ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ୱାସ୍ଥ୍ୟପ୍ଲସ୍‌ ଓ ଓଡ଼ିଶାଲାଇଭ୍‌ର ମିଳିତ କ୍ୟାମ୍ପେନ୍ ଡାଏବେଟିସ୍ ୩୬୦
  • ପ୍ରାଇମ୍ ପାର୍ଟନର ସମ୍ ଅଲ୍ଟିମେଟ୍ ମେଡିକେୟାର
  • ଆଇକେୟାର ପାର୍ଟନର ଏଲଭି ପ୍ରସାଦ ଆଇ ଇନ୍‌ଷ୍ଟିଚ୍ୟୁଟ
  • ଡାଏବେଟିସ୍ ବା ମଧୁମେହ ସମ୍ପର୍କରେ ସଚେତନତା

ଡାଏବେଟିସ୍ ବା ମଧୁମେହ ଆଜି ଏକ ବିଶ୍ୱ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଘରେ ଘରେ ଡାଏବେଟିସ୍‌ ରୋଗୀ। ଏହି ରୋଗକୁ କେବଳ ଔଷଧ ଖାଇ ନିୟନ୍ତ୍ରଣ କରିବା ସମ୍ଭବପର ନୁହେଁ। ଏହାକୁ କାବୁ କରିବାର ସବୁଠାରୁ ବଡ଼ ଉପାୟ ହେଉଛି ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ଆପଣେଇବା ଏବଂ ସମାଜରେ ବ୍ୟାପକ ସଚେତନତା ସୃଷ୍ଟି କରିବା। ତେଣୁ ଏହି ସଚେତନତାର ବାର୍ତ୍ତା ଦେବା ପାଇଁ ‘ସ୍ୱାସ୍ଥ୍ୟପ୍ଲସ୍’ ଏବଂ ‘ଓଡ଼ିଶାଲାଇଭ’ର ସ୍ୱତନ୍ତ୍ର ମିଡିଆ କ୍ୟାମ୍ପେନ ‘ଡାଏବେଟିସ୍ ୩୬୦’।

‘ଡାଏବେଟିସ୍ ୩୬୦’ ଅଭିଯାନ ଅଧୀନରେ ଏକ ସ୍ୱତନ୍ତ୍ର ଭିଡିଓ କାର୍ଯ୍ୟକ୍ରମ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ନ୍ୟୁଜ ଚ୍ୟାନେଲ ‘ଓଡ଼ିଶାଲାଇଭ’ର ୟୁଟ୍ୟୁବ ଏବଂ ଫେସବୁକ ଚ୍ୟାନେଲରେ ସୋମବାର ପ୍ରସାରିତ ହୋଇଛି। ସେହିପରି ଭାରତର ଅଗ୍ରଣୀ ବହୁଭାଷୀ ସ୍ୱାସ୍ଥ୍ୟଭିତ୍ତିକ ଚ୍ୟାନେଲ ‘ସ୍ୱାସ୍ଥ୍ୟପ୍ଲସ୍ ଓଡ଼ିଆ’ର ୟୁଟ୍ୟୁବ ଏବଂ ଫେସବୁକ ପେଜରେ ମଧ୍ୟ ଆପଣ ଏହି ଭିଡିଓ ପାଇପାରିବେ।

ଏହି ମିଡିଆ କ୍ୟାମ୍ପେନର ‘ପ୍ରାଇମ ପାର୍ଟନର’ ରହିଛି ସମ୍ ଅଲ୍ଟିମେଟ୍ ମେଡିକେୟାର। ସେହିପରି ଏହି ଅଭିଯାନରେ ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ ‘ଆଇ କେୟାର ପାର୍ଟନର’ ଭାବେ ଯୋଡ଼ି ହୋଇଛି।

ଏହି ଏପିସୋଡରେ ଡାଏବେଟିସ୍‌ କ’ଣ ଓ କେତେ ପ୍ରକାରର, ଡାଏବେଟିସର ପ୍ରମୁଖ ଲକ୍ଷଣ ଓ କାରଣ, ଏହାର ଚିକିତ୍ସା ଓ ପରିଚାଳନା, ଡାଏବେଟିସ୍‌ ରୋଗୀଙ୍କ ଚକ୍ଷୁ ସମସ୍ୟା ଓ ତା’ର ଚିକିତ୍ସା, ଡାଏବେଟିସ୍‌ ରୋଗୀଙ୍କ ପାଇଁ ଉପଯୁକ୍ତ ଖାଦ୍ୟ ଓ ବ୍ୟାୟାମ ସମ୍ପର୍କରେ ବ୍ୟାପକ ତଥ୍ୟ ରହିଛି।

ସମ୍‌ ଅଲ୍ଟିମେଟ୍‌ ମେଡିକେୟାରର ବିଶିଷ୍ଟ ଏଣ୍ଡୋକ୍ରାଇନୋଲଜିଷ୍ଟ ପ୍ରଫେସର ଡାକ୍ତର ଅଭୟ କୁମାର ସାହୁ, ମେଡିସିନ ସ୍ପେଶାଲିଷ୍ଟ ପ୍ରଫେସର ଡାକ୍ତର ଶ୍ରୀକାନ୍ତ ଧର, ଡାଏଟିସିଆନ୍‌ ସୁଶ୍ରୀ ସଙ୍ଗୀତା ଜେନା,  ଏଲ୍‌ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍‌ର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରା ଏବଂ ଫିଟନେସ୍‌ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକ ଏହି ଅଭିଯାନ ସହ ଯୋଡ଼ି ହୋଇ ବିଭିନ୍ନ ପରାମର୍ଶ ଦେଇଛନ୍ତି।Diabetes

ଡାଏବେଟିସ୍‌ କ’ଣ?

 ‘‘ଆମଶରୀରରେ ଯେତେବେଳେ ଇନସୁଲିନର ମାତ୍ରାରେ କିଛି ଅନିୟମିତା ଦେଖାଯାଏ ବା ଏହାର କ୍ଷରଣ ବନ୍ଦ ହୋଇଯାଏ ସେତେବେଳେ ରକ୍ତରେ ଶର୍କରା ବା ସୁଗାରର ମାତ୍ରା ବଢ଼ିଯାଇଥାଏ। ଏହି ଅବସ୍ଥାକୁ ଡାଇବେଟିସ୍‌  ବା ମଧୁମେହ କୁହାଯାଏ’’, କହିଛନ୍ତି ପ୍ରଫେସର ଡାକ୍ତର ଅଭୟ କୁମାର ସାହୁ।

ଡାଏବେଟିସ୍‌ କେତେ ପ୍ରକାରର?

‘‘ଡାଏବେଟିସ୍ ହେଉଛି ୩ ପ୍ରକାରର। ଟାଇପ୍ ୧, ଟାଇପ୍ ୨ ଏବଂ ଜେଷ୍ଟେସନାଲ। ମୁଖ୍ୟତଃ ସାନ ସାନ ପିଲାଙ୍କଠାରେ ଟାଇପ୍‌ ୧ ଡାଇବେଟିସ୍‌ ଦେଖାଯାଏ। ଟାଇପ୍‌ ୨ ଡାଏବେଟିସ୍ ମଧ୍ୟ ବୟସ୍କ ବା ପ୍ରାପ୍ତ ବୟସଙ୍କଠାରେ ଦେଖାଯାଏ। ସେହିପରି ଗର୍ଭାବସ୍ଥାରେ ହେଉଥିବା ଡାଏବେଟିସ୍‌କୁ ଜେଷ୍ଟେସନାଲ ଡାଏବେଟିସ୍‌ କୁହାଯାଏ’’ କହିଛନ୍ତି ପ୍ରଫେସର ଡାକ୍ତର ଶ୍ରୀକାନ୍ତ ଧର।

ଡାଏବେଟିସ୍‌ର କାରଣ ଓ ଲକ୍ଷଣ?

ଡାକ୍ତରଙ୍କ କହିବା ଅନୁସାରେ ଜୀବନଶୈଳୀରେ ପରିବର୍ତ୍ତନ, ମେଦବହୁଳତା, ମାନସିକ ଚାପ, ବଂଶଗତ ଏହି ସବୁ ହେଉଛି ଡାଏବେଟିସ୍‌ର ମୁଖ୍ୟ କାରଣ। ସେହିପରି ଅଧିକ ଭୋକ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ଓଜନ କମିଯିବା, ଥକା ଲାଗିବା ହେଉଛି ଡାଏବେଟିସ୍‌ର ମୁଖ୍ୟ ଲକ୍ଷଣ। ଏହାଛଡ଼ା ବିଭିନ୍ନ ସଂକ୍ରମଣ ହେବା, କୌଣସି ଖଣ୍ଡିଆ ଶୀଘ୍ର ନଶୁଖିବା ମଧ୍ୟ ଏହାର ଲକ୍ଷଣ। ବେଳେ ବେଳେ ଡାଏବେଟିସ୍‌ର କୌଣସି ଲକ୍ଷଣ ମଧ୍ୟ ଜଣାପଡ଼େ ନାହିଁ।

ଡାଏବେଟିସ୍‌ରେ ଜଟିଳତା

ଡାଏବେଟିସରୁ ମୁଖ୍ୟତଃ ଉଚ୍ଚ ରକ୍ତଚାପ,  ହୃଦଘାତ, କିଡନିରୋଗ, ନ୍ୟୁରୋ, ଆଖି ଏବଂ ରକ୍ତନଳୀଜନିତ ବିଭିନ୍ନ ସମସ୍ୟା ଦେଖାଯିବାର ସମ୍ଭାବନା ଥାଏ। ଗୋଟିଏ ରୋଗରୁ ଏମିତି ଅନେକ ରୋଗର ଜନ୍ମ।

ଡାଏବେଟିସ୍‌ର ଚିକିତ୍ସା

ଡାଏବେଟିସ୍ ଏକ ସ୍ଲୋ ପଏଜନ ପରି। ଏହା ବିଭିନ୍ନ ବାଟରେ ମଣିଷର ଶରୀରକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଠିକଣା ସମୟରେ ଡାକ୍ତରଙ୍କୁ ଦେଖାଇ ଏହାର ଚିକିତ୍ସା କରିବା ଜରୁରୀ। ଡାଏବେଟିସ୍‌ର କୌଣସି ସ୍ଥାୟୀ ଚିକିତ୍ସା ନଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ନିୟମିତ ଔଷଧ ସେବନ, ସଠିକ୍‌ ଡାଏଟ ଓ ବ୍ୟାୟାମ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ।

ଡାଏବେଟିସ ରୋଗୀଙ୍କ ପାଇଁ ଖାଦ୍ୟ

‘‘ଡାଏବେଟିସ୍‌ ରୋଗୀମାନେ ନିଜର ଖାଦ୍ୟପାନୀୟକୁ ନେଇ ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏକ ରୁଟିନ୍‌ ଅନୁସାରେ ଖାଇବା ପିଇବା କଲେ ସେମାନେ ରୋଗକୁ ସାଥୀରେ ଧରି ମଧ୍ୟ ଫିଟ୍‌ ରହିପାରିବେ। ତେଣୁ ନିୟମିତ କ’ଣ ଖାଇବେ, କେତେ ପରିମାଣରେ ଖାଇବେ ଏ ବିଷୟରେ ନିଜର ଡାଏଟିସିଆନଙ୍କଠାରୁ ଭଲ ସେ ବୁଝିନେବା ଆବଶ୍ୟକ’’, କହିଛନ୍ତି ଡାଏଟିସିଆନ ସୁଶ୍ରୀ ସଙ୍ଗୀତା ଜେନା।

ଡାଏବେଟିସ ରୋଗୀଙ୍କ ଚକ୍ଷୁ ସମସ୍ୟା

‘‘ଡାଏବେଟିସ୍ ଥିଲେ ଏହା ଆମର ଆଖିକୁ ପ୍ରଭାବିତ କରିପାରେ। ଅନେକ ସମୟରେ ଏହା ଜଟିଳ ଚକ୍ଷୁ ସମସ୍ୟାର କାରଣ ମଧ୍ୟ ହୋଇପାରୋ ଡାଏବେଟିସ୍ ରୋଗୀଙ୍କଠାରେ ଦେଖାଯାଉଥିବା ଚକ୍ଷୁ ସମସ୍ୟାକୁ ଡାଏବେଟିକ ରେଟିନୋପାଥି ବୋଲି କୁହାଯାଏ। ଏହା ଧିରେ ଧିରେ ଆଖିକୁ ପ୍ରଭାବିତ କରେ। କିନ୍ତୁ ରୋଗୀ ଆରମ୍ଭରୁ ହୁଏତ ଜାଣିପାରେ ନାହିଁ।  କିନ୍ତୁ, ଠିକଣା ସମୟରେ ଚିକିତ୍ସା କରାନଗଲେ ଜଣେ ରୋଗୀ ହୁଏତ ଦୃଷ୍ଟିହୀନତାର ଶିକାର ହୋଇପାରନ୍ତି। ତେଣୁ ଯେଉଁଦିନ ଆପଣଙ୍କର ଡାଏବେଟିସ୍‌ ଜଣାପଡ଼ୁଛି ସେହିଦିନ ନିୟମିତ ବ୍ୟବଧାନରେ ଆଖି ପରୀକ୍ଷା କରନ୍ତୁ’’, କହିଛନ୍ତି ଏଲଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଉମେଶ ଚନ୍ଦ୍ର ବେହେରା।

ଡାଏବେଟିସ୍‌ ଓ ବ୍ୟାୟାମ

‘‘ବ୍ୟାୟାମର କୌଣସି ବିକଳ୍ପ ନାହିଁ। ତେଣୁ ଡାଏବେଟିସ୍ ନିୟନ୍ତ୍ରଣ କରିବାରେ ଏକ ଭଲ ଉପାୟ ହେଲା ବ୍ୟାୟାମ। ପ୍ରତିଦିନ ଅନ୍ତତଃ ୩୦ ମିନିଟ୍ ପାଇଁ ବିଭିନ୍ନ ଶାରୀରିକ ବ୍ୟାୟାମ କଲେ ଡାଏବେଟିସକୁ ଆମେ ନିୟନ୍ତ୍ରଣ ରଖିପାରିବା। ତେଣୁ ସ୍କ୍ୱାଟ, ପୁଷ୍‌ଅପ୍‌, ଜମ୍ପିଂ, ସ୍ପଟ ଜଙ୍ଗିଂ ଭଳି ବ୍ୟାୟମ ଘରେ ଥାଇବି କରିପାରିବେ’’, କହିଛନ୍ତି ଫିଟ୍‌ନେସ୍‌ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକ।

ଘରକୁ ଥରେ ଡାଏବେଟିସ୍ ଅତିଥି ହୋଇ ଆସିଲେ ସେ ସବୁଦିନ ପାଇଁ ଆମ ସାଙ୍ଗରେ ରହିଯାଏ। ତେଣୁ ସ୍ୱାସ୍ଥ୍ୟକର ଜୀବନଶୈଳୀ ହିଁ ଆମକୁ ଡାଏବେଟିସଠାରୁ ଦୂରେଇ ରଖିବ।

Tags: #Diabetes #WorldDiabetesDay2022 #HealthCare #HealthyLife #diabetes360 #diabetesday #healthnews #SwasthyaPlus #OdishaLIVE

Comment