ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପାଖେଇ ଆସୁଛି ପଦ୍ମପୁର ଉପନିର୍ବାଚନ ତାରିଖ। ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବା ପରେ ଏବେ ପ୍ରଚାର ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ତିନି ପ୍ରମୁଖ ରାଜନୈତିକ ଦଳ – ବିଜେଡି, ବିଜେପି ଏବଂ କଂଗ୍ରେସ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିବା ପରେ ରାଜନୀତି ପାଣିପାଗ ସରଗରମ ହୋଇଯାଇଛି। ଏହି ତିନି ଦଳ ୪୦ ଜଣ ଲେଖାଏଁ ନେତାଙ୍କୁ ପଦ୍ମପୁରରେ ପ୍ରଚାର ଦାୟିତ୍ୱ ଦେଇଛନ୍ତି।

ବିଜେଡିରେ ଖୋଜାପଡ଼ିଲେ ବରିଷ୍ଠ ନେତା

ଧାମନଗର ଉପନିର୍ବାଚନରେ ପରାଜୟ ପରେ ପଦ୍ମପୁର ଉପନିର୍ବାଚନକୁ ବିଜେଡି ହାଲକା ଭାବେ ଗ୍ରହଣ କରିନି। ଧାମନଗରରେ ହୋଇଥିବା କ୍ଷତି ଯେମିତି ପଦ୍ମପୁରରେ ନହୁଏ ସେଥିପାଇଁ ଦଳ ଅଭିଜ୍ଞ ତଥା ବରିଷ୍ଠ ନେତାମାନଙ୍କୁ ପ୍ରଚାର ତାଲିକାରେ ସାମିଲ କରିଛି। ଧାମନଗର ଉପନିର୍ବାଚନରେ ଯେଉଁ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା ସେମାନଙ୍କୁ ପଦ୍ମପୁର ତାଲିାକରୁ ବାଦ୍‌ ଦିଆଯାଇଛି।

ଷ୍ଟାର ପ୍ରଚାରକ ତାଲିକାରେ ଆଗରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ କେଶରୀ ଦେବ, ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅରୁଣ ସାହୁ, ପ୍ରତାପ ଜେନା, ସୁଶାନ୍ତ ସିଂହ, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ରମେଶ ଚନ୍ଦ୍ର ମାଝି, ରୋହିତ ପୂଜାରୀ, ସ୍ନେହାଙ୍ଗିନୀ ଛୁରିଆ, ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ମୁଦୁଲିଙ୍କ ଭଳି ନେତା।

ବାଦ୍‌ ପଡ଼ିଲେ ବ୍ୟୋମକେଶ, ପ୍ରଣବ, ଦେବୀ ଏବଂ ପ୍ରମିଳା

୨୦୧୯ରୁ ୨୦୨୨ ଭିତରେ ବର୍ତ୍ତମାନ ସୁଦ୍ଧା ୭ଟି ଉପନିର୍ବାଚନ ହୋଇଛି। ଏହି ସବୁ ଉପନିର୍ବାଚନରେ ଚାନ୍ଦବାଲି ବିଧାୟକ ତଥା ରାଜ୍ୟ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଧର୍ମଶାଳା ବିଧାୟକ ତଥା ଯୁବ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଏବଂ ବାଙ୍କୀ ବିଧାୟକ ତଥା ଛାତ୍ର ବିଜେଡି ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳୁଥିଲା। ଏହି ନେତାମାନଙ୍କ ନାଁ ସବୁବେଳେ ଷ୍ଟାର ପ୍ରଚାରକ ତାଲିକାରେ ରହୁଥିଲା। କିନ୍ତୁ ଧାମନଗର ଉପନିର୍ବାଚନ ପରେ ବିଜେଡି ଗଣିତ ବଦଳି ଯାଇଛି। ଧାମନଗର ପରାଜୟ ପରେ ପଦ୍ମପୁର ଉପନିର୍ବାଚନରେ ଏହି ନେତାମାନଙ୍କ ଉପରେ ଦଳ ଭରସା କରିପାରି ନଥିବା ଚର୍ଚ୍ଚା ହେଉଛି। ତେଣୁ ଏହି ନେତାମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ହଟାଇ ଦିଆଯାଇଥିବା କୁହାଯାଉଛି।

ଅରୁଣ, ପ୍ରତାପ ଏବଂ ଦିବ୍ୟଶଙ୍କର ସାମିଲ

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ଲଗାତର ପଞ୍ଚମ ଥର ପାଇଁ ଶାସନ ଭାର ଗ୍ରହଣ କରିଥିଲା। ଏହି ପଞ୍ଚମ ପାଳି ସରକାରରେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦ ମିଳିଥିଲା। ତେବେ ଗତ କିଛି ମାସ ତଳେ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବା ଲାଗି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ଗଠନ ହୋଇଥିବା ନୂଆ ମନ୍ତ୍ରିମଣ୍ଡଳରେ ଏହି ତିନି ନେତାଙ୍କୁ ବାଦ୍‌ ଦିଆଯାଇଥିଲା। ଖାଲି ସେତିକି ନୁହେଁ, ବିଭିନ୍ନ ଉପନିର୍ବାଚନରେ ମଧ୍ୟ ସେମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଉ ନଥିଲା। ଚଳିତ ପଦ୍ମପୁର ଉପନିର୍ବାଚନ ବେଳେ ଏହି ତିନି ନେତାଙ୍କୁ ପୁଣିଥରେ ପ୍ରଚାର ତାଲିକାରେ ଯୋଡ଼ା ଯାଇଛି।

ବିଜେପିକୁ ଭରସା ଚାରି କେନ୍ଦ୍ରମନ୍ତ୍ରୀ

ବିଜେପି ମଧ୍ୟ ପଦ୍ମପୁର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ୪ ଜଣ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୋଦୀ ସରକାରରେ ମନ୍ତ୍ରୀ ଥିବା ଅର୍ଜୁନ ମୁଣ୍ଡାଙ୍କ ନାଁ ଏହି ତାଲିକାରେ ରହିଛି।

ତା’ଛଡ଼ା ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ପ୍ରଭାରୀ ସୁନିଲ ବଂଶଲ, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭଳି ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି। ଧାମନଗର ଉପନିର୍ବାଚନ ଜିତିବା ପରେ ବିଜେପି କର୍ମୀ ଏବଂ ନେତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ପଛରେ ପଡ଼ିନି କଂଗ୍ରେସ

ବିଜେଡି ଏବଂ ବିଜେପି ଶନିବାର ଦିନ ସକାଳେ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିବା ବେଳେ କଂଗ୍ରେସ ସନ୍ଧ୍ୟାରେ ତାଲିକା ପ୍ରକାଶ କରିଥିଲା। କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାଁ ଘୋଷଣା କରିଛି। ଏଥିରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସହ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ, ନରସିଂହ ମିଶ୍ର, ସୁରେଶ ରାଉତରାୟ, ତାରା ପ୍ରସାଦ ବାହିନୀପତି ଏବଂ ସନ୍ତୋଷ ସିଂ ସାଲୁଜା ପ୍ରମୁଖଙ୍କ ନାଁ ରହିଛି। ପଦ୍ମପୁର ଯେହେତୁ କଂଗ୍ରେସର ଗଡ଼ ଥିଲା, ତେଣୁ ସେଠି କଂଗ୍ରେସ ବିଜେପି ଏବଂ ବିଜେଡିକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି।

Tags: #Politics #OdishaPolitics #Congress #StarCampaigner #BJD #BJP

Comment