ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଲିଛି ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ମତଦାନ। ଆଜି ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ କରୁଛନ୍ତି ଧାମନଗର ଭୋଟର। ଧାମନଗର ନିର୍ବାଚନ ମଣ୍ଡଳୀର ୨,୩୮,୪୧୭ ଜଣ ଭୋଟର ନିର୍ଦ୍ଧାରଣ କରିବେ ପ୍ରାର୍ଥୀଙ୍କ ଭାଗ୍ୟ। ମୋଟ ଭୋଟରଙ୍କ ମଧ୍ୟରୁ ୧,୨୩,୩୮ ଜଣ ପୁରୁଷ ଏବଂ ୧,୧୫,୩୪୬ ମହିଳା ଭୋଟର ରହିଛନ୍ତି।

ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ସହ ସ୍ଵାଧୀନ ପ୍ରାର୍ଥୀନଙ୍କ ମଧ୍ୟରେ ଚାଲିଛି ନିର୍ବାଚନ ଲଢ଼େଇ। ମୋଟ ୨୫୨ଟି ବୁଥରେ ମତଦାନ କରୁଛନ୍ତି ଭୋଟର। ଏହି ବୁଥଗୁଡ଼ିକ ପାଇଁ ୩୦ ଜଣ ସେକ୍ଟର ଅଫିସର ଓ ୧୧ ଜଣ ଜୋନାଲ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ୱ ଦିଆଯାଇଛି। ମୋଟ ୨୫୨ଟି ବୁଥ ମଧ୍ୟରୁ ମୋଟ ୧୧୦ଟି ଉତ୍ତେଜନା ପ୍ରବଣ ବୁଥ ଭାବେ ଚିହ୍ନଟ କରାଯାଇଛି। ଏଥିମଧ୍ୟରୁ ୬୦ଟି ସମ୍ବେଦନଶୀଳ ଏବଂ ୫୦ଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏହି ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏହା ସହିତ ୧୫ଟି ମଡେଲ ବୁଥ ଏବଂ ୫ଟି ପିଙ୍କି ବୁଥ୍ କରାଯାଇଛି।

ଶୃଙ୍ଖଳାର ସହ ମତଦାନ କାର୍ଯ୍ୟ ପରିଚାଳନା ନିମନ୍ତେ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ, ୪ କମ୍ପାନି କେନ୍ଦ୍ରୀୟ ଫୋର୍ସ ଏବଂ ୨୨ ପ୍ଲାଟୁନ୍ ଷ୍ଟେଟ ଆର୍ମଡ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମତଦାନ ଶେଷ ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ମଦ ବିକ୍ରି ଉପରେ କଟକଣା ଲାଗୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଧାମନଗର ଉପନିର୍ବାଚନ ଲାଗି ଆଜି ସକାଳ ୭ଟାର ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ। ବୁଥର ୧୦୦ ମିଟର ମଧ୍ୟରେ କହି କଥାବାର୍ତ୍ତା ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଙ୍ଘନ କରିବା ସହ ବିଶୃଙ୍ଖାଳା ସୃଷ୍ଟି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Tags: #Politics #OdishaPolitics #Election #ByElection #DhamnagarByElection #Voting

Comment