମିଳିବ ସାଇକେଲ
  • ଜଳସାଥୀମାନଙ୍କ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି

ଜଳସାଥୀମାନଙ୍କ ଦକ୍ଷ କରିବା ନିମନ୍ତେ ଲୋକସେବା ଭବନସ୍ଥିତ କନଭେନ୍ସନ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରି ଜଳସାଥୀମାନଙ୍କ ଯାତାୟତର ସୁବିଧା ନିମନ୍ତେ ସାଇକେଲ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

“ଜଳସାଥୀମାନେ ଜଳଯୋଗାଣ ବିଭାଗ ଏବଂ ଉପଭୋକ୍ତାମାନଙ୍କ ମଧ୍ୟରେ ବିଶ୍ଵାସର ସେତୁ ସାଜିଛନ୍ତି। ସେମାନଙ୍କ କାର୍ଯ୍ୟ ଦକ୍ଷତା ଦ୍ଵାରା ଜଳଯୋଗାଣର ଗୁଣବତ୍ତା ଓ ନିର୍ଭରଶୀଳତା ପ୍ରତିପାଦିତ ହୋଇପାରିଛି”, ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଏବଂ ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ରମରେ ମିଶନ ଶକ୍ତିର ମା’ ଏବଂ ତୃତୀୟ ଲିଙ୍ଗର ଭଉଣୀମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସେମାନେ ମିଟର ରିଡିଂ, ଜଳର ମାନ ପରୀକ୍ଷା, ନୂତନ ସଂଯୋଗ ଓ ବେନିୟମ ସଂଯୋଗ ଦୂର କରିବା କ୍ଷେତ୍ରରେ କାମ କରୁଛନ୍ତି। ଏଥିପାଇଁ ସେମାନଙ୍କୁ ତାଲିମ ଦିଆଯାଇଛି।

ବିକେନ୍ଦ୍ରୀକରଣ ଓ ଜନ ଭାଗିଦାରୀ (କମ୍ୟୁନିଟି ପାଟନରସିପ) ସହରାଞ୍ଚଳ ପରିଚାଳନା ମଡେଲର ଦୁଇ ଆଖି ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ, “ଜଳସାଥୀମାନେ ଏହି ଉଭୟ ଆଖିକୁ ପ୍ରତିନିଧିତ୍ଵ କରୁଛନ୍ତି। ୩ ବର୍ଷ ତଳେ ୫-ଟି ଉପକ୍ରମରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଆଜି ସାରା ଓଡ଼ିଶାର ସହରାଞ୍ଚଳରେ ଜଳସାଥୀ ମାନେ ଜଳଯୋଗାଣ କାର୍ଯ୍ୟକ୍ରମକୁ ସଫଳତାର ପରିଚାଳନା କରୁଛନ୍ତି।”

“ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ୧୧୪ଟି ସହରରୁ ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣର ବ୍ୟବସ୍ଥା କରାଯାଇପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୪୦ ଜଣ ଜଳସାଥୀ ୮.୪୦ ଲକ୍ଷ ଉପଭୋକ୍ତାଙ୍କ ଜଳଯୋଗାଣ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି। ଏ ବାବଦରେ ୬୭ କୋଟି ଟଙ୍କା ଜଳକର ଆଦାୟ କରିପାରିଛନ୍ତି। ସେମାନଙ୍କ ଦ୍ଵାରା ମିଟର ରିଡିଂ, ଜଳକର ଆଦାୟ ଓ ବେନିୟମ ପାଇପ ସଂଯୋଗ ଦୂର କରିବା କାର୍ଯ୍ୟରେ ବହୁତ ଉନ୍ନତି ଆସିଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଜଳସାଥୀ କାର୍ଯ୍ୟକ୍ରମ ସଫଳତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମିଶନ ଶକ୍ତି ଗୋଷ୍ଠୀଙ୍କୁ ସମ୍ପତ୍ତି କର ଆଦାୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଦ୍ଵାରା ସହରାଞ୍ଚଳରେ ରାଜସ୍ଵ ବୃଦ୍ଧି ହେବା ସହିତ ମିଶନ ଶକ୍ତି ମା’ମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବା ସହ ସେମାନଙ୍କର ସଶକ୍ତିକରଣ ହୋଇପାରିବ ବୋଲି ସେ କହିଛନ୍ତି।

“ରାଜ୍ୟ ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍‌ କାର୍ଯ୍ୟକ୍ରମ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏକ ମଡେଲ ହୋଇପାରିଛି। ଦେଶ ବିଦେଶରେ ଉଚ୍ଚ ପ୍ରଶଂସା କରାଯିବା ଏହି ମେଡଲକୁ କାର୍ଯ୍ୟକାରୀ କରାଯାଉଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ଓ ଜଳସାଥୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରରେ ପ୍ରାଥମିକତା ଦିଆଯାଇ ଅମୃତ ୨.୦ କାର୍ଯ୍ୟକ୍ରମରେ ସବୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜାଗା ମିଶନ ଏବଂ  ଡ୍ରିଙ୍କ ଫ୍ରମ ଟ୍ୟାପ୍‌ ପରି କାର୍ଯ୍ୟକ୍ରମ ଓଡ଼ିଶାର ସହରାଞ୍ଚଳ ପାଇଁ ଏକ ସଫଳତାର କାହାଣୀ ହୋଇପାରିଛି। ଜଳସାଥୀ ପରି ଜନଭାଗିଦାରୀ କାର୍ଯ୍ୟକ୍ରମ ବିନା ଏହା ସଫଳ ହୋଇପାରି ନଥାନ୍ତା ବୋଲି ସେ କହିଛନ୍ତି।

ମିଶନ ଶକ୍ତିର ବିଭିନ୍ନ ଗୋଷ୍ଠୀ ଓ ଜଳସାଥୀମାନଙ୍କ ସହିତ ଭାଗିଦାରୀ ପାଇଁ ରାଜ୍ୟ ସରକାର ଗର୍ବିତ ବୋଲି ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜନଭାଗିଦାରୀ କାର୍ଯ୍ୟକ୍ରମ ଦ୍ଵାରା ପ୍ରଶାସନିକ ବ୍ୟବସ୍ଥାରେ ନାଗରିକମାନେ ଉତ୍କୃଷ୍ଟ ସେବା ପାଇପାରୁଛନ୍ତି। ଏହା ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆମକୁ ଆଗେଇ ନେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଜଳସାଥୀଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ଯୋଗ ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ କହିଥିଲେ ଯେ, “ମା’ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଅନନ୍ୟ ଉଦାହରଣ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନ ସ୍ଵାଗତ ଭାଷଣ ଦେଇ କହିଥିଲେ, “ରାଜ୍ୟର ସହରାଞ୍ଚଳର ୯୭ ଭାଗ ଲୋକ ଏବେ ପାଇପ ଜଳ ପାଇପାରୁଛନ୍ତି। ରାଜ୍ୟର ୮୫ଟି ସହରରେ ଶତପ୍ରତିଶତ ପାଇପ ଜଳଯୋଗାଣ ହୋଇଥିବାବେଳେ, ବାକି ୨୦ଟି ସହରରେ ଡିସେମ୍ବର ୨୦୨୩ ସୁଦ୍ଧା ପାଇପ ଜଳର ବ୍ୟବସ୍ଥା ସମ୍ପୂର୍ଣ୍ଣ କରାଯିବ।”

ଶେଷରେ ବିଭାଗୀୟ ସ୍ଵତନ୍ତ୍ର ସଚିବ ସାଗରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଆନନ୍ଦରେ ଭରିଲା ଜଳସାଥୀ ମା’ମାନଙ୍କ ଆଖି

ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆମେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ ବୋଲି କହିଥିଲେ ମିଶନ ଶକ୍ତିର ଜଳସାଥୀମାନେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଜଳସାଥୀମାନଙ୍କ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମରେ ମିଶନ ଶକ୍ତିର କିଛି ମା’ ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

ପୁରୀର ଶ୍ରୀମତୀ ମହାପାତ୍ର ଏବଂ ଭୁବନେଶ୍ଵରର ସୁଜାତା ପଟ୍ଟନାୟକ ଭାବବିହ୍ଵଳ ହୋଇ ପଡ଼ିଥିଲେ। ଦିନେ ଯେଉଁମାନଙ୍କୁ ଘର କୋଣରେ ରହି କେବଳ ସଂସାର ଜଞ୍ଜାଳ ବୁଝିବାକୁ ପଡ଼ୁଥିଲା, ଆଜି ସେମାନେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଘର ଚଳାଇବାଠାରୁ ଆରମ୍ଭ କରି ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ଵଚ୍ଛଳ ହୋଇପାରିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ସେମାନେ କହିଥିଲେ।

ଆମ ପରିବାରରେ ବି ଆମର ସମ୍ମାନ ନଥିଲା। ଥିଲା କେବଳ ତିରସ୍କାର। ସମାଜ ଆମକୁ ଗ୍ରହଣ କରୁନଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଆମେ ଆମ ନିଜର ମୂଲ୍ୟ ଅଛି ବୋଲି ଅନୁଭବ କରିପାରୁଛୁ। ନିଜର ଏକ ସ୍ଵତନ୍ତ୍ର ପରିଚୟ ପାଇଛୁ ବୋଲି ସେହିପରି କଟକ ଓ ଭୁବନେଶ୍ଵରରେ ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ସେପଟେଜ ପ୍ଲାଣ୍ଟ ପରିଚାଳନା କରୁଥିବା ତୃତୀୟ ଲିଙ୍ଗର ସଦସ୍ୟା ତନୁଶ୍ରୀ ବେହେରା ଓ ମେଘନା ପ୍ରମୁଖ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।

Tags: #CMOdisha #NaveenPatnaik #SkillOdisha #JalaSathi #StateLevelProgram #DrinkFromTap

LEAVE A REPLY

Please enter your comment!
Please enter your name here