ଓଡ଼ିଶାଲାଇଭ୍ ବ୍ୟୁରୋ

ସଫଳ ହେଲା ଆଲୋଚନା, ପଦ୍ମପୁର ଉପଖଣ୍ଡକୁ ମିଳିବ ଜିଲ୍ଲାର ମାନ୍ୟତା। ଆସନ୍ତା ୨୦୨୩ ଡିସେମ୍ବର ମାସ ସୁଦ୍ଧା ପଦ୍ମପୁର ଜିଲ୍ଲାର ମାନ୍ୟତା ପାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

“ପଦ୍ମପୁର ଉପନିର୍ବାଚନ ଲାଗି ଆଚରଣବିଧି ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଲିଖିତ ଆକାରରେ ଏହି ଘୋଷଣା କରିନାହାନ୍ତି। ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡିର ଇସ୍ତାହାରରେ ଏହା ପ୍ରକାଶ କରାଯିବ”, କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

ଦୀର୍ଘ ବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ଲାଗି ଦାବି ହୋଇଆସୁଛି। ବିଭିନ୍ନ ସମୟରେ ଆନ୍ଦୋଳନ ଏବଂ ଧାରଣ ମଧ୍ୟ ଦିଆଯାଇଛି। ଏହାକୁ ନେଇ କିଛି ଦିନ ହେଲା ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ। ପୂର୍ବରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଲାଗି କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ।

ବୁଧବାର ଦିନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ପ୍ରଦାନ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ବର୍ଷ ଦାବି ପୂରଣ ହେଲା ବୋଲି କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟମାନେ। ଦୀର୍ଘ ବର୍ଷର ଦାବି ପୂରଣ ହେବାକୁ ଯାଉଥିବାରୁ ପଦ୍ମପୁରବାସୀ ବହୁତ ଖୁସି ବୋଲି କ୍ରିୟାନୁଷ୍ଠାନ କମିଟି ସମସ୍ୟ କହିଛନ୍ତି।

Tags: #Padampur #PadampurSubdivision #District #CMOdisha #NaveenPatnaik

Comment