ଓଡ଼ିଶାଲାଇଭ୍ ବ୍ୟୁରୋ

ସର୍ବସମ୍ମୁଖରେ ଯୁକ୍ତଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀଙ୍କୁ ରାଗିଂ କରିବା ଓ ସେହି ସମୟର ଦୃଶ୍ୟକୁ ଉପଭୋଗ କରିବା ବ୍ରହ୍ମପୁରସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ପଢ଼ୁଥିବା ୧୨ ଜଣ ଛାତ୍ରଛାତ୍ରୀଙ୍କୁ ମହଙ୍ଗା ପଡ଼ିଛି। କଲେଜର ଆଣ୍ଟି ରାଗିଂ ଓ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଏହି ୧୨ ଜଣ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି।

ରାଗିଂ ଭଳି ଅପରାଧିକ ମାମଲାରେ ଜଡ଼ିତ ହୋଇ ମନ୍ଦ କାର୍ଯ୍ୟ କରିଥିବାରୁ ଏହି ସମସ୍ତ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ଭାବେ ସିଏଲ୍‌ସି (କଲେଜ ଲିଭିଂ ସାର୍ଟିଭିକେଟ୍) ପ୍ରଦାନ କରି ସବୁଦିନ ପାଇଁ କଲେଜରୁ ବହିଷ୍କୃତ କରିବାକୁ ନିଷ୍ପତ୍ତି ହୋଇଥିବା କଲେଜ ଅଧ୍ୟକ୍ଷା ଡ ପ୍ରମିଳା ଖାଡଙ୍ଗା କହିଛନ୍ତି। ଏହି ୧୨ ଜଣଙ୍କ ମଧ୍ୟରୁ ୩ ଜଣ ଛାତ୍ରଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ ନାବାଳକ ଛାତ୍ରଙ୍କୁ କିଶୋର ନ୍ୟାୟ ବୋର୍ଡରେ ହାଜର କରିଛି। ଏମାନଙ୍କ ନାଁରେ ଆଣ୍ଟି ରାଗିଂର ବିଭିନ୍ନ ଆଇନ ସହ ପୋକ୍‌ସୋ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବ୍ରହ୍ମପୁର ହରିଡାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ପରିସରରେ ମଙ୍ଗଳବାର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ୧୨ ଜଣ ଛାତ୍ରଛାତ୍ରୀ ରାଗଂ କରିଥିଲେ। ଏହି କଲେଜରେ ଯୁକ୍ତତିନି ତୃତୀୟ ବର୍ଷରେ ପଢ଼ୁଥିବା ଛାତ୍ର ଅଭିଶେକ ନାୟକଙ୍କ ଇଙ୍ଗିତରେ ପୀଡ଼ିତା ଛାତ୍ରୀଙ୍କୁ ସର୍ବସମ୍ମୁଖରେ ରାଗିଂ ସହ ଅସଦାଚରଣ କରାଯାଇଥିଲା। ଏପରିକି ଛାତ୍ରୀ ଜଣଙ୍କ ସେଠାରୁ ଚାଲିଯିବାକୁ ଚେଷ୍ଟା କରୁଥିଲେ ମଧ୍ୟ ମୁଖ୍ୟ କାର୍ପଟଦାର ଅଭିଶେକ ନାୟକ ପୀଡ଼ିତୀଙ୍କୁ ଡରାଇ ଧମକାଇ ସେଠାରେ ବସିବାକୁ ବାଧ୍ୟ କରୁଥିଲେ।

ସେଠାରେ ୫ ଜଣ ଛାତ୍ରୀ ଉପସ୍ଥିତ ଥିଲେ ମଧ୍ୟ ସେମାନେ ପୀଡ଼ିତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେଠାରେ ଠିଆହୋଇ ମୋବାଇଲରେ ଭିଡିଓ ଉତ୍ତୋଳନ କରୁଥିଲେ। ଘଟଣା ବେଳର ଦୃଶ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ବ୍ରହ୍ମପୁର ପୋଲିସ ଏହାକୁ ବେଶ ଗୁରୁତର ଭାବେ ନେଇଥିଲା।

ଗତକାଲି ବଡ଼ବଜାର ଥାନା ପୋଲିସ ରାଗିଂରେ ସଂପୃକ୍ତ ୫ଜଣ ଛାତ୍ରଙ୍କୁ କାବୁ କରି ଥାନାକୁ ଆଣିଥିଲା। ଗିରଫ ହୋଇଥିବା ଛାତ୍ରମାନେ ହେଲେ ଯୁକ୍ତତିନି ତୃତୀୟ ବର୍ଷର ଛାତ୍ର ଅଭିଶେକ ନାୟକ (୨୨), ଶ୍ରୀଧର ନାହାକ (୧୯), ଆଦିତ୍ୟ କୁମାର ସାହୁ (୨୦)। ସେହିପରି ଯୁକ୍ତଦୁଇ ଦ୍ଵିତୀୟ ବର୍ଷରେ ପଢ଼ୁଥିବା ଆଉ ଦୁଇ ନାବାଳକ ଛାତ୍ରଙ୍କୁ ପୋଲିସ କାବୁ କରି କିଶୋର ନ୍ୟାୟ ବୋର୍ଡରେ ହାଜର କରିଛି।

Tags: #Berhampur #BinayakAcharyaGovtCollege #Ragging #Arrest #AntiRagging #OdishaLive

LEAVE A REPLY

Please enter your comment!
Please enter your name here