ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପୁଣି ଏକ ଜଟିଳ ଅସ୍ତ୍ରୋପଚାର ସଫଳ ହୋଇଛି। ଏକ ବର୍ଷକର ଶିଶୁର ଶ୍ୱାସନଳୀରୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଆତ ମଞ୍ଜି ବାହାର କରାଯାଇଛି। ଏହି ମଞ୍ଜି ଅଟକିଥିବା ଯୋଗୁ ଶିଶୁର ଜୀବନ ସଙ୍କଟାପନ୍ନ ହୋଇପଡିଥିଲା। ଅସ୍ତ୍ରୋପଚାର ପରେ ଶିଶୁଟି ସୁସ୍ଥ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି।

ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ହେମଲତା ଯାଦବ ନାମକ ଏହି ୧୨ ମାସର ଶିଶୁ କନ୍ୟାଟି ଗତ ଅକ୍ଟୋବର ୩୦ ତାରିଖ ଦିନ ଘରେ ଖେଳୁଥିବା ବେଳେ ଆତ ମଞ୍ଜି ଗିଳି ଦେଇଥିଲା। ମଞ୍ଜିଟି ଶିଶୁର ଶ୍ୱାସନଳୀରେ ଅଟକି ଯାଇଥିଲା। ଏହା ଦ୍ୱାରା ଶିଶୁଟି ନିଶ୍ଵାସପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା।

ବାପା-ମା ଶିଶୁଟିକୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଝିଅକୁ ତୁରନ୍ତ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ଵାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତର ପରାମର୍ଶ ଦେଇଥିଲେ। ଦୀର୍ଘ ୧୦ ଦିନ ଯାଏଁ ଶିଶୁକୁ ଧରି ବାପା ମା’ ଅନେକ ହସ୍ପିଟାଲ ନେଇଥିଲେ ମଧ୍ୟ କେହି ତା’ର ସଫଳ ଚିକିତ୍ସା କରିପାରି ନଥିଲେ। ଶେଷରେ ସେମାନେ ଚିକିତ୍ସା ପାଇଁ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ଆସିଥିଲେ।ଗୁରୁତର ଅବସ୍ଥାରେ ଶିଶୁଟି ସମ୍‌ରେ ଭର୍ତ୍ତି ହୋଇଥିଲା। ବିଭିନ୍ନ ପରୀକ୍ଷାରୁ ଶିଶୁଟି ରକ୍ତହୀନତା ତଥା ଯକ୍ଷ୍ମା ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ପରେ ସମ୍‌ର ଇଏନ୍‌ଟି ଏବଂ ସ୍କଲ ବେସ୍ ସର୍ଜରୀର ମୁଖ୍ୟ ଡାକ୍ତର ରାଧାମାଧବ ସାହୁ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ଶିଶୁର ଅସ୍ତ୍ରୋପଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଗୁରୁତର ଅବସ୍ଥାରେ ଥିବା ଶିଶୁଟିକୁ ନିଶ୍ଚେତକ ଦେଇ ଅପରେସନ୍ କରିବା ବହୁତ ବଡ଼ ଚାଲେଞ୍ଜ୍ ଥିଲା। ଡାକ୍ତର ସାହୁଙ୍କ ସମେତ ସମ୍‌ର ନିଶ୍ଚେତକ ବିଭାଗର ସିନିୟର୍ କନ୍‌ସଲ୍‌ଟାଣ୍ଟ ଡାକ୍ତର ଦୀପଙ୍କର ପଢ଼ିହାରୀ ଏବଂ ନିଶ୍ଚେତକ ଟିମ୍ ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଏହି ଅପରେସନ୍‌କୁ ଏକ ଚାଲେଞ୍ଜ ଭାବେ ଗ୍ରହଣ କରିଥିଲେ।

ଏଣ୍ଡୋସ୍କୋପିକ୍ ପ୍ରକ୍ରିୟାରେ ଅପ୍ଟିକାଲ୍ ଫୋରସେପ୍ ବ୍ୟବହାର କରାଯାଇ ଶିଶୁର ଶ୍ୱାସନଳୀରୁ ସଫଳତାର ସହ ଏକ ବଡ଼ ଆତ ମଞ୍ଜି ବାହାର କରାଯାଇଥିଲା। ଏହି ବୟସର ଶିଶୁଙ୍କର ଅମ୍ଳଜାନ ସ୍ତର ଖୁବ୍ ଶୀଘ୍ର କମିଯାଉଥିବାରୁ ସେମାନଙ୍କଠାରେ ନିଶ୍ଚେତକ ପ୍ରୟୋଗ କରିବା ସମସ୍ୟାଜଡ଼ିତ ବୋଲି ଡାକ୍ତର ସାହୁ କହିଛନ୍ତି।

ନିକଟରେ ଡାକ୍ତର ସାହୁ ଏହିଭଳି ଅନେକ ଜଟିଳ ଅସ୍ତ୍ରୋପଚାର କରି ଛୋଟ ଛୋଟ ଶିଶୁଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି।

Comment