ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ ହସ୍ପିଟାଲରେ ଡାକ୍ତରମାନଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁ ଜଣେ ୯ ବର୍ଷୀୟ ବାଳକଙ୍କ କଟା ଅଙ୍ଗୁଳି ଯୋଡ଼ି ହୋଇଛି। ବାଙ୍କି ଡମପଡ଼ା ଅଞ୍ଚଳର ରାମଚନ୍ଦ୍ର ବେହେରାଙ୍କ ପୁଅ ରିତିସ୍ ରଞ୍ଜନ ବେହେରାଙ୍କ ହାତରେ ଏହି ଅସ୍ତ୍ରୋପଚାର ହୋଇଛି।

ଗତ ଅଗଷ୍ଟ ୩୧ ତାରିଖ ଦିନ ଘରର ଲୁହା ଗେଟ୍‌ ବନ୍ଦ କରିବା ବେଳେ ରିତିସ୍‌ଙ୍କ ଡାହାଣ ହାତର ବିଶି ଆଙ୍ଗୁଠିଟି ଗେଟ୍ ଫାଙ୍କରେ ଚାପି ହୋଇଯାଇଥିଲା। ଫଳରେ ଆଙ୍ଗୁଠିଟି ପାପୁଲିରୁ ସମ୍ପୂର୍ଣ୍ଣ ଅଲଗା ହୋଇଯାଇଥିଲା। ରିତିସ୍‌ଙ୍କ ବାପା ରାମଚନ୍ଦ୍ର ବେହେରା ତୁରନ୍ତ ପୁଅ ସହିତ କଟା   ଅଙ୍ଗୁଳିଟିକୁ ଧରି ଚିକିତ୍ସା ପାଇଁ କେତେକ ଘରୋଇ ହସ୍ପିଟାଲ୍‌କୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।ଶେଷରେ ସେ ସମ୍ ହସ୍ପିଟାଲର ବର୍ଣ୍ଣ୍‌ସ, ପ୍ଲାଷ୍ଟିକ୍ ଓ କସ୍‌ମେଟିକ୍ ସର୍ଜରୀ ବିଭାଗକୁ ଚିକିତ୍ସା ପାଇଁ ପୁଅକୁ ଆଣିଥିଲେ। ସେଠାରେ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ଅଧୀନରେ ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତର ମିଶ୍ରଙ୍କ ତତ୍ତ୍ଵାବଧାନରେ ଏକ ୫ ଜଣିଆ ଟିମ୍‌ ରିତିସ୍‌ଙ୍କ ଅଙ୍ଗୁଳିର ମାଇକ୍ରୋସର୍ଜରୀ ପଦ୍ଧତିରେ ଅସ୍ତ୍ରୋପଚାର କରିଥିଲେ।

ଅସ୍ତ୍ରୋପଚାର ପରେ ଅଙ୍ଗୁଳିଟି ପାପୁଲି ସହ ସଂପୁର୍ଣ୍ଣ ଭାବେ ଯୋଡ଼ି ହୋଇଯାଇଛି। ଖୁବ୍ କମ୍ ଦିନ ମଧ୍ୟରେ ସେହି ହାତରେ ସ୍ୱାଭାବିକ ଭାବେ ରିତିସ୍ ସମସ୍ତ କାମ କରିପାରିବେ ବୋଲି ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Comment