ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌-୧୯ ସଂକ୍ରମିତ ହେଲେ ଅନେକ କ୍ଷେତ୍ରରେ ସଂକ୍ରମିତଙ୍କ ଫୁସ୍‌ଫୁସ୍ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛି। କେତେକ କ୍ଷେତ୍ରରେ ଫୁସ୍‌ଫୁସ୍ ନଷ୍ଟ ହେବା ଦ୍ୱାରା ସଂକ୍ରମିତଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ତେବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏଭଳି ଜଣେ କରୋନା ସଂକ୍ରମିତଙ୍କର ଚିକିତ୍ସା ଇକ୍‌ମୋ ସର୍ଭାଇଭର୍ ପଦ୍ଧତିରେ କରାଯାଇ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରାଯାଇପାରିଛି। ଏକ୍ସଟ୍ରାକର୍ପୋରିଅଲ୍ ମେମ୍ବ୍ରେମ୍ ଅକ୍ସିଜେନେସନ୍ ଅର୍ଥାତ୍ ଇକ୍‌ମୋ ସାହାଯ୍ୟରେ ସଂକ୍ରମିତଙ୍କୁ ସୁସ୍ଥ କରିବାରେ ସଫଳ ହୋଇଛନ୍ତି ସମ୍ ଡାକ୍ତର।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଓଡ଼ିଶାର ପ୍ରଥମ ଥର ପାଇଁ ଏହି ଇକ୍‌ମୋ ସର୍ଭାଇଭର ମାଧ୍ୟମରେ ସଫଳତା ମିଳିପାରିଛି। ଏହି ଇକ୍‌ମୋ ସର୍ଭାଇଭରକୁ କୃତ୍ରିମ ଫୁସଫୁସ୍ ବୋଲି ମଧ୍ୟ ଡାକ୍ତରୀ ଭାଷାରେ କୁହାଯାଉଛି।

୪୯ ବର୍ଷୀୟ ସୁଜିତ କୁମାର ସିଂହ ଗତ ସେପ୍ଟେମ୍ବର ୧୫ ତାରିଖରେ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତି ହୋଇଥିଲେ। ସେଠାରେ କିଛି  ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ସମ୍ ହସ୍ପିଟାଲର କ୍ରିଟିକାଲ୍ କେୟାର ୟୁନିଟ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ କରୋନା ସଂକ୍ରମଣ ହେବା ପରେ ତାଙ୍କର ଦୁଇଟି ଯାକ ଫୁସଫୁସ୍‌ର ୯୦ ଭାଗ ନଷ୍ଟ ହୋଇଯାଇଥିଲା ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଭେନ୍‌ଟିଲେଟରରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ହାଇଫ୍ଲୋ ନାଜାଲ୍ ଅକ୍ସିଜେନ୍ ବ୍ୟବହାର କରାଯିବା ସତ୍ୱେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନ ଘଟିବାରୁ ତାଙ୍କୁ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇଥିଲା।

ଇକ୍‌ମୋ ପଦ୍ଧତି ପ୍ରୟୋଗ ଦ୍ୱାରା ତାହା ଶରୀରରେ ଥିବା ଫୁସ୍‌ଫୁସ୍‌ର କାର୍ଯ୍ୟ କଲା ଏବଂ ସେହି ସମୟରେ କ୍ଷତିଗ୍ରସ୍ତ ଫୁସ୍‌ଫୁସ୍‌କୁ ସୁସ୍ଥ କରିବାରେ ଲାଗି ପଡ଼ିଲେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍। ବେଶ କିଛି ଦିନ ଧରି ଏହି ପଦ୍ଧତିରେ ତାଙ୍କର ଚିକିତ୍ସା କରାଗଲା ଏବଂ ସେ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଲେ। ରୋଗୀ ଜଣକଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିଛିଟା ସୁଧାର ଆସିବା ପରେ ଇକ୍‌ମୋ କଢ଼ାଯାଇ କେବଳ ଭେନ୍‌ଟିଲେଟରରେ ରଖାଗଲା। ତେବେ ତାଙ୍କୁ ସଂପୂର୍ଣ୍ଣ ସୁସ୍ଥ କରିବା ପାଇଁ ଆଇସିୟୁରେ ଫିଜିଓଥେରାପି ମଧ୍ୟ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍ କ୍ରିଟିକାଲ୍ କେୟାର  ବିଭାଗର ମୁଖ୍ୟ ଡାକ୍ତର ଶକ୍ତି ବେଦାନ୍ତ ମିଶ୍ର।

ଦୀର୍ଘ ଦୁଇ ମାସର ଚିକିତ୍ସା ଓ ହସ୍ପିଟାଲ୍‌ର କ୍ରିଟିକାଲ୍ କେୟାର୍ ୟୁନିଟ୍‌ର ପ୍ରତ୍ୟକ୍ଷ ତତ୍ୱାବଧାନ, ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ରୋଗୀ ଜଣକ ଏବେ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ ହସ୍ପିଟାଲ୍‌ରେ ଇକ୍‌ମୋ ପଦ୍ଧତିରେ ଚିକିତ୍ସା କରାଯାଇ କରୋନା ସଂକ୍ରମିତଙ୍କୁ ସୁସ୍ଥ କରାଯିବା ଓଡ଼ିଶାରେ ଏକ ବିରଳ ସଫଳତା ବୋଲି କହିଛନ୍ତି ସମ୍ ହସ୍ପିଟାଲ୍‌ର କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ଦେବାଶିଷ ସାହୁ।

ହସ୍ପିଟାଲର ଏକ ୭ ଜଣିଆ ଡାକ୍ତରୀ ଟିମ୍ ଏହି ଚିକିତ୍ସା ପଦ୍ଧତିରେ ସାମିଲ୍ ଥିଲେ। ଏହି ଟିମ୍‌ରେ ଡାକ୍ତର ମିଶ୍ର ଓ ଡାକ୍ତର ସାହୁଙ୍କ ସମେତ କ୍ରିଟିକାଲ୍ କେୟାର ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଅରୁଣ ରଥ ଓ ଡାକ୍ତର ଅଭିଳାଷ ଦାଶ, ଫିଜିଓଥେରାପି ବିଭାଗ ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରା, କନ୍‌ସଲ୍‌ଣ୍ଟାଣ୍ଟ୍‌ , କାର୍ଡିଆକ ଆନେସ୍‌ଥେସିଆ ଡାକ୍ତର ସୁଶାନ୍ତ ଭୋଇ ଏବଂ ପର୍‌ଫ୍ୟୁଜନିଷ୍ଟ ସନାତନ ଚାନ୍ଦ ସାମିଲ୍ ଥିଲେ।

Comment