ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଦେଶରେ ପ୍ରଚୁର ପରିମାଣର କୋଇଲା ଗଚ୍ଛିତ ରହିଛି। କୋଇଲା କ୍ଷେତ୍ରର ଯଦି ଉଦାରୀକରଣ କରାଯାଏ ତାହାଲେ କୋଲ୍‌ ଇଣ୍ଡିଆ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ମୂଲ୍ୟବାନ ବିଦେଶୀ ମୁଦ୍ରାର ପ୍ରବାହକୁ ହ୍ରାସ କରିବା ପାଇଁ କୋଇଲା କ୍ଷେତ୍ରର ବ୍ୟବସାୟୀକରଣ କରିବାର ଆବଶ୍ୟକତା ରହିଛି’’, କହିଛନ୍ତି ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି ଏନ୍‌ ଶୁକ୍ଲା।

କୋଇଲା ଉତ୍ତୋଳନରେ ଘରୋଇ କମ୍ପାନିଗୁଡ଼ିକର ପ୍ରବେଶ ଅନୁମତିକୁ ବିରୋଧ କରି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିଅନ ପକ୍ଷରୁ ଆନ୍ଦୋଳନ ଚାଲିଛି। ଗତ ତିନି ଦିନ ହେଲା ଏହି ଆନ୍ଦୋଳନ ଚାଲିଥିବାରୁ କୋଲ୍‌ ଇଣ୍ଡିଆ ଉପରେ ଗଭୀର ପ୍ରଭାବ ପକାଇଛି। କୋଇଲା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ କୋଭିଡ୍‌ ସଙ୍କଟ ବେଳେ ଦେଶର ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିନେବା ପାଇଁ ଏମ୍‌ସିଏଲ୍‌ ସିଏମ୍‌ଡି ଟ୍ରେଡ୍‌ ୟୁନିଅନକୁ ଅନୁରୋଧ କରିଛନ୍ତି। ଆନ୍ଦୋଳନରତ ସମସ୍ତ ଶ୍ରମିକ କର୍ମକ୍ଷେତ୍ରକୁ ଫେରିଯିବା ଲାଗି ସେ ପରାମର୍ଶ ଦେଇଛନ୍ତି।

‘‘ଦେଶ ଏବେ କୋଭିଡ୍‌-୧୯ ସଙ୍କଟ ବିରୋଧରେ ଲଢ଼େଇ କରୁଛି। ଦେଶର ସ୍ଥିତି ଏବେ ସଙ୍ଗିନ ହୋଇପଡ଼ିଛି। ଏଭଳି ସଙ୍କଟମୟ ସ୍ଥିତିରେ ଆମେ ଦେଶର ସ୍ୱାର୍ଥ ରକ୍ଷା ପାଇଁ ସମସ୍ତେ ଏକାଠି ହେବା ଦରକାର’’, କହିଛନ୍ତି ବି ଏନ୍‌ ଶୁକ୍ଲା।

ଓଡ଼ିଶା ସରକାର କୋଇଲା ଖଣିକୁ ESMA (Essential Services Maintenance Act) ଅଧୀନରେ ଏକ ଅତ୍ୟାବଶ୍ୟକ ସେବା ବୋଲି ଘୋଷଣା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଶ୍ରମିକମାନେ କାମରେ ଯୋଗଦେବା ଲାଗି ଏମ୍‌ସିଏଲ୍‌ ସିଏମଡି ଅନୁରୋଧ କରିଛନ୍ତି। କୋଲ୍‌ ଇଣ୍ଡିଆ ଏବଂ ଏହାର ସହାୟକ ସଂସ୍ଥାର ଘରୋଇକରଣ କରାଯିବ ନାହିଁ ବୋଲି ନିକଟରେ କୋଇଲା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା। ଏହାସହ କୋଲ୍‌ ଇଣ୍ଡିଆକୁ ଯେଉଁ କୋଲ୍‌ ବ୍ଲକ ଦିଆଯାଇଛି ସେଥିରେ କୌଣସି ଘରୋଇ କମ୍ପାନିକୁ ଖଣି ଖନନ ପାଇଁ ଅନୁମତି ଦିଆଯାଇନାହିଁ। ଏଣୁ ଶ୍ରମିକମାନେ ଆନ୍ଦୋଳନ କରିବାର କୌଣସି କାରଣ ନାହିଁ ବୋଲି ଏମ୍‌ସିଏଲ୍‌ ସିଏମ୍‌ଡି ବି ଏନ୍‌ ଶୁକ୍ଲା କହିଛନ୍ତି।

ଆନ୍ଦୋଳନ ପ୍ରତ୍ୟାହାର କରି ଶ୍ରମିକମାନେ ଯଦି କାମରେ ମନୋନିବେଶ କରିବେ ତାହାଲେ ଆମେ ଅଧିକ ପରିମାଣର କୋଇଲା ଉତ୍ପାଦନ କରିପାରିବା ଏବଂ କୋଇଲା ଆମଦାନୀ ହ୍ରାସ ପାଇ ପାରିବ ବୋଲି ସେ କହିଛନ୍ତି।

‘‘୨୦୨୩-୨୪ ବର୍ଷ ସୁଦ୍ଧା କୋଲ୍‌ ଇଣ୍ଡିଆ ୧ ହଜାର ମିଲିଅନ ଟନ୍‌ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏନେଇ କୋଇଲା ମନ୍ତ୍ରାଳୟ ମଧ୍ୟ ସ୍ପଷ୍ଟୀକରଣ ଦେଇଛନ୍ତି। ଏବେ ୨୫୦ ମିଲିଅନ ଟନ୍‌ ଭାରତ ବାହାର ଦେଶରୁ ଆମଦାନୀ କରୁଛି। ଏଥିରେ ୪୦ରୁ ୫୦ ମିଲିଅନ ଟନ୍‌ କୋକିଂ କୋଇଲା ରହିଛି। ଏଥିପାଇଁ ଦେଢ଼ ଲକ୍ଷ କୋଟି ଟଙ୍କା ବିଦେଶକୁ ଚାଲିଯାଉଛି। ଆମ ପାଖରେ ଯେତିକି କୋଇଲା ଖଣି ଅଛି ଯଦି ଆମେ ତାର ସୁବିନିଯୋଗ କରି ଅଧିକ କୋଇଲା ଉତ୍ପାଦନ କରିପାରନ୍ତେ ତାହାଲେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରନ୍ତା। ଏହାସହ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ଆଞ୍ଚଳିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇପାରନ୍ତା’’, କହିଛନ୍ତି ବି ଏନ୍‌ ଶୁକ୍ଲା।

Comment