ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛି ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ। ଭୁବନେଶ୍ୱର ସମ୍‌ କୋଭିଡ୍‌ ହସ୍ପିଟାଲ ସମେତ ତାଳଚେର ଓ କେନ୍ଦ୍ରାପଡ଼ାଠାରେ ମଧ୍ୟ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି।

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହୋଇଥିବା ସମ୍ କୋଭିଡ ହସ୍ପିଟାଲରେ ୫୦୦ ଶଯ୍ୟା ରହିଥିବା ବେଳେ ୨୫ଟି ଆଇସିୟୁ ବେଡ୍‌ ରହିଛି। ସେହିପରି ସୋଆ ପକ୍ଷରୁ ତାଳଚେରରେ ୧୫୬ ଶଯ୍ୟା ବିଶିଷ୍ଟ ଏବଂ କେନ୍ଦ୍ରାପଡ଼ାରେ ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ୍ ଆରମ୍ଭ କରାଯାଇଛି।

ଭୁବନେଶ୍ୱର ଏବଂ ତାଳଚେରରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ (ଏମ୍‌ସିଏଲ୍)ର ସହଭାଗିତାରେ କୋଭିଡ୍ ହସ୍ପିଟାଲ୍ ଆରମ୍ଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ରାଜ୍ୟସରକାରଙ୍କ ସହଭାଗିତାରେ କୋଭିଡ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି। ଏନେଇ ସୋଆ, ଏମ୍‌ସିଏଲ୍ ଏବଂ ରାଜ୍ୟସରକାରଙ୍କ ମଧ୍ୟରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି।

ଏ ସମସ୍ତ ହସ୍ପିଟାଲରେ ସମ୍ ହସ୍ପିଟାଲ୍ ପକ୍ଷରୁ ଡାକ୍ତର, ନର୍ସ ଏବଂ ପାରାମେଡିକାଲ୍ ଷ୍ଟାଫ୍ ଯୋଗାଇ ଦିଆଯାଇଛି। ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

ଭୁବନେଶ୍ୱରରେ ୫୨୫ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲଟି କେବଳ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ଅନ୍ୟ ଦୁଇଟି ହସ୍ପିଟାଲ୍ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା କ୍ଷେତ୍ରରେ ସଫଳତା ହାସଲ କରିଛି। ଏନ୍ଆଇଆର୍‌ଏଫ ରାଙ୍କିଂରେ ୨୧ ତମ ସ୍ଥାନ ହାସଲ କରିଥିବା ଟିଚିଂ ହସ୍ପିଟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ସୋଆର ଡାକ୍ତରୀ ଶିକ୍ଷା ପ୍ରଦାନ କରୁଥିବା ଅନୁଷ୍ଠାନା ସବୁ ବର୍ଗଙ୍କ ପାଇଁ  ସମସ୍ତ ପ୍ରକାର ଚିକିତ୍ସା ସମ୍‌ରେ ପ୍ରଦାନ କରାଯାଇଥାଏ। ସେହିପରି ନିକଟରେ ଉଦ୍‌ଘାଟିତ ହୋଇଥିବା ସମ୍ ଅଲ୍ଟିମେଟ ମେଡିକେୟାର ହେଉଛି ଏକ ମଲ୍ଟି ସୁପର ସ୍ପେସିଆଲିଟି ହସ୍ପିଟାଲ୍।

ତିନୋଟି ହସ୍ପିଟାଲ୍ ରାଜଧାନୀର ଭିନ୍ନ ଭିନ୍ନ ସ୍ଥାନରେ ଥାଇ ଜନସାଧାରଣଙ୍କୁ ଉତ୍ତମମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି। ତିନୋଟି ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପୃଥକ ପୃଥକ ଭାବେ ଡାକ୍ତର ଏବଂ ଅନ୍ୟାନ୍ୟ କର୍ମଚାରୀ ନିୟୋଜିତ ଅଛନ୍ତି। କୋଭିଡ ହସ୍ପିଟାଲ୍ ବ୍ୟତିତ ସମ୍ କିମ୍ବା ସମ୍ ଅଲ୍ଟିମେଟ ମେଡିକେୟାରରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉ ନାହିଁ।

Comment