ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ କୋଲଫିଲ୍ଡ ଲିମିଟେଡ (ଏମସିଏଲ୍) ଆର୍ଥିକ ବର୍ଷ ୨୦୨୨-୨୩ରେ କୋଇଲା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ କରିଛି। ଚଳିତ ଆର୍ଥିକ ବର୍ଷରେ କମ୍ପାନି ୧୯୩.୩ ମିଲିଅନ ଟନ୍ ଉତ୍ପାଦନ କରିଛି। ଏହା ସହିତ କମ୍ପାନି ବିଭିନ୍ନ ସଂସ୍ଥାଗୁଡ଼ିକୁ ୧୯୨.୭ ମିଲିଅନ ଟନ୍ କୋଇଲା ଯୋଗାଇ ନୂତନ ରେକର୍ଡ ସ୍ଥାପନ କରିଛି। ଏନେଇ ଭୁବନେଶ୍ଵରରେ ଆୟୋଜିତ ଏମସିଏଲର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ କମ୍ପାନିର ପରିଚାଳନା ନିର୍ଦେଶକ ଓମ୍ ପ୍ରକାଶ ସିଂ ସୂଚନା ଦେଇଛନ୍ତି।

“୨୦୨୨-୨୩ ଆର୍ଥିକ ବର୍ଷରେ ଏମସିଏଲ୍ କୋଇଲା ଉତ୍ପାଦନରେ ୧୫ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଏଥିସହ କୋଇଲା ଉତ୍ତୋଳନରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏ ବର୍ଷ ୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। କମ୍ପାନି ଧାର୍ଯ୍ୟ ସମୟ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିଛି”, କହିଛନ୍ତି ଓମ୍ ପ୍ରକାଶ ସିଂ।

ସେ ଆହୁରି ମଧ୍ୟ କହିଛନ୍ତି, “୨୦୨୨-୨୩ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରକୁ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ହୋଇଛି। ୨୦୨୧-୨୨ରେ ଏହା ୧୨୭.୧୨ ମିଲିଅନ ଟନ୍ ଥିବାବେଳେ ଚଳିତବର୍ଷ ୧୭ ପ୍ରତିଶତ ବୃଦ୍ଧି ପାଇ ୧୪୮.୮ ମିଲିଅନ ଟନରେ ପହଞ୍ଚିଛି। ଦେଶର ଉର୍ଜା ହାସଲ କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରିବାରେ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ମୁଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଉଛି।”

ଏହି ଅବସରରେ ଓମ୍ ପ୍ରକାଶ ସିଂ କମ୍ପାନିର ସମସ୍ତ କର୍ମଚାରୀ, ଠିକାଦାରଙ୍କୁ କୃତଜ୍ଞତା ଜଣାଇଥିଲେ। କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଯୋଜନାଗୁଡ଼ିକୁ ସଫଳ ହୋଇଥିବାରୁ ସେ ସମସ୍ତଙ୍କ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଏମସିଏଲର ନିର୍ଦେଶକ (କାର୍ମିକ) କେଶବ ରାଓ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ପି କେ ପଟେଲ, ନିର୍ଦେଶକ (ବୈଷୟିକ) ଯୁଗଳ କୁମାର ବୋରା ଓ ନିର୍ଦେଶକ (ଅର୍ଥ) ଅଜିତ କୁମାର ବେହୁରା ପ୍ରମୁଖ ଯୋଗ ଦେଇଥିଲେ।

ଏମସିଏଲ୍ ଭାରତର ଏକ ବୃହତ କୋଇଲା ଉତ୍ପାଦନକାରୀ କମ୍ପାନି। ଓଡ଼ିଶାରେ ‘ସିଏସଆର୍’ କ୍ଷେତ୍ରରେ କମ୍ପାନି ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରୁଛି। ୨୦୨୨-୨୩ ଆର୍ଥିକ ବର୍ଷରେ କମ୍ପାନି ସିଏସଆର୍ ଜରିଆରେ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି।

Tags: #MahanadiCoalFieldslimited #MCL #CoalMining #FinancialYear2023

Comment