ଓଡ଼ିଶାଲାଇଭ୍ ବ୍ୟୁରୋ

କୋଇଲା ଶିଳ୍ପରେ ପ୍ରଥମ ଭାବେ ଖଣି ଉତ୍ତୋଳନ ବେଳେ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ଓ ଅଗ୍ନି ମୁକାବିଲା ପାଇଁ ରୋବୋଟିକ ଉପାୟ ଆପଣାଇଛି ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ (ଏମ୍‌ସିଏଲ୍‌)।

ଖଣି କାର୍ଯ୍ୟକୁ ନିରାପଦ, ପରିବେଶ ଅନୁକୂଳ ଓ ପ୍ରଭାବୀ କରିବା ପାଇଁ କ୍ରମାଗତ ଭାବେ ଅନେକଗୁଡ଼ିଏ ନୂତନ ପଦକ୍ଷେପ ସହ ଏମ୍‌ସିଏଲ ରିମୋଟ୍‌ ଦ୍ୱାରା ନିୟନ୍ତ୍ରିତ ଯନ୍ତ୍ର ସୁଇଭେଲ ନୋଜଲକୁ ସଫଳତାର ସହ ପରୀକ୍ଷଣ କରିଛି। ଏହା ରୋବୋଟିକ ନୋଜଲ ଭାବରେ ଜଣାଶୁଣା। ଘନ କୁହୁଡ଼ି, ଅଗ୍ନି ମୁକାବିଲା, ପ୍ରଭାବଶାଳୀ ଉପାୟରେ ଧୂଳି ନିୟନ୍ତ୍ରଣ ବେଳେ କୋଇଲା ଖଣିରେ ରୋବୋଟିକ ନୋଜଲ ବହୁଳ ଭାବେ ସହାୟକ ହେବ।

ଏମ୍‌ସିଏଲ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏନ୍‌. ଶୁକ୍ଲାଙ୍କ ଦ୍ୱାରା ପରିକଳ୍ପନା କରାଯାଇ ଏହି ସିଷ୍ଟମକୁ ଲଖନପୁର ଓସିପିରେ ୨୮ କିଲୋଲିଟର ପାଣି ଟାଙ୍କିରେ ଏହାକୁ ପୁନଃସ୍ଥାପନ କରାଯାଇଛି। ପରିଚାଳକ (ଇ ଆଣ୍ଡ ଏମ୍/ଇନୋଭେଶନ ସେଲ୍) ୱାଇ.କେ. ସିଙ୍ଗାଙ୍କ ଦ୍ୱାରା ଡିଜାଇନ ଓ ସମନ୍ୱୟ, ଇନୋଭେସନ ସେଲ୍‌ର ଏଚ୍‌ଓଡି ଏ.କେ. ପାଣ୍ଡେଙ୍କ ତତ୍ତ୍ୱାବଧାନ, କ୍ଷେତ୍ରୀୟ ଉତ୍ତୋଳନ ଟିମ୍‌ ଓ ମୁଖ୍ୟାଳୟର ମିଳିତ ପଦକ୍ଷେପ ଏବଂ ମହାପ୍ରବନ୍ଧକ (ଏକ୍ସାଭେସନ) ଏ.କେ. ଶତପଥୀଙ୍କ ନେତୃତ୍ୱରେ ଏହି ସିଷ୍ଟମ ହୋଇଥିଲା।

ଏହିପରି ଦୁଇଟି ସିଷ୍ଟମ ସୁନ୍ଦରଗଡ଼ ଜିଲାର ବସୁନ୍ଧରା ଓସିପି ଓ ଅନୁଗୁଳ ଜିଲାର ତାଳଚେର ଲିଙ୍ଗରାଜ ଓସିପିରେ ୨୮ କିଲୋଲିଟର ପାଣିଟାଙ୍କିରେ ପୁନଃ ସ୍ଥାପନ କରାଯିବ।

ବିଗତ ଗୋଟିଏ ବର୍ଷ ମଧ୍ୟରେ କମ୍ପାନି ଉଚ୍ଚତର ଭ୍ରାମ୍ୟମାଣ କୁହୁଡ଼ି ନିୟନ୍ତ୍ରକ, ୧୦୦ ମିଟର ରେଞ୍ଜର କୁହୁଡ଼ି ନିୟନ୍ତ୍ରକ, ଧୂଳି ରୋକିବାକୁ ଅତ୍ୟାଧୁନିକ ମେକାନିକାଲ ସୁଇପର ଆଣିଛି। ଖଣି ପରିଚାଳନା, ଯୋଜନା ଓ ପ୍ରଭାବୀ ନିଷ୍ପତ୍ତି ନେବା ପାଇଁ ୟୁଏଭି (ଡ୍ରୋନ୍‌)ର ବ୍ୟବହାର, ଖଣି ଅଞ୍ଚଳରେ ଉଦ୍ୟାନ ଓ କୃଷିର ପ୍ରବର୍ତ୍ତନ, ପଲି ହାଉସର ବ୍ୟବହାର, ଆଦିବାସୀ ପରିବାରକୁ ପୁଷ୍ଟିକର ଖାଦ୍ୟ ପାଇଁ ଆହାର ମଣ୍ଡଳ, ତାଲିମ ପାଇଁ ଡିଟିଏଚ୍‌ ଟିଭି ଚ୍ୟାନେଲର ପରୀକ୍ଷଣ ଏବଂ ବିସ୍ଫୋରଣବିହୀନ ଖଣି ଖନନ ପ୍ରଣାଳୀ ମଧ୍ୟ ଆଣିଛି କମ୍ପାନି।

କୋଭିଡ୍ ମହାମାରୀର ମୁକାବିଲା ପାଇଁ ବିଶୋଧନ ଅଭିଯାନରେ ଜିଲା ପ୍ରଶାସନକୁ ସାହାଯ୍ୟ କରିବା ପାଇଁ ଏମ୍‌ସିଏଲ୍‌ର ଫଗ୍ କାନନ ଯନ୍ତ୍ର ବହୁଳ ଭାବରେ ବ୍ୟବହୃତ ହୋଇଛି।

Comment