ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ମାସ ଶେଷ ସୁଦ୍ଧା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲରେ ଦ୍ଵିତୀୟ ଥର ପାଇଁ ଯକୃତ ପ୍ରତ୍ୟାରୋପଣ କରାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଗତ ମାର୍ଚ୍ଚ ମାସରେ ପ୍ରଥମ କରି ଏଠାରେ ଲିଭିଙ୍ଗ ଡୋନର୍ ଯକୃତ ପ୍ରତ୍ୟାରୋପଣ ହୋଇଥିଲା।

ହାଇଦ୍ରାବାଦ ସ୍ଥିତ ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ସହଭାଗିତାରେ ଦ୍ୱିତୀୟ ଲିଭିଙ୍ଗ ଡୋନର ଯକୃତ ପ୍ରତ୍ୟାରୋପଣ ପାଇଁ ଯୋଜନା କରାଯାଉଛି। ଏ ନେଇ ସମ୍‌ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍‌ରେ ଗତ ମାର୍ଚ୍ଚ ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ଜୟନ୍ତ ବିଶ୍ୱାଳଙ୍କର ଯକୃତ ପ୍ରତ୍ୟାରୋପଣ କରାଯାଇଥିଲା। ଦୀର୍ଘ ୯ ଘଣ୍ଟା ଧରି କରାଯାଇଥିବା ଏହି ସର୍ଜରୀରେ ଯକୃତ ରୋଗରେ ପୀଡ଼ିତ ଜୟନ୍ତଙ୍କ ଶରୀରରେ ତାଙ୍କ ପୁଅ ସୋମ୍ୟ ରଞ୍ଜନ ବିଶ୍ୱାଳଙ୍କର ଯକୃତର କିଛି ଅଂଶ ଯୋଡ଼ା ଯାଇଥିଲା। ପୀଡ଼ିତ ଜୟନ୍ତ ବିଶ୍ୱାଳ ଯକୃତ ରୋଗର ଶେଷ ପର୍ଯ୍ୟାୟ ଲିଭର ସିରୋସିସ୍‌ରେ ପୀଡ଼ିତ ଥିଲେ। ତେବେ ପ୍ରତ୍ୟାରୋପଣ ପରେ ଉଭୟ ବାପା ଓ ପୁଅ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।ଚଳିତ ମାସରେ ହେବାକୁ ଥିବା ଲିଭର ପ୍ରତ୍ୟାରୋପଣ ପାଇଁ ହସ୍ପିଟାଲ୍ ପକ୍ଷରୁ ଗ୍ୟାଷ୍ଟ୍ରୋ-ଇଣ୍ଟେଷ୍ଟାଇନାଲ୍ ସର୍ଜରୀ, କାର୍ଡିଓଲୋଜି, କ୍ରିଟିକାଲ୍ କେୟାର, ଆନେସ୍ଥେସିଆ, ନେଫ୍ରୋଲୋଜି, ୟୁରୋଲୋଜି, କାର୍ଡିଓ ଥୋରାସିକ୍ ଓ ଭାସ୍କୁଲାର୍ ସର୍ଜରୀ, ହେମାଟୋଲୋଜି ଲାବ୍‌, ପାଥ ଲାବ୍‌, ବ୍ଲଡ୍ ବ୍ୟାଙ୍କ ଓ ନର୍ସିଂ ଭଳି ବିଭାଗର ବିଶେଷଜ୍ଞମାନଙ୍କୁ ନେଇ ଏକ ବଡ଼ ଟିମ୍ ଗଠନ କରାଯାଇଛି। ସେହିପରି ବାୟୋ ମେଡିକାଲ୍‌, ଡାଏଟିକ୍ସ, ସେଣ୍ଟ୍ରାଲ ଷ୍ଟେରାଇଲ୍ ଓ ସପ୍ଲାଏ ଡିପାର୍ଟମେଣ୍ଟର ସଦସ୍ୟମାନଙ୍କୁ ମଧ୍ୟ ସାମିଲ କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ମାର୍ଚ୍ଚ ୫ ତାରିଖରେ କରାଯାଇଥିବା ଯକୃତ ପ୍ରତ୍ୟାରୋପଣରେ ସାମିଲ ଥିବା ସମ୍‌ର ସମସ୍ତ ସଦସ୍ୟଙ୍କୁ ଗତ ଶୁକ୍ରବାର ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ଦ୍ୱିତୀୟ ପ୍ରତ୍ୟାରୋପଣ ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଥିଲେ, “ଏଭଳି ପ୍ରୟୋଗାତ୍ମକ ଏବଂ ଅତ୍ୟାଧୁନିକ ସର୍ଜରୀ କରିବା କ୍ଷେତ୍ରରେ ହସ୍ପିଟାଲ୍‌ର ଗ୍ୟାଷ୍ଟ୍ରୋଏନ୍‌ଟେରୋଲୋଜି ବିଭାଗ ଉଚ୍ଚକୋଟୀର କାର୍ଯ୍ୟ କରୁଛି ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି।”

ସେହିପରି ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ, ଏଭଳି ସଫଳତା ଯୋଗୁ ହିଁ ଲୋକମାନେ ସମ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି। ଏଭଳି ସର୍ଜରୀ ପରିଚାଳନା କରିବା ପାଇଁ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଉଚ୍ଚକୋଟୀର ଅଭିଜ୍ଞତାପୂର୍ଣ୍ଣ ଟିମ୍ ରହିଛି ବୋଲି ସେ କହିଥିଲେ।

ଏହି ଅବସରରେ ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପ୍ରଫେସର ରାଜେଶ ଲେଙ୍କା, ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଜିଆଇ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ରେଡିଓଲୋଜି ବିଭାଗ ମୁଖ୍ୟ ପ୍ରଫେସର ସତ୍ୟ ସୁନ୍ଦର ମହାପାତ୍ର, ଜିଆଇ ସର୍ଜରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସତ୍ୟପ୍ରକାଶ ରାୟଚୌଧୁରୀ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଦେବକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comment