ଓଡ଼ିଶାଲାଇଭ୍ ବ୍ୟୁରୋ

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ପୁଣି ଏକ ବିରଳ ଅସ୍ତ୍ରୋପଚାର ହୋଇଛି। ଜଣେ ମଧ୍ୟ ବୟସ୍କ ବ୍ୟକ୍ତିଙ୍କର ନାସାରନ୍ଧ୍ରରୁ ଏକ ଟ୍ୟୁମରକୁ ଆଧୁନିକ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ବାହାର କରାଯାଇଛି। ନାସାରନ୍ଧ୍ରଟି ମସ୍ତିଷ୍କ ସହ ଜଡ଼ିତ ଥିବା ବେଳେ ମିନିମାଲ୍‌ ଇନ୍‌ଭାସିଭ୍ ମେଥଡ୍ ଦ୍ୱାରା ଏହି ଟ୍ୟୁମର ବାହାର କରାଯାଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ପଞ୍ଚାନନ ପାଣିଗ୍ରାହୀ ନାମକ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କର ନାସାରନ୍ଧ୍ରରେ ଏକ ଟ୍ୟୁମର ହୋଇଥିଲା। ଏହା ଗନ୍ଧ ବାରିପାରୁଥିବା ନର୍ଭ ସହିତ ଜଡ଼ିତ ଥିଲା ଯାହାକି ମସ୍ତିଷ୍କ ଭିତରକୁ ଯାଇଥିଲା। ସମ୍ ଅଲ୍ଟିମେଟ୍‌ ମେଡିକେୟାରର ଇଏନ୍‌ଟି ଆଣ୍ଡ ସ୍କଲ୍ ବେଶ ସର୍ଜରି ମୁଖ୍ୟ ଡକ୍ଟର ରାଧାମାଧବ ସାହୁ ଟ୍ରାନ୍ସ ନାଜାଲ୍ ଏଣ୍ଡୋସ୍କୋପିକ୍ ଓ ସ୍କଲ୍ ବେଶ୍ ସର୍ଜରି ଦ୍ୱାରା ଏହି ଟ୍ୟୁମରକୁ ବାହାର କରିବାରେ ସଫଳ ହୋଇଥିଲେ।ଟ୍ୟୁମର କାରଣରୁ ପଞ୍ଚାନନଙ୍କ ନାକରୁ ରକ୍ତ ବାହାରୁଥିଲା। ମୁଣ୍ଡ ବିନ୍ଧୁଥିଲା ଏବଂ ସେ ଗନ୍ଧ ମଧ୍ୟ ବାରି ପାରୁନଥିଲେ। ଏହି ସମସ୍ୟା ନେଇ ଚିକିତ୍ସା ପାଇଁ ସେ ଡକ୍ଟର ସାହୁଙ୍କ ନିକଟକୁ ଆସିଥିଲେ। ବିଭିନ୍ନ ପରୀକ୍ଷାନିରୀକ୍ଷା ପରେ ତୁରନ୍ତ ଅପରେସନ୍‌ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଏହି ବିରଳ ପ୍ରକ୍ରିୟାରେ ସଂପୃକ୍ତ ବ୍ୟକ୍ତିଙ୍କ ନାକରୁ ଗଲ୍ଫ ବଲ୍ ଆକାରର ଟ୍ୟୁମର ଏଣ୍ଡୋସ୍କୋପିକ୍‌ ପ୍ରକ୍ରିୟାରେ ବାହାର କରାଯାଇଥିଲା। ଏହାକୁ ଗ୍ଲୋମାନ୍‌ଜିଓପେରିସାଇଟୋମା ଅଥବା ଜିପିସି ବୋଲି ମଧ୍ୟ କୁହାଯାଏ। ଏହି ଟ୍ୟୁମର ରକ୍ତ ନଳୀରୁ ସୃଷ୍ଟି ହୋଇଥାଏ ଏବଂ ଠିକ୍ ଭାବେ ଏହାକୁ କଢ଼ା ନ ଗଲେ ରୋଗୀ ପାଇଁ ଅନେକ ବିପଦ ଦେଖାଦେଇଥାଏ ବୋଲି ଡକ୍ଟର ସାହୁ କହିଛନ୍ତି।ଅଧିକାଂଶ କ୍ଷେତ୍ରରେ ନାକରେ ସୃଷ୍ଟି ହୋଇଥିବା ଟ୍ୟୁମର‌ଗୁଡ଼ିକୁ ଅନୁଧ୍ୟାନ କଲେ ଏହି ଟ୍ୟୁମର୍‌ର ମାତ୍ରା ମାତ୍ର ୦.୫ ପ୍ରତିଶତ ହେବ ବୋଲି ଜଣାପଡ଼ିଛି। ଡକ୍ଟର ସାହୁ କହିଛନ୍ତି ଯଦିଓ ପୂର୍ବରୁ ଓପନ୍ ଏକ୍ସଟ୍ରା ନାଜାଲ୍ ପଦ୍ଧତିରେ ଚିକିତ୍ସା କରାଯାଉଥିଲା ତେବେ ଏହା ଖୁବ୍ ବିପଦସଙ୍କୁଳ ଥିଲା। ବର୍ତ୍ତମାନ ଅତ୍ୟାଧୁନିକ ମିନିମାଲ୍ ଇନ୍‌ଭାସିଭ୍ ଏଣ୍ଡୋସ୍କୋପିକ୍ ଚିକିତ୍ସା ଦ୍ୱାରା ଏହାର ଚିତ୍ର ବଦଳିଛି। ବିନା ଦାଗରେ ସର୍ଜରି କରାଯାଉଛି ଏବଂ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇପାରୁଛି।

ହାତଗଣତି ସ୍କଲ ବେଶ୍ ସର୍ଜନ୍‌ଙ୍କ ମଧ୍ୟରେ ଡକ୍ଟର ସାହୁ ଅନ୍ୟତମ। ସେ ପୂର୍ବରୁ ମଧ୍ୟ ଏଭଳି ଅନେକ ବିରଳ ଅସ୍ତ୍ରୋପଚାର କରିଛନ୍ତି।

Comment