ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୦୦ଟି ନୂଆ ବସ୍‌ ସହ ରାଉରକେଲାରେ ଆରମ୍ଭ ହେବ ‘ମୋ ବସ୍’ ସେବା  
  • ନିୟମିତ ବିମାନ ସେବା ସହ କାର୍ଯ୍ୟକ୍ଷମ ହେବ ରାଉରକେଲା ବିମାନ ବନ୍ଦର

ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପୁରୁଷ ହକି ବିଶ୍ଵ କପ୍ ପ୍ରତିଯୋଗିତା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ସମୀକ୍ଷା ଅନୁସାରେ କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ମହାନଗରରେ ପାଳନ କରାଯିବ ହକି ବିଶ୍ଵ କପ୍ ଉତ୍ସବ। ରାଉରକେଲା ସହରରେ ୧୦୦ଟି ନୂଆ ବସ ସହ ‘ମୋ ବସ୍’ ସେବା ଆରମ୍ଭ କରାଯିବ। ଏହା ସହିତ ନିୟମିତ ବିମାନ ସେବା ସହ ରାଉରକେଲା ବିମାନ ବନ୍ଦରକୁ କାର୍ଯ୍ୟକ୍ଷମ କରାଯିବ।

ଆସନ୍ତା ବର୍ଷ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଏଫଆଇଏଚ ପୁରୁଷ ହକି ବିଶ୍ଵ କପ୍‌-୨୦୨୩ ଭୁବନେଶ୍ଵର ଓ ରାଉରକେଲାଠାରେ ଅନୁଷ୍ଠିତ ହେବ। ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ ବିଶ୍ଵର ୧୬ଟି ଦଳ ଅଂଶଗ୍ରହଣ କରିବେ। ଭୁବନେଶ୍ଵରରେ ୨୪ଟି ମ୍ୟାଚ ଏବଂ ରାଉରକେଲାରେ ୨୦ଟି ମ୍ୟାଚ ଖେଳାଯିବ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କୁ ବିଶ୍ଵକପ୍‌ ଆୟୋଜନର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ। ପ୍ରତିଯୋଗିତା ପାଇଁ ଭୁବନେଶ୍ଵରର କଳିଙ୍ଗ ହକି ଷ୍ଟାଡିୟମ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବାବେଳେ ରାଉରକେଲା ବିର୍ସାମୁଣ୍ଡା ହକି ଷ୍ଟାଡିୟମ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ କହିଛନ୍ତି। ଉଭୟ ଷ୍ଟାଡିୟମରେ ହକି ଟର୍ଫ ଓ ଫ୍ଲଡ ଲାଇଡ କାମ ଶେଷ ହୋଇଯାଇଛି। ଅଂଶଗ୍ରହଣକାରୀ ଦଳ ଓ ମ୍ୟାଚ ଅଫିସିଆଲମାନଙ୍କ ରହଣୀ ପାଇଁ ୨୨୫ଟି ରୁମ୍‌ ତିଆରି କାମ ଚାଲିଛି ଏବଂ ଏହା ମଧ୍ୟ ନଭେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ।

କଟକ ବାରବାଟୀ ଷ୍ଟାଡିୟମ ସମେତ ୫ଟି ମହାନଗରରେ ହକି ବିଶ୍ଵ କପ୍‌ ଉତ୍ସବ ପାଳନ କରାଯିବ। ଓଡ଼ଶାର ଅଧିକାଂଶ ଜିଲ୍ଲା ସହିତ ସାରା ଦେଶରେ ଏହି ହକି ବିଶ୍ଵକପ ଟ୍ରଫି ପ୍ରଦର୍ଶନ ଯାତ୍ରା କରାଯିବ। ଏହି ସମୟରେ ଜିଲ୍ଲାସ୍ତରରେ କ୍ରୀଡ଼ା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବିକାଶ ପାଇଁ ବିଭିନ୍ନ ପ୍ରକାର ଉତ୍ସବର ଆୟୋଜନ କରାଯିବ। ସ୍କୁଲ, କଲେଜର ପିଲାମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ଏବଂ ସମସ୍ତଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲିମୁଖ୍ୟ ଶାସନ ସଚିବ କହିଛନ୍ତି।

ରାଉରକେଲା ଓ ଭୁବନେଶ୍ଵର ସହରର ସୌନ୍ଦର୍ଯ୍ୟକରଣ କରାଯିବ। ସବୁ ବିଭାଗ ଏଥିପାଇଁ ପରସ୍ପର ମଧ୍ୟରେ ସମନ୍ଵୟ ରଖି କାର୍ଯ୍ୟ କରୁଛନ୍ତି। ରାଉରକେଲା ବିମାନ ବନ୍ଦରରୁ ନିୟମିତ ବିମାନ ସେବା ଆରମ୍ଭ ହେବ। ଏହା ସହିତ ଖେଳାଳି ଓ ମ୍ୟାଚ ଅଫିସିଆଲମାନଙ୍କ ଯାତାୟତ ପାଇଁ ଚାର୍ଟଡ ଫ୍ଲାଇଟର ବ୍ୟାବସ୍ଥା କରାଯାଉଛି। ଏହି ଅବସରରେ ୧୦୦ଟି ନୂଆ ବସ୍‌ ସହିତ ରାଉରକେଲାରେ ‘ମୋ ବସ୍‌’ ସେବା ଆରମ୍ଭ କରାଯିବ।

ଆୟୋଜକ କମିଟି ଓ ବିଭିନ୍ନ ସବ୍ କମିଟି ହକି ବିଶ୍ଵ କପର ସଫଳ ଆୟୋଜନ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଅଘଟଣମୁକ୍ତ କରିବା ପାଇଁ ନିରାପତ୍ତା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମନ୍ତ୍ରୀମଣ୍ଡଳକୁ ଅବଗତ କରାଇଛନ୍ତି।

ହକି ବିଶ୍ଵ କପ୍‌ ଆୟୋଜନରେ ସାମିଲ ହୋଇଥିବା ସବୁ ବିଭାଗର ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିବା ସହ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହକି ବିଶ୍ଵକପ୍‌ ଯେଭଳି ବିଭିନ୍ନ ଟିମ୍‌ ଓ ପ୍ରଶଂସକମାନଙ୍କ ନିମନ୍ତେ ଏକ ଭବ୍ୟ ଉତ୍ସବ ଭାବରେ ସ୍ମରଣୀୟ ହୋଇରହିବ, ସେଥିପାଇଁ ପରସ୍ପର ମଧ୍ୟରେ ଉତ୍ତମ ସମନ୍ଵୟ ରଖି କାର୍ଯ୍ୟ କରିବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Tags: #CMOdisha #NaveenPatnaik #HockeyIndia #MensHockeyWorldCup

Comment