ଓଡ଼ିଶାଲାଇଭ୍ ବ୍ୟୁରୋ

ଭର୍ଚୁଆଲରେ ଚାଲିଛି ବାବା ଧବଳେଶ୍ୱରଙ୍କ ଚନ୍ଦ୍ରଚୂଡ଼ ବେଶ ଦର୍ଶନ। ଦୁଇ ବର୍ଷ ପରେ ବି ଏ ବର୍ଷ ମଧ୍ୟ ପୀଠକୁ ଯାଇ ବାବାଙ୍କ ଦର୍ଶନ କରିପାରି ନାହାନ୍ତି ଭକ୍ତ। ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖିବାକୁ ମିଳିଛି।

ଆଜି ହେଉଛି ପହିଲି ପଞ୍ଚକ। ସମସ୍ତ ନୀତି କାନ୍ତି ସହ ବାବା ଧବଳେଶ୍ୱରଙ୍କର ପୂଜାର୍ଚ୍ଚନା କରୁଛନ୍ତି ପୂଜକ। ହେଲେ ସାମଲି ହୋଇପାରି ନାହାନ୍ତି ଭକ୍ତ। କାରଣ ଝୁଲାପୋଲ ଅସୁରକ୍ଷିତ ହୋଇପଡ଼ିଥିବାରୁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। କିନ୍ତୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଏଲଇଡି ସ୍କ୍ରିନରେ ବ୍ୟବସ୍ଥା କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ବାବାଙ୍କ ଦର୍ଶନ ଲାଗି ଶହ ଶହ ଭକ୍ତ ଏକାଠି ହୋଇଛନ୍ତି। ଭକ୍ତମାନେ ଭର୍ଚୁଆଲରେ ପ୍ରଭୁ ଶ୍ରୀ ଧବଳେଶ୍ୱରଙ୍କ ଦର୍ଶନ କରିବା ସହ ମନ୍ଦିର ପୂଜକଙ୍କ ମାଧ୍ୟମରେ ଭୋଗ ପୂଜା କରୁଛନ୍ତି। ଭିଡ଼ ଯୋଗୁଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଧବଳେଶ୍ୱର ପୀଠକୁ ଯିବା ଲାଗି ଭକ୍ତଙ୍କୁ ବାରଣ କରାଯାଇଥିଲେ ମଧ୍ୟ ସମସ୍ତ ରୀତିନୀତି ପାଳନ ପୂର୍ବକ ପୀଠରେ ପୂଜାର୍ଚ୍ଚନା ଚାଲିଛି। ଭୋର ୪ଟାରୁ ପହଡ଼ ଖୋଲାଯାଇ ସୁବାସିତ ଜଳରେ ବାବାଙ୍କର ସ୍ନାନ କରାଯିବା ପରେ ମଙ୍ଗଳ ଆଳତୀ କରାଯାଇଛି।

ଧବଳେଶ୍ୱର ପୀଠକୁ ଯିବାକୁ ଥିବା ମୁଖ୍ୟରାସ୍ତା ଫାଟକ ନିକଟରେ ଏକ ବଡ଼ ଏଲଇଡି ସ୍କ୍ରିନରେ ଧବଳେଶ୍ୱର ଦେବଙ୍କ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଧବଳେଶ୍ୱର ପୀଠକୁ ଯିବା ଲାଗି ଥିବା ଝୁଲା ପୋଲରେ ଅଧିକାଂଶ ସ୍ଥାନରେ କଳଙ୍କି ଲାଗିବା ସହ ଫାଟ ସୃଷ୍ଟି ହୋଇଛି। ପଞ୍ଚୁକ ଏବଂ ବଡ଼ଓଷା ଲାଗି ଧବଳେଶ୍ଵର ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ସମ୍ଭାବନା ଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲ ମରାମତି ନହେବା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କ ପୀଠରେ ୧୪୪ ଧାରା ଜାରି କରାଯାଇଛି।

ଗତ ଅକ୍ଟୋବର ୩୧ ତାରିଖରେ ଗୁଜରାଟର ମୋରବୀ ମଚ୍ଛୁ ନଦୀ ଝୁଲାପୋଲ ଟ୍ରାଜେଡି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି।

କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ପଞ୍ଚୁକ ଏବଂ ବଡ଼ଓଷା ଅବସରରେ ଧବଳେଶ୍ଵରଙ୍କ ପ୍ରତ୍ୟକ୍ଷ ଦର୍ଶନ କରିବାରୁ ବଞ୍ଚିତ ରହିଥିଲେ ଭକ୍ତ। ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା। ଏଥର କାରଣ ସମ୍ପୂର୍ଣ୍ଣ ଭିନ୍ନ। ୨୦୦୬ ମସିହାରେ ଆଠଗଡ଼ ଧବଳେଶ୍ଵରଙ୍କ ପୀଠକୁ ଯିବା ଲାଗି ନିର୍ମାଣ ହୋଇଥିଲା ୧,୫୦୦ କ୍ଷମତା ବିଶିଷ୍ଟ ଝୁଲା ପୋଲ। କ୍ରମଶଃ ଧୀରେ ଧୀରେ ଏହାର କ୍ଷମତା ୨୦୦କୁ ଖସି ଆସିଥିଲା। ଏବେ ପୋଲଟି ଅସୁରକ୍ଷିତ ହୋଇପଡ଼ିଥିବାରୁ ମରାମତି ନହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ନିମନ୍ତେ କଟକଣା ଜାରି କରାଯାଇଛି।

Tags: #BabaDhabaleswar #VirtualDarshan #ChandrachudaBesa #DistAdministration

Comment