ଓଡ଼ିଶାଲାଇଭ୍ ବ୍ୟୁରୋ

ଗୋଟିଏ ବର୍ଷକର ଶିଶୁର ଖାଦ୍ୟନଳୀରୁ ଖୋଲା ସେପ୍ଟିପିନ୍ ବାହାର କରି ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ମିନିମାଲ୍ ଇନ୍‌ଭୋସିଭ୍ ପଦ୍ଧତିରେ ସର୍ଜରୀ କରାଯିବା ପରେ ପିଲାଟି ଏବେ ସୁସ୍ଥ ହୋଇପାରିଛି। ପିଲାଟିର ନାମ ହେଉଛି ଅୟାଂଶ କୁମାର ରାଉତ।

ସୂଚନା ଅନୁସାରେ ଅୟାଂଶର ପରିବାରବର୍ଗ ତା’ର ପ୍ରଥମ ଜନ୍ମଦିନ ପାଳନ କରିବାରେ ବ୍ୟସ୍ତ ରହିଥିବା ବେଳେ ଶିଶୁଟି ଗୋଟିଏ ଖୋଲା ସେପ୍ଟିପିନ୍‌ଟିଏ ଗିଳି ଦେଇଥିଲା। ଏ ବିଷୟରେ ଅବଗତ ନ ଥିବା ତା’ର ପରିବାର ଲୋକେ ତାକୁ ଜୋର ଜବରଦସ୍ତ ଖାଦ୍ୟ ମଧ୍ୟ ଖୁଆଇଥିଲେ।

ଯେତେବେଳେ ପିଲାଟିର କାଶ ଆରମ୍ଭ ହେଲା ଓ ସେ କାନ୍ଦିବାରେ ଲାଗିଲା ସେତେବେଳେ ବ୍ୟସ୍ତ ହୋଇ ତା’ ଅଭିଭାବକମାନେ ତାକୁ ନିକଟସ୍ଥ ଏକ ହସ୍ପିଟାଲକୁ ନେଇଥିଲେ। ଏକ୍ସରେ କରିବା ପରେ ଶିଶୁର ଖାଦ୍ୟନଳୀରେ ଖୋଲା ସେପ୍ଟିପିନ୍‌ଟିଏ ଅଟକିଥିବାର ଜଣାପଡ଼ିଥିଲା। ଏହା ପରେ ଶିଶୁକୁ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି କରାଯାଇଥିଲା।ସମ୍ ଅଲ୍ଟିମେଟ୍ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲବେସ୍ ସର୍ଜରୀ ମୁଖ୍ୟ ଡକ୍ଟର ରାଧାମାଧବ ସାହୁ ଶିଶୁଟିର ପରୀକ୍ଷା କରିବା ପରେ ମିନିମାଲ୍ ଇନ୍‌ଭୋସିଭ୍ ସର୍ଜରୀ ପ୍ରକ୍ରିୟାରେ ସେପ୍ଟିପିନ୍‌ଟିକୁ କାଢ଼ିବାରେ ସଫଳ ହୋଇଥିଲେ।

ଏହି ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ସମ୍‌ ଆନେସ୍ଥେସିଆ ବିଭାଗର ସିନିୟର୍ କନ୍‌ସଲ୍‌ଣ୍ଟାଟ  ଡକ୍ଟର ଦୀପଙ୍କର ପଢ଼ିହାରୀଙ୍କର ମଧ୍ୟ ଏକ ବଡ ଭୂମିକା ରହିଥିଲା। ଦୁଇ ଦିନ ଅବ୍‌ଜରଭେସନ୍‌ରେ ରଖିବା ପରେ ଶିଶୁଟିକୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଛି।

“ଖୋଲା ସେଫ୍ଟିପିନ୍‌କୁ ଖାଦ୍ୟନଳୀ କିମ୍ବା ପାକସ୍ଥଳୀରୁ ଅପରେସନ୍ ଜରିଆରେ ବାହାର କରିବା ଏକ ବଡ ଚ୍ୟାଲେଞ୍ଜ ଏବଂ ଶିଶୁମାନଙ୍କ କ୍ଷେତ୍ରରେ ଏହା ବେଶ ବିପଦଜନକ”, କହିଛନ୍ତି ଡକ୍ଟର ରାଧାମାଧବ ସାହୁ।

Comment