ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ କୋଲଫିଲଡ୍ସ ଲିମିଟେଡ (ଏମ୍‌ସିଏଲ୍) ପକ୍ଷରୁ ଆରମ୍ଭ ହୋଇଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ । ଅକ୍ଟୋବର ୨୭ ତାରିଖରୁ ଏହି ସଚେତନତା ସପ୍ତାହ ଆରମ୍ଭ ହୋଇ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଏହି ସଚେତନତା ସପ୍ତାହର ବିଷୟ ରହିଛି ‘ସତର୍କ ଭାରତ, ସମୃଦ୍ଧ ଭାରତ’।

ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ଏମସିଏଲର ସିଏମଡି ଭୋଳାନାଥ ଶୁକ୍ଲା ଭିଡିଓ କନଫରେନ୍ସି ଜରିଆରେ ଶୁଭାରମ୍ଭ କରିଥିଲେ।   ତାଙ୍କ ଅନୁପସ୍ଥିତିରେ ଆୟୋଜିତ ସମାରୋହରେ ବୈଷୟିକ ନିର୍ଦ୍ଦେଶକ ଓ ପି ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଙ୍କ ସହ ଏହି କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ନିର୍ଦ୍ଦେଶକ କେ ଆର ବାସୁଦେବନ, କାର୍ମିକ ବିଭାଗର ନିର୍ଦ୍ଦେଶକ କେଶବ ରାଓ, ବୈଷୟିକ ନିର୍ଦ୍ଦେଶକ (ଯୋଜନା ଓ ପରିଯୋଜନା) ବବନ ସିଂହ ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଓ ପି ସିଂହ ସତର୍କତାର ମଶାଲ ପ୍ରଜ୍ଜ୍ଵଳନ କରିବା ସହିତ ଏମ୍‌ସିଏଲ୍‌ର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ପ୍ରତିଜ୍ଞା ପାଠ କରାଇଥିଲେ। ସାଧାରଣ ଜନତାଙ୍କ ମଧ୍ୟରେ ସତର୍କତା ଜାଗରଣ କରିବା ପାଇଁ ଏମ୍‌ସିଏଲ୍‌ର ସମସ୍ତ କାର୍ଯ୍ୟକାରୀ ନିର୍ଦ୍ଦେଶକମାନେ ଏକ ‘ସତର୍କତା ରଥ’ ଗଡ଼ାଇଥିଲେ।

କମ୍ପାନିର ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାର ସମସ୍ତ ୟୁନିଟ୍‌ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସଚେତନତା ସପ୍ତାହରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦୁର୍ନୀତିମୁକ୍ତ ଶାସନ ହାସଲ କରିବା ପାଇଁ ଜନସାଧାରଣଙ୍କୁ ସଚେତନତା କରିବା ସହିତ ବ୍ୟାନର ଏବଂ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା। ଏଥିସହ ‘ସତର୍କ ଭାରତ, ସମୃଦ୍ଧ ଭାରତ’ ବିଷୟରେ କୁଇଜ୍, ବିତର୍କ, ପ୍ରବନ୍ଧ ସହ ସ୍ଲୋଗାନ ଲେଖା ଆଦି ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା।

Comment